ଯାଜପୁର : ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ଅଧ୍ୟାପିକା ଡକ୍ଟର ପ୍ରମୋଦିନୀ ଚକ୍ରଙ୍କର ବେଆଇନ୍ ବିଦେଶ ଗସ୍ତ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏବେ ଚାନ୍ଦବାଲି କଲେଜରେ କାର୍ଯ୍ୟରତ ଇଂରାଜୀ ଅଧ୍ୟାପିକା ଡ. ଚକ୍ର ୨୦୧୨ ରେ ଅନ୍ତର୍ଜାତୀୟ ସମାଜବିଜ୍ଞାନ ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ତୁର୍କୀ ଗସ୍ତ କରିଥିଲେ। ଏହି ବାବଦରେ ୟୁଜିସିରୁ ୧ଲକ୍ଷ ୪୧ହଜାର ୬୦ଟଙ୍କା ହାତେଇଥିଲେ। ଏହା ଉପରେ ଆଜି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର ପଣ୍ଡା ବ୍ୟାସନଗର କଲେଜର ପରିଚାଳନା କମିଟି ସଭାପତିଙ୍କୁ ଅବଗତ କରାଇବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଛନ୍ତି।
ପ୍ରକାଶ ଥାଉକି ଅଧ୍ୟାପିକା ଡକ୍ଟର ପ୍ରମୋଦିନୀ ଚକ୍ର ତୁର୍କୀରେ ୟୁଜିସି ଗ୍ରାଣ୍ଟ କମିସନଙ୍କ ଭ୍ରମଣ ଅନୁଦାନରେ ୨୦୧୨ ମସିହା ୫ ଓ ୬ ଅକ୍ଟୋବରରେ ସାମାଜିକ ବିଜ୍ଞାନ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ବିଦେଶ ଗସ୍ତ ପାଇଁ ତାଙ୍କୁ ଅନୁଦାନ ମଞ୍ଜୁର କରାଯାଇଥିଲା। ଅଭିଯୋଗକ୍ରମେ ୟୁଜିସି ଗ୍ରାଣ୍ଟ କମିସନଙ୍କ ଭିଜିଲାନ୍ସ ବିଭାଗ ତଦନ୍ତ କରି ଜାଣିବାକୁ ପାଇଲେ ଯେ ଅଧ୍ୟାପିକା ଡକ୍ଟର ଚକ୍ର ଜାଲ୍ ଦସ୍ତାବିଜ ଦେଇ ଏହି ସୁଯୋଗ ହାତେଇଛନ୍ତି।
ଏହି ଜାଲିଆତି ଧରାପଡ଼ିବା ପରେ ଭବିଷ୍ୟତରେ ଯୁଜିସି ଗ୍ରାଣ୍ଟରେ ବିଦେଶ ଗସ୍ତ ପାଇଁ ତାଙ୍କୁ ବାରଣ କରାଯାଇଛି। ଅଧ୍ୟାପିକା ଡ. ଚକ୍ର ବିଦେଶ ଭ୍ରମଣ ବାବଦ ହାତେଇଥିବା ୧ଲକ୍ଷ ୪୧ ହଜାର ୬୦୦ ଟଙ୍କା ଫେରାଇବାକୁ କୁହାଯାଇଛି। ତାଙ୍କ ବିରୋଧରେ ନିକଟସ୍ଥ ଥାନାରେ ଆଇପିସି ଓ ପିସି ଆଇନ ୧୯୮୮ ଧାରାରେ ଏତଲା ଦେବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବାକୁ କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଯୁଜିସି ଗ୍ରାଣ୍ଟ କମିସନଙ୍କୁ ଗତ ମେ ୩୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ତାକୁ କାର୍ଯ୍ୟକାରୀ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/20-12.jpg)