ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର କିଛି ପ୍ରମୁଖ ନେତାଙ୍କ ପାଖରେ ବିଡ଼ା ବିଡ଼ା ୨୦୦୦ ଟଙ୍କିଆ ନୋଟ୍। କଳା ଟଙ୍କାକୁ ଧଳା କରିବାକୁ ଲାଗି ପଡ଼ିଛନ୍ତି। ଏହି ନେତାମାନଙ୍କୁ ସହାୟତା କରୁଛନ୍ତି ତାଙ୍କର ପ୍ରିୟ କର୍ମୀ ଓ କାର୍ଯ୍ୟକର୍ତ୍ତା। ଯେଉଁମାନଙ୍କ ଜରିଆରେ ଦୈନିକ ଲକ୍ଷ ଲକ୍ଷ କଳା ଟଙ୍କାକୁ ବ୍ୟାଙ୍କରେ ବଦଳି କରି ଧଳା କରୁଛନ୍ତି। ଗତ ମାସେ ହେବ ରାଉରକେଲାର କିଛି ନେତା ଏଭଳି କାମ କରୁଛନ୍ତି। ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ବଦଳି କରୁଥିବା କିଛି ନେତାଙ୍କ ସହକର୍ମୀ ଅନ୍ୟ କର୍ମୀମାନଙ୍କୁ କହୁ କହୁ କହିଦେବା ପରେ ଏହି କଥା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସହରର ପ୍ରମୁଖ ଛକ, ଚା’ ଖଟିରେ ଦୈନନ୍ଦିନ ରାଜନୈତିକ ଦଳର କର୍ମୀମାନଙ୍କୁ ମୁହଁରୁ ଏପରି ଶୁଣିବାକୁ ମିଳୁଛି। ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସାଇତି ରଖିଥିବା ବିଡ଼ା ବିଡ଼ା ୨ ହଜାର ଟଙ୍କା ଏହି ନେତାମାନଙ୍କ ଚିନ୍ତା ବଢ଼ାଇଛି। ଆଉ ମାତ୍ର ୩ ମାସ ଥିବାରୁ ରାଜନୈତିକ ଦଳର ଏହି ପ୍ରମୁଖ ନେତାମାନେ ନିଜ ସହକର୍ମୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦୈନିକ ୨୦ ହଜାର ଟଙ୍କା କରି ଜମା କରୁଛନ୍ତି। ରାଉରକେଲାରେ ବିଭିନ୍ନ ବ୍ୟାଙ୍କରେ ପାଖାପାଖି ୫୦ରୁ ୬୦ ରାଜନୈତିକ ଦଳର କର୍ମୀଙ୍କ ଜମା ଖାତାରେ ଦୈନିକ ୨ ହଜାର ଟଙ୍କିଆ ୨୦ ହଜାର ଟଙ୍କା ଜମା ହେଉଥିବା ଜଣାପଡ଼ିଛି। ଉଭୟ ସାଂସଦ ଓ ବିଧାୟକ ଟିକେଟ୍ ଆଶାୟୀ ନେତାମାନଙ୍କ ପାଖରେ କୋଟି କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ରହିଛି। ଆସନ୍ତା ୨୦୨୪ ନିର୍ବାଚନରେ ଏସବୁ ୨ ହଜାର ଟଙ୍କିଆ ନୋଟ୍କୁ ୫୦ ୦ ଟଙ୍କିଆ ନୋଟ୍ରେ ପରିବର୍ତ୍ତ କରି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି।
ରାଉରକେଲା ବ୍ୟାଙ୍କରେ ଦୈନିକ ୬୦ ଲକ୍ଷରୁ ଅଧିକ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଜମା ହେଉଛି। ଏଥିରୁ ପ୍ରାୟ ୨୦% ଟଙ୍କା ପ୍ରମୁଖ ନେତାଙ୍କର ବୋଲି ଜଣାପଡିଛି। କେବଳ ନେତା ନୁହେଁ ସହରର କିଛି ଶିଳ୍ପପତି, ବେପାରୀ, ବିଲ୍ଡର ଏଭଳି କରୁଥିବା ନଜରକୁ ଆସିଛି। ଆଉ କିଛି ବଡ଼ ବଡ଼ିଆ ଲୋକ ସୁନା ଅଳଙ୍କାର କିଣାରେ ୨ ହଜାର ଟଙ୍କିଆ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରୁଛନ୍ତି। ପ୍ରତ୍ୟେକ ଦିନ ସୁନାଗହଣା ସୋ’ ରୁମ୍ରେ ଏମିତି କିଛି ଗ୍ରାହକଙ୍କୁ ଦେଖିବାକୁ ମିଳୁଛି। ଗୋଟିଏ କି ଦୁଇଟି ସୁନା ଦୋକାନରେ ନୁହେଁ, ସହରର ପ୍ରମୁଖ ସୁନାଗହଣା ଦୋକାନରେ ଏମିତି କିଛି ଗ୍ରାହକଙ୍କୁ ଦେଖିବାକୁ ମିଳୁଛି। ରାଉରକେଲା ମୁଖ୍ୟ ମାର୍ଗରେ ଜଣେ ସୁନା ବ୍ୟବସାୟୀ କହିଛନ୍ତି, ପୂର୍ବରୁ ଆମ ପାଖକୁ ଏତେଟା ଦୁଇ ହଜାର ଟଙ୍କିଆ ନୋଟ୍ ଆସୁ ନଥିଲା। ଯେବେଠୁ ରିଜର୍ଭବ୍ୟାଙ୍କ ଦୁଇ ହଜାର ଟଙ୍କିଆ ଆଗକୁ ଚଳିବ ନାହିଁ ବୋଲି ଘୋଷଣା କଲାଣି, ସେବେଠୁ ଆମ ପାଖକୁ ୨ ହଜାର ଟଙ୍କିଆ ନୋଟ୍ ଆସୁଛି। କିଛି ଗ୍ରାହକ ଏକକାଳୀନ ୩/୪ ଟଙ୍କାର ସୁନାଗହଣା କିଣୁଛନ୍ତି। କେବଳ ୨ ହଜାର ଟଙ୍କିଆ ନୋଟ୍ ଦେଉଛନ୍ତି। ୨ ହଜାର ଟଙ୍କିଆ ନୋଟ୍ ଗ୍ରହଣ କରିବା ପୂର୍ବରୁ ସେମାନଙ୍କ ଠାରୁ ଆଧାର କାର୍ଡ ଜେରେକ୍ସ ସହ ଏକ ଅଣ୍ଡରଟେକିଂ ଲେଖି ରଖୁଛୁ। ଯେଉଁମାନେ ଆଧାର କାର୍ଡ କିମ୍ବା ଅଣ୍ଡରଟେକିଂ ଦେବାକୁ ଅରାଜି ହେଉଛନ୍ତି, ସେମାନଙ୍କ ନିକଟରୁ ଆମେ ଏକକାଳୀନ ୩/୪ ଲକ୍ଷ ଦୁଇ ହଜାର ଟଙ୍କିଆ ନୋଟ୍ ଗ୍ରହଣ କରୁ ନାହୁଁ ବୋଲି କହିଛନ୍ତି।
କେବଳ ଏତିକି ନୁହେଁ ଆଉ କିଛି ବଡ଼ ବଡ଼ିଆ ପ୍ଲଟ କିଣାରେ ଦୁଇ ହଜାର ଟଙ୍କିଆ ନୋଟ୍ ବିନିଯୋଗ କରୁଛନ୍ତି। ରାଉରକେଲା ସହର ନୁହେଁ ଏହାର ଆଖପାଖ କିଛି ବ୍ଲକରେ ବଡ଼ ବଡ଼ିଆମାନେ କଳା ଟଙ୍କାକୁ ଧଳା କରିବାକୁ ଏମିତି କରୁଥିବା ଜଣାପଡ଼ିଛି।