ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦ ଉପରେ ନେତାଙ୍କ ଆଖି

ଦୌଡ଼ରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ହୋ ଓ ମୁଣ୍ଡା ସଂପ୍ରଦାୟକୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା

ବାରିପଦ‌‌ା: ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଏବେ ବିଭିନ୍ନ ନିଗମ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦକୁ ଆଖେଇଛନ୍ତି ଦଳୀୟ ନେତା। ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କରିବାକୁ ବିଜେଡି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ନିମନ୍ତେ ଲବି କରିବାକୁ ମୟୂରଭଞ୍ଜରୁ ଭୁବନେଶ୍ବରକୁ ନେତାଙ୍କ ସୁଅ ଛୁଟିବା‌ରେ ଲାଗିଛି। ତେବେ ମୟୂରଭଞ୍ଜର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦର ଗୁରୁତ୍ବ ଥିବାରୁ ଏହା ଉପରେ ବହୁ ନେତାଙ୍କ ଆଖି ରହିଛି। ବରିଷ୍ଠ ନେତା ଡା. ଦେବାଶିଷ ମାରାଣ୍ଡି ୨୦୧୭ରୁ ୨ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ କରିବାରୁ ସେ ଅଧ୍ୟକ୍ଷ ପଦ ଛାଡ଼ିଥିଲେ। ଏହା ପରଠାରୁ ଗତ ୩ ବର୍ଷ ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ତେବେ ଏହି ପଦ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି। ଦଳର କିଛି ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ସପ୍ତାହ ମଧ୍ୟରେ ବିଭିନ୍ନ ନିଗମ ଓ ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦ ପାଇଁ ଦଳର ସୁପ୍ରିମୋ ନାଁ ଘୋଷଣା କରିବେ। ଆସନ୍ତା ୨୮ ତାରିଖରୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବାକୁ ଥିବାରୁ ତାପୂର୍ବରୁ ଅଧ୍ୟକ୍ଷ ପଦ ଘୋଷଣା କରିବା ଏକ ରକମ ନିଶ୍ଚିତ।

ତେବେ ଏହି ପଦବୀରେ କିଏ ଅବସ୍ଥାପିତ ହେବେ, କାହା ଉପରେ ନବୀନ ଭରସା‌ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ପଦ ପାଇଁ ୪-୫ ଜଣ ଆଶାୟୀ ଥିବା କୁହାଯାଉଛି। ତେବେ ରେସ୍‌ରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି। ସାନନ୍ଦ ଦଳର ଜଣେ ଟାଣୁଆ ନେତା। ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ମିଳି ନଥିଲା। ତାସତ୍ତ୍ବେ ଦଳ ପ୍ରତି ତାଙ୍କର ଆ‌ନୁଗତ୍ୟ କମିନଥିଲା। ଗତ ପଞ୍ଚାୟତ ଓ ପୌର ନିର୍ବାଚନ ସଫଳତାରେ ସାନନ୍ଦଙ୍କ ପ୍ରମୁଖ ଭୂମିକା ରହିଥିଲା। ତେଣୁ ତାଙ୍କୁ ଅଧ୍ୟକ୍ଷ ପଦ ଦେଇପାରେ ଦଳ। ତେବେ ସାନନ୍ଦଙ୍କର ୨୦୨୪ରେ ବିଧାୟକ ପଦ ଉପରେ ଆଖିଥିବାରୁ ସେ ଏହି ଅଧ୍ୟକ୍ଷ ପଦରେ ସନ୍ତୁଷ୍ଟ ହୋଇ ବିଧାୟକ ଟିକେଟ୍‌ ଛାଡ଼ିବାକୁ ଆଗ୍ରହୀ ହୋଇନପାରନ୍ତି।

ସେହିପରି ମୟୂରଭଞ୍ଜର ହୋ ଓ ମୁଣ୍ଡା ସମ୍ପ୍ରଦାୟରୁ କାହାରିକୁ ପରିଷଦର ଅଧ୍ୟକ୍ଷ ପଦ ପ୍ରଦାନ ପାଇଁ ଗୋଟିଏ ଗୋଷ୍ଠୀ ଦାବି କରୁଛି। ଜିଲ୍ଲାରେ ସାନ୍ତାଳୀ ଓ କୁଡୁମୀ ସମ୍ପ୍ରଦାୟରୁ ବହୁ ନେତାଙ୍କୁ ପଦପଦବିରେ ଥଇଥାନ କରିଛି ଦଳ। ହେଲେ ମୟୂରଭଞ୍ଜରେ ପ୍ରାୟ ୩ ଲକ୍ଷ ହୋ ଓ ମୁଣ୍ଡା ସମ୍ପ୍ରଦାୟ ଲୋକ ଥିଲେ ବି ସେମାନଙ୍କ ମଧ୍ୟରୁ କାହାକୁ ଗରୁତ୍ବପୁର୍ଣ୍ଣ ପଦପଦବି ମିଳିନି। ତେଣୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସମ୍ପ୍ରଦାୟରୁ କାହାରିକୁ ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିପାରେ ଦଳ।

ସମ୍ବନ୍ଧିତ ଖବର