ଭବିଷ୍ୟତକୁ ନେଇ ଚିନ୍ତାରେ ଦଳଡିଆଁ ନେତା: ପଦବି ନ ମିଳିଲେ କରିବେ କ’ଣ ?

ନୂଆ ଦଳରେ ଗ୍ରହଣୀୟତା ନେଇ ପ୍ରଶ୍ନ

ଅନୁଗୁଳ: ନିର୍ବାଚନର କେଇ ମାସ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା। ତାଙ୍କୁ ସାଂସଦ କିମ୍ବା ବିଧାୟକ ଭାବେ ଲଢ଼ିବା ପାଇଁ ବିଜେଡି ଟିକେଟ ଦେଇପାରେ ବୋଲି ଅନୁମାନ କରାଯାଉଥିଲା। ହେଲେ ଦଳ ତାଙ୍କୁ ସାଂଗଠନିକ ପଦ‌ ଦେଇ ଚୁପ୍‌ କରାଇଥିଲା। ନୂଆ ସରକାର ଆସିଲେ, ତାଙ୍କୁ କୌଣସି ଭଲ ପଦରେ ଥଇଥାନ କରାଯିବ ବୋଲି ଦଳ‌ ଭିତରେ ଚର୍ଚ୍ଚା ଚାଲିଥିଲା। ହେଲେ ବିଜେଡି ହାତରୁ କ୍ଷମତା ଚାଲିଗଲା ପରେ ଏବେ କ’ଣ କରିବେ ବିପ୍ଳବ ? ଦଳରେ ରହି ସଂଗଠନ କରିବେ, ନା’ ବିକଳ୍ପ ଖୋଜିବେ?

କେବଳ ବିପ୍ଳବ ନୁହେଁ, ନିର୍ବାଚନ ପୂର୍ବରୁ ଦଳବଦଳ କରିଥିବା ଅଧା ଡଜନ ନେତା ଏବେ ଚିନ୍ତାରେ। ଭୋଟ ସରିଗଲା ପରେ ନୂଆ ଦଳରେ ସେମାନଙ୍କ ଭୂମିକା କ’ଣ ରହିବ, ଦଳର ସାଂଗଠନିକ ବ୍ୟାପାରରେ କେତେ ଗୁରୁତ୍ବ ମିଳିବ, ସେଥିନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ଦଳରେ ଜାଗା ମାଡ଼ି ବସିଥିବା ପୁରୁଣା ନେତାମାନେ ଏହି ଆମଦାନୀ ନେତାଙ୍କୁ ବାଟ ଛାଡ଼ିନପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି। ଏଥିପାଇଁ ଦଳଡିଆଁ ନେତାଙ୍କ ଭିତରେ ଚାପ କାହିଁରେ କେତେ। ଏହି ନିର୍ବାଚନ ସମୟରେ ଦଳବଦଳ ରାଜନୀତି ସୀମା ପାର୍‌ କରି ଯାଇଥିଲା। ବିଶେଷକରି ବିଜେଡି ଓ ବିଜେପି ଭିତରେ ଏହି ଦଳବଦଳ ଅଧିକ ଥିଲା। ଅନୁଗୁଳରୁ ଗତଥର କଂଗ୍ରେସ ପ୍ରାର୍ଥୀ ହୋଇ ପ୍ରାୟ ୩୦ ହଜାର ଭୋଟ ନେଇଥିବା ବିପ୍ଳବ ଜେନାଙ୍କୁ କୋଳେଇ ନେଇଥିଲା ବିଜେଡି। ତାଙ୍କ ଭୋଟ ଭାଗକୁ ଭିଡ଼ି ଜିତିବା ପାଇଁ ଆଶା ବାନ୍ଧିଥିଲା। ହେଲେ ଦଳ ହାରିଯିବା ପରେ ଏବେ ଉଭୟ ବିଜେଡି ଓ ବିପ୍ଳବଙ୍କ ସମସ୍ୟା ବଢ଼ିଛି। ଏପଟେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ଆଠମଲ୍ଲିକର ଦୁଇ ପୂର୍ବତନ ବିଧାୟକ ସଂଜୀବ ସାହୁ ଓ ରମେଶ ସାଏଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଦ୍ବନ୍ଦ୍ବ କମୁନି। ଏମାନେ ବିଜେପିରେ ସାମିଲ ହୋଇ ଦଳକୁ ଜିତାଇବା ପାଇଁ ପଣ କରିଥିଲେ। ସଂଜୀବଙ୍କୁ ଟିକେଟ ମିଳିଥିଲା ବେଳେ ରମେଶ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ହେଲେ ଏଠାରେ ବିଜେପି ୧୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛି। ଏଣୁ ଏହି ଦୁଇ ନେତାଙ୍କୁ ବିଜେପି କେତେ ଗୁରୁତ୍ବ ଦେଉଛି ତା’କୁ ଏବେ ଅପେକ୍ଷା।

ସେହିପରି ବିଜେପିରେ ମିଶିଥିବା ଅର୍ଜୁନ ସାହୁ ଓ ପ୍ରକାଶ ଡାଙ୍ଗଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡିରୁ ଟିକେଟ ଆଶାୟୀ ଥିବା ୪ ଜଣ ନେତା ବିଜେପିରେ ମିଶିଥିବାରୁ କାହାର ଗୁରୁତ୍ବ ରହୁଛି ଓ କିଏ ଅଣଦେଖା ହେଉଛନ୍ତି ‌ସେଥିନେଇ ଦଳ ଭିତରେ ହିସାବନିକାଶ ଚାଲିଛି। ଏପଟେ ଗତଥର ଆଠମଲ୍ଲିକରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଭାଗୀରଥି ପ୍ରଧାନ ଠିକ୍‌ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଛନ୍ତି। ଏଠା‌ରେ ବିଜେଡି ଜିତିଥିଲେ ମଧ୍ୟ ସରକାର ନ ଥିବାରୁ ତାଙ୍କୁ କୌଣସି ଭଲ ପଦରେ ଥଇଥାନ କରିବାର ସମ୍ଭାବନା ମଉଳି ଯାଇଛି। ଏଣୁ ତାଙ୍କ ଗତିବିଧି ଉପରେ ଏବେ ରାଜନୈତିକ ପଣ୍ଡିତଙ୍କ ନଜର ରହିଛି। ଅନୁଗୁଳରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ମହେଶ ଧଳ, ଭକ୍ତିପ୍ରସାଦ ଦାସ ଓ ମୀରା ଗଡ଼ନାୟକ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ଯୋଗଦାନ ପରେ ବିଜେପି ଅଧିକ ଶକ୍ତିଶାଳୀ ହୋଇଥିବା ତାଙ୍କ ସମର୍ଥକ ଦାବି କରୁଛନ୍ତି। ଏଠାରେ ବିଜେପି ବିଜୟୀ ହୋଇଥିବାରୁ ଏମାନଙ୍କୁ ବୋର୍ଡ ଓ ନିଗମରେ ଥଇଥାନ କରାଯାଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର