ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା: ଗରିବ, ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସୁବିଧା ଦିଅ

ଭୁବନେଶ୍ବର: ଲକ୍‌ଡାଉନ୍ ସମୟରେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହା ସତ୍ତ୍ବେ ରାଜ୍ୟରେ ବହୁ ଗରିବ ଲୋକ ହଇରାଣ ହେଉଛି। ବିପଦ ସମୟରେ ‌େସମାନଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି। ବିଶେଷ କରି ଗରିବ, ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ବିଭିନ୍ନ ସୁବିଧା ଦେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରସ୍ତାବ ଦେଇଛନ୍ତି। କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସରକାରଙ୍କ ଉଦାହରଣ ଦେଇ ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଏକ ଚିଠି ଲେଖିଛନ୍ତି।

ଚିଠିରେ ଶ୍ରୀ ନାଏକ ଦର୍ଶାଇଛନ୍ତି, କର୍ଣ୍ଣାଟକ ସରକାର ଭଣ୍ଡାରୀ, ଧୋବା, ଅଟୋ ଚାଳକ ଓ ନିର୍ମାଣ ଶ୍ରମିକଙ୍କ ସମେତ ଲକ୍‌ଡାଉନ୍‌ରେ ଅସୁବିଧା ଭୋଗୁଥିବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ୧୬୧୦ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। କ୍ଷତି ସହିଥିବା ଫୁଲ ଚାଷୀଙ୍କୁ ହେକ୍ଟର ପିଛା ୨୫ ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଧୋବା, ଭଣ୍ଡାରୀ, ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ଏକକାଳୀନ ୫ ହଜାର ଟଙ୍କା ଲେଖାଏ ସହାୟତା ଘୋ‌ଷଣା ହୋଇଛି। ଏମ୍‌ଏସ୍‌ଏମ୍‌ଇରେ ୨ ମାସ ପାଇଁ ନିର୍ଦ୍ଧାରିତ ବିଜୁଳି ଶୁଳ୍କ ଛାଡ଼ କରାଯାଇଛି। ଜୁନ୍ ୩୦ ଯାଏ ବିଜୁଳି ବିଲ୍‌ ପୈଠ କରି ନ ଥିବା ଲୋକଙ୍କ ବିଜୁଳି ସଂଯୋଗ କଟାଯିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି। ବୁଣାକାର ସମ୍ମାନ ‌େଯାଜନାର ଶୁଭାରମ୍ଭ କରାଯାଇ ରାଜ୍ୟର ହସ୍ତଶିଳ୍ପ ବୁଣାକାରମାନଙ୍କୁ ସିଧାସଳଖ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ମଧ୍ୟପ୍ରଦେଶ ସରକାର ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ଅଧିନିୟମ ସଂଶୋଧନ କରିଛନ୍ତି। ମଣ୍ଡି ଶୁଳ୍କକୁ ଦେୟମୁକ୍ତ କରାଯିବା ସହ ବେସରକାରୀ କ୍ଷେତ୍ରରେ ମଣ୍ଡି ସ୍ଥାପନା ପାଇଁ ବ୍ୟବସ୍ଥା କରାଯାଇଛି। ମଣ୍ଡି ବାହାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ହୋଲ୍‌ସେଲ୍‌ ବିକ୍ରେତାଙ୍କୁ ଚାଷୀଙ୍କ ଠାରୁ ଶୀଘ୍ର ଉତ୍ପାଦ କିଣିବାର ବ୍ୟବସ୍ଥା ହୋଇଛି। ଗୋଟିଏ ଲାଇସେନ୍ସରେ ବ୍ୟବସାୟୀମାନେ ବ୍ୟବସାୟ କରିପାରିବେ ବୋଲି କୁହାଯାଇଛି। ଏହି ଦୁଇ ରାଜ୍ୟ ପରି ଓଡ଼ିଶାରେ ଏସବୁ ବ୍ୟବସ୍ଥା କରାଗଲେ ବର୍ତ୍ତମାନର ଘଡ଼ିସନ୍ଧି ମୂହୁର୍ତ୍ତରେ ଗରିବ, ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ବିଶେଷ ଲାଭବାନ ହୋଇପାରିବେ। ଏହା ଦ୍ବାରା ଆଗାମୀ ଦିନରେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି ବିରୋଧୀ ଦଳ ନେତା ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର