ଯୁଯୁମୁରା: ‘ଭାରତୀୟ ଡାକ’ର ଅବେହେଳା ପାଇଁ ଜଣେ ଯୁବକଙ୍କୁ ହଟହଟା ହେବାକୁ ପଡ଼ିଛି। ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ଯୁଯୁମୁରା ବ୍ଲକ ଅନ୍ତର୍ଗତ ଲିପିଣ୍ଡା ପୋଷ୍ଟ ଅଫିସ ଅଧୀନ ଅନ୍ଧାରୀ ଗାଁର ବିନୟ ପ୍ରଧାନ। ବିନୟଙ୍କ ଅଭିଯୋଗ ଅନୁସାରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଗତ ୧୬ ତାରିଖରେ ତାଙ୍କର ସାର୍ଟିଫିକେଟ ଯାଞ୍ଚ ହେବାର ଥିଲା। କିନ୍ତୁ ଲିପିଣ୍ଡା ଡାକଘର ପକ୍ଷରୁ ତାଙ୍କୁ ଅଗଷ୍ଟ ୧୬ ତାରିଖ ପୂର୍ବାହ୍ନରେ ଚିଠି ମିଳିଥିଲା। ସେହିଦିନ ହିଁ ସାର୍ଟିଫିକେଟ ଯାଞ୍ଚ ଥିବାରୁ ବ୍ୟତିବ୍ୟସ୍ତ ହୋଇ ପଡ଼ି ସେ ଏକ ଚାରିଚକିଆ ଯାନ ଭଡା କରି କଟକରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ସନ୍ଧ୍ୟା ୫ଟା ୪୫ ହୋଇଯାଇଥିଲା। ହସ୍ପିଟାଲ ଷ୍ଟାଫ୍ ସେ ଦିନ ସାର୍ଟିଫିକେଟଗୁଡ଼ିକ ଯାଞ୍ଚ ନ କରି ଜେରକ୍ସ କପିଗୁଡ଼ିକ ରଖି ବିନୟଙ୍କୁ ଯିବାକୁ କହିଥିଲେ। ତେବେ ପରେ ସାର୍ଟିଫିକେଟ ଯାଞ୍ଚ ହୋଇଛି କି ନାହିଁ ସେ ଜାଣିପାରି ନାହାନ୍ତି।
ସୂଚନାଯୋଗ୍ୟ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଲାବ୍ ଟେକ୍ନିସିଆନ ପଦ ପାଇଁ ବିନୟ ଆବେଦନ କରିଥିଲେ। ୧୬ ତାରିଖରେ ସାର୍ଟିଫିକେସନ ଥିଲା। ଏଥିପାଇଁ ଅଗଷ୍ଟ ୭ ତାରିଖ ୬ଟା ୫୨ ମିନିଟରେ କଟକରୁ ସ୍ପିଡ ପୋଷ୍ଟରେ ତାଙ୍କୁ ଚିଠି ପଠାଯାଇଥିଲା, ଯାହାକି ଲିପିଣ୍ଡା ପୋଷ୍ଟ ଅଫିସରେ ଅଗଷ୍ଟ ୧୨ ତାରିଖ ଅପରାହ୍ନ ୩ଟାରେ ପହଞ୍ଚିଥିଲା। ଯଦି ତାଙ୍କୁ ସେଦିନ କିମ୍ବା ପରଦିନ ଚିଠି ମିଳିଥାନ୍ତା ତା’ହେଲେ ସେ ଠିକ ସମୟରେ ସାର୍ଟିଫିକେଟ ଯାଞ୍ଚ ପାଇଁ କଟକ ପହଞ୍ଚି ପାରିଥାନ୍ତେ। କିନ୍ତୁ ଡାକଘରର ଅବହେଳା ଯୋଗୁଁ ତାଙ୍କୁ ଉପରୋକ୍ତ ସମସ୍ୟା ଭୋଗିବା ସହ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା ବୋଲି ବିନୟ ଅଭିଯୋଗ କରିଛନ୍ତି।
ଏ ସଂପର୍କରେ ଲିପିଣ୍ଡା ଶାଖା ଡାକଘରର ଏସ୍ଓ ସୁଦେଷ୍ଣା ନାଏକଙ୍କୁ ପଚାରିବାରେ, ‘ମୁଁ ଅଗଷ୍ଟ ୧୨ ତାରିଖ ଅପରାହ୍ନ ୩ଟାରେ ଚିଠି ପାଇଥିଲି। ମାତ୍ର ସେତେବେଳକୁ ମୋର ଡ୍ୟୁଟି ସରିଯାଇଥିଲା। ୧୩ ତାରିଖ ଦିନ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିଲି। ଅଗଷ୍ଟ ୧୪ ରବିବାର ଓ ୧୫ରେ ସ୍ବାଧୀନତା ଦିବସ ଥିଲା। ଫଳରେ ୧୬ ତାରିଖ ଚିଠି ପହଞ୍ଚାଇ ଦିଆଯାଇଥିଲା। ଗାଁ’ରେ ଚିଠି ନେଇ ପଚାରିବାରୁ ଲୋକେ ବିନୟଙ୍କ ନାଁ ଜାଣି ନଥିଲେ। କାରଣ ବିନୟଙ୍କ ଡାକ ନାଁ ମଣ୍ଟୁ। ମୋ ପାଖରେ ଅଫିସ କାର୍ଯ୍ୟ ସହିତ ଚିଠି ବଣ୍ଟନ ଓ ଡାକ ସାମଗ୍ରୀ ନେବା ଆଣିବା କରିବା ଆଦି ଡାକଘରର ୩ଟି ଦାୟିତ୍ବ ରହିଛି। ତଥାପି ମୁଁ ଠିକ ସମୟରେ ଚିଠି ଦେବା ପାଇଁ ଉଦ୍ୟମ କରିଥିଲି। ଯଦି ଗ୍ରାହକ ନିଜ ଚିଠିକୁ ଟ୍ରାକ୍ ରଖୁଥିଲେ, ସେ ବି ଡାକଘର ସହିତ ଯୋଗାଯୋଗ କରିପାରିଥାନ୍ତେ’ ବୋଲି କହିଛନ୍ତି।