ବାଲେଶ୍ବର/ବସ୍ତା-୨/ଗାନ୍ଧିଛକ: ବାଲେଶ୍ବର ସଦର ବ୍ଲକ୍ କୁରାଢ଼ିଆ ପଞ୍ଚାୟତ ସରପଞ୍ଚ ନିରଞ୍ଜନ ଧଳ ଆତ୍ମହତ୍ୟା କରିଛନ୍ତି। ଆଜି ଦିନ ପ୍ରାୟ ୧୧ଟା ସମୟରେ ସେ ନିଜ ଘରେ ଏକ ଗାମୁଛାରେ ଫାଶୀ ଦେଇଥିବା ପରିବାର ଲୋକ ଦେଖିବା ପରେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବସ୍ତା ଡାକ୍ତରଖାନା ନେଇ ଯାଇଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ନିରଞ୍ଜନ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥନରେ ସରପଞ୍ଚ ଭାବେ ନିର୍ବାଚିତ ହେଇଥିବା ବେଳେ ତାଙ୍କ ଅକାଳ ବିୟୋଗରେ କୁରାଢ଼ିହା ପଞ୍ଚାୟତରେ ଶୋକରଛାୟା ଖେଳିଯାଇଛି। ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ନିରଞ୍ଜନ ମାଛଚାଷ ପାଇଁ ନିଜ ଗାଁ ପାଖରେ ୩/୪ଟି ପୋଖରୀ ଖୋଳିଥିବା ବେଳେ ସେ ବାବଦରେ ଲକ୍ଷାଧିକ ଟଙ୍କା ବିନିଯୋଗ କରିଥିଲେ। କରଜ ଟଙ୍କା ଶୁଝିନପାରି ଭାରାକ୍ରାନ୍ତ ହେବା ପରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ତଦନ୍ତ ପରେ ନିରଞ୍ଜନଙ୍କ ମୃତ୍ୟୁ କାରଣ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି।
ନିରଞ୍ଜନଙ୍କ ଆତ୍ମହତ୍ୟା ଖବର ପାଇ ବାଲେଶ୍ବର ସଦର ବିଧାୟକ ସ୍ୱରୂପ ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା ସୁନୀତା ବେହେରା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେପି ଯୁବନେତା ମାନସ କୁମାର ଦତ୍ତ, ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ କୁମାର ସେଠୀ, ପ୍ରଦୀପ ନାୟକ, ଶରତ ବେହେରା, ଶକ୍ତିପଦ ରାୟ, ବରିଷ୍ଠ ବିଜେପି ନେତା ଗୌରାଙ୍ଗ ଦାସ, ସର୍ବେଶ୍ୱର ମହାନ୍ତି, କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/4j654gd65gjdgjdgjd.jpg)