ମା’ଙ୍କ ହତ୍ୟା ଅଭି‌ଯୋଗରେ ବାପା ଜେଲରେ, ଛେଉଣ୍ଡ ଝିଅର ଥଇଥାନ କରିବ ଆଇନସେବା ପ୍ରାଧୀକରଣ

ସୁନ୍ଦରଗଡ଼ : ମାର୍ଚ୍ଚ ୩ ତାରିଖରେ ସୁନ୍ଦରଗଡ଼ ସଦରଥାନା କନ୍ଦାବାହାଲ ଜବରଦସ୍ତପଡ଼ାରେ ଘଟିଥିଲା ଏକ ହୃଦୟବିଦାରକ ଘଟଣା । ମଦ ଓ ଜୁଆ କିପରି ଗୋଟିଏ ପରିବାରକୁ ଛାରଖାର କରି ଦେଇପାରେ, ତାର ଏକ ନିର୍ମମ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା। ସାମାନ୍ୟ ଝଗଡ଼ାକୁ ନେଇ ଗାଁର ଜଣେ ମଦ୍ୟପ ଓ ଜୁଆଡ଼ି ସ୍ବାମୀ ଜିତେନ୍ଦ୍ରୀୟ ପଟେଲ ତାଙ୍କ ସ୍ତ୍ରୀ ରାଜେଶ୍ବରୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମାମଲାରେ ଜିତେନ୍ଦ୍ର ଏବେ ଜେଲରେ। ଘଟଣାରେ କେବଳ ସ୍ବାମୀସ୍ତ୍ରୀଙ୍କ ଜୀବନ ନଷ୍ଟ ହୋଇଯାଇନି, ଏ ଅପ୍ରତ୍ୟାଶିତ ଝଡ଼ରେ ସେମାନଙ୍କ ଏକମାତ୍ର ୧୪ ବର୍ଷର ଝିଅ ଅର୍ପିତାର କଅଁଳ ଜୀବନ ସହ ଟିକି ସ୍ବପ୍ନ ମଧ୍ୟ ଉଜୁଡ଼ି ଯାଇଛି। ବାପା ଜେଲ୍‌ ଯିବା ଓ ମା’ଙ୍କୁ ସବୁଦିନ ପାଇଁ ହରାଇଥିବା ଛେଉଣ୍ଡ ଝିଅ ଏବେ ଅସହାୟ। ସାହାରା ଲୋଡ଼ୁଥିବା ବୃଦ୍ଧ ଜେଜେବାପା ଓ ଜେଜେମାଙ୍କ ଚାରିଦିଗରେ ଅନ୍ଧାର ଛାଇଯାଇଛି। ଏସ୍ଥିତିରେ ଅର୍ପିତାଙ୍କ ମାଉସୀ ତୁଲେଶ୍ବରୀ ପଟେଲ ଶ୍ମଶାନବନ୍ଧୁ ସିଦ୍ଧାନ୍ତ ପଣ୍ଡାଙ୍କ ସହଯୋଗରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ଠାରେ ପହଞ୍ଚି ସହାୟତା ଲୋଡ଼ିଛନ୍ତି। ଘଟଣା ଶୁଣିବା ପରେ ସଚିବ ଶୁଭଶ୍ରୀ ପ୍ରଧାନ ଅର୍ପିତାଙ୍କ ଥଇଥାନ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଜବରଦସ୍ତପଡ଼ାର ଜିତେନ୍ଦ୍ରୀୟ ପଟେଲ ସ୍ତ୍ରୀ ରାଜେଶ୍ବରୀ ଓ ଝିଅ ଅର୍ପିତା ସହ ରହୁଥିଲେ। ସୁନ୍ଦରଗଡ଼ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ନବମ ପଢ଼ୁଥିବା ଝିଅକୁ ନେଇ ଅନେକ ସ୍ବପ୍ନ ଦେଖୁଥିଲେ ରାଜେଶ୍ବରୀ। କିନ୍ତୁ ଜୁଆ ଓ ମଦ‌ କବଳରେ ପଡ଼ିଥିବା ଜିତେନ୍ଦ୍ର ଏଥିରେ ଘରର ସମସ୍ତ ଟଙ୍କା ଉଡ଼ାଇ ଚାଲୁଥିବାରୁ ବିଚଳିତ ରାଜେଶ୍ବରୀ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ରହୁଥିଲେ। ଏଥିପାଇଁ ସ୍ତ୍ରୀ ରାଜେଶ୍ବରୀ ତାଙ୍କୁ ଅନେକ ସମୟରେ ଜୁଆ, ମଦରୁ ଦୂରେଇ ରହିବାକୁ କହୁଥିଲେ। ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ କେବେ କେବେ କଥା କଟାକଟି ହେଉଥିଲା। ଗତ ୩ ତାରିଖରେ ମଦ ପିଇ ଘରକୁ ଆସିଥିବା ଜିତେନ୍ଦ୍ର ଓ ରାଜେଶ୍ବରୀଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ଏତିକିରେ ଉତକ୍ଷିପ୍ତ ହୋଇ ଜିତେନ୍ଦ୍ର ରାଜେଶ୍ବରୀଙ୍କ ତଣ୍ଟି ଚିପି ଦେଇଥିଲା। ଘଟଣାସ୍ଥଳରେ ହିଁ ରାଜେଶ୍ବରୀଙ୍କ ପ୍ରାଣବାୟୁ ଉଡ଼ିଗଲା।

ଅର୍ପିତାଙ୍କ ନାମରେ ରାଜେଶ୍ବରୀ ଖୋଲିଥିବା ସୁକନ୍ୟା ଯୋଜନା, ଆରଡିରେ ପ୍ରିମିୟମ ଜମା କରିବା ଅସମ୍ଭବ ହୋଇପଡ଼ିଛି। ଏପରିକି ରାଜେଶ୍ବରୀଙ୍କ ବ୍ୟାଙ୍କ ଜମାରେ ଜିତେନ୍ଦ୍ର ଉତ୍ତରାଧିକାରୀ ଥିବାରୁ ଝିଅ ଅର୍ପିତା ‌ସେଥିରୁ ଟଙ୍କା ପାଇବାରେ ପ୍ରତିବନ୍ଧକ ଦେଖାଦେଇଛି। ଏସ୍ଥିତିରେ ଆଇନସେବା ପ୍ରାଧିକରଣ ହିଁ ଅସହାୟ ଅର୍ପିତାଙ୍କୁ ସାହା ହେବେ ଓ ତାଙ୍କ ଭବିଷ୍ୟତ ଗଠନ କରିବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର