ଭୁବନେଶ୍ବର: ମମିତା ମେହେର ହତ୍ୟାମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଲଗାତର ଟାର୍ଗେଟ୍ କରି ଚାଲିଛନ୍ତି ବିରୋଧୀ। ତାଙ୍କୁ ବିଧାନସଭାରେ ପୂରାଇ ଦେବେ ନାହିଁ ବୋଲି ପୂର୍ବରୁ କରିଥିବା ଘୋଷଣାରେ ବିରୋଧୀ ଅଟଳ ଅଛନ୍ତି। ଆଜି ତାହାକୁ ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଧାନସଭାକୁ କୋଭିଡ୍ ଟେଷ୍ଟ କରିବାକୁ ଯାଇଥିବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସେମାନେ କ’ଣ ବିଧାନସଭାର ମାଲିକ ଯେ ମନ୍ତ୍ରୀଙ୍କୁ ପୂରାଇ ଦେବେନାହିଁ। ବିଧାନସଭା ଯଦି କାହାର ବ୍ୟକ୍ତିଗତ ସମ୍ପତ୍ତି ହୋଇଥାଆନ୍ତା, ତାହାହେଲେ କିଏ ବସିବ ବା କିଏ ନବସିବ ସେଥିପାଇଁ ସେମାନେ ଅନୁମତି ଦେବେ। ସେମାନେ କିଏ? ଇଏ ତ ଏକ ପ୍ରକାର ଦାଦାଗିରି। ଲୋକମାନେ ନିର୍ବାଚିତ କରି ବିଧାୟକଙ୍କୁ ପଠାଇଛନ୍ତି। ତେଣୁ ଗୃହ ଭିତରକୁ ପଶିବାକୁ ସବୁ ବିଧାୟକଙ୍କର ଅଧିକାର ରହିଛି।
ନୈତିକତା ଦୃଷ୍ଟିରୁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ଖଣ୍ଡପଡ଼ା ବିଧାୟକ କହିଥିଲେ ଯେ ଉତ୍ତରପ୍ରଦେଶର ଲଖିମ୍ପୁର ଖେରୀରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ। ତେଣୁ କେନ୍ଦ୍ର ମନ୍ତ୍ରୀଙ୍କୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବିଜେପି ବାଧ୍ୟ କରୁ। ତାହା ହେଲେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ବିଜେପି ନୈତିକ ଚାପ ସୃଷ୍ଟି କରିପାରିବ। ତାହା ନ କରି କେନ୍ଦ୍ର ଓ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଆଭିମୁଖ୍ୟ ରଖିବାର ମାନେ କ’ଣ?
ପ୍ରଶ୍ନକାଳ ଓ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ କେହି ହୋହଲ୍ଲା କରିପାରିବେ ନାହିଁ ବୋଲି ବାଚସ୍ପତିଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଶାସକ ଦଳ ସବୁବେଳେ ମୁକାବିଲା କରିଆସିଛି। କିନ୍ତୁ ବାଚସ୍ପତି ସର୍ବଭାରତୀୟ ସଭାରେ ଯୋଗଦେଇ ଯାହା କହିଛନ୍ତି ବା ଜାତୀୟ ସ୍ତରରେ ଯାହା ନିଷ୍ପତ୍ତି ନିଆଯାଇଛି, ସେହି ଅନୁସାରେ ଗୃହ ଚାଲୁ। ବିଧାନସଭା ଚଲାଇବାରେ ଉଭୟ ବିରୋଧୀ ଓ ଶାସକ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଚସ୍ପତିଙ୍କୁ ସମସ୍ତେ ସହଯୋଗ କଲେ ବିଧାନସଭାରେ ଆଲୋଚନା ଫଳପ୍ରଦ ଓ ପ୍ରାସଙ୍ଗିକ ହେବ। ଏଥର ବିଧାନସଭା ଗତଥର ଅପେକ୍ଷା ଭିନ୍ନ ହେବ ଏବଂ ଶୃଙ୍ଖଳିତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ଗଣତନ୍ତ୍ରରେ ଲୋକମାନେ ହେଲେ ବିଚାରକ। ଯଦି ବିରୋଧୀଙ୍କ ଦାବି ଯୁକ୍ତିଯୁକ୍ତ ଓ ଲୋକମାନେ ତାହାକୁ ଗ୍ରହଣ କରୁଛନ୍ତି, ତେବେ ତାହା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବ। ସେମାନେ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ସୌମ୍ୟରଞ୍ଜନଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମର ପ୍ରତିନିଧିମାନେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ। ସେ କହିଥିଲେ ଯେ ପୂର୍ବରୁ ମମିତା ଓ ଅନ୍ୟ ପ୍ରସଙ୍ଗରେ ସୌମ୍ୟରଞ୍ଜନ ସତକଥା ଉତ୍ଥାପନ କରୁଥିଲେ। ଏବେ ବୋଧେ ସେ ଥାର୍ଡ ଫ୍ଲୋର ଦ୍ୱାରା ମ୍ୟାନେଜ ହୋଇଛନ୍ତି।