କମି କମି ଯାଉଛି ଚିଲିକା ଆୟୁଷ!

ପ୍ରସ୍ତାବ ପରେ ପ୍ରସ୍ତାବ ଯାଉଛି, କାର୍ଯ୍ୟକାରୀ ହେଉନି, ସଙ୍କୁଚିତ ହେଉଛି ମୁହାଁଣ, ଜଳସ୍ରୋତ ଶୁଖି ଯାଉଛି

ଲମ୍ବୋଦର ପ୍ରସାଦ ଦାଶ

ଖୋର୍ଦ୍ଧା: ୩୫୦୦ ବର୍ଷର ପୁରାତନ ଚିଲିକା ହ୍ରଦ ଆସନ୍ତା ୧୦୦ ବର୍ଷ ମଧ୍ୟରେ ଶୁଖିଯିବ! ଶୁଣିବାକୁ ଅବିଶ୍ୱାସ ଲାଗିଲେ ମଧ୍ୟ ଏଭଳି ବିପଦ ବଢ଼ିବାରେ ଲାଗିଛି। ଯଦି ଚିଲିକାର ଉପରମୁଣ୍ଡରେ ମୃତ୍ତିକା, ଜଙ୍ଗଲ କ୍ଷୟ ନିୟନ୍ତ୍ରଣ ଓ ମହାନଦୀର ଶାଖାନଦୀର ଜଳସ୍ରୋତର ପୁନରୁଦ୍ଧାର ନହୁଏ ତେବେ ଚିଲିକାର ଏହି ବିପର୍ଯ୍ୟୟ ଦେଖିବାକୁ ହେବ। ୧୯୮୧ରେ କେନ୍ଦ୍ର ସରକାର ଚିଲିକାକୁ ରାମ୍‌ସର୍‌୍ ଭାବେ ଘୋଷଣା କରିଥିଲେ। ହେଲେ ଦେଖାଯାଉଛି ଯେ ମୃତ୍ତିକା କ୍ଷୟ ଓ ପଟୁମାଟି ଜମା ହେବା କାରଣରୁ ଚିଲିକା ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ଏକଥା ଯେ ସରକାର ଜାଣିନାହାନ୍ତି ତା ନୁହେଁ। ୧୯୮୫ରୁ ୧୯୯୬ ମଧ୍ୟରେ ଚିଲିକାର ସୁରକ୍ଷା ନେଇ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଗବେଷଣା କରାଯାଇଛି। କିନ୍ତୁ ଗବେଷଣା ଲବ୍ଧ ଏସବୁ ପରାମର୍ଶ ଏଯାଏ ଚିଲିକାର ସୁରକ୍ଷା ପାଇଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ।
ବର୍ତମାନ ଯେଉଁକଥାଟି ବିଶେଷଜ୍ଞଙ୍କୁ ବେଶୀ ଚିନ୍ତାରେ ପକାଇଛି, ତାହା ହେଲା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ମଧ୍ୟ ନିୟମିତ ଭାବେ ଚିଲିକାର ସଙ୍କୋଚନ ଓ ଏହାର ଜୈବ ବିବିଧତା ହ୍ରାସ ପାଉଥିବା ତଥ୍ୟ ସରକାରଙ୍କୁ ପ୍ରଦାନ କରୁଛି। ହେଲେ ସରକାର ଚିଲିକାର ସୁରକ୍ଷା କରିବା ପରିବର୍ତ୍ତେ କେବଳ ଫାଇଲ୍‌ର ଆକାର ବଢ଼ାଇବାରେ ଲାଗିଛନ୍ତି।

ଏପଟେ ଚିଲିକା ସଙ୍କୁଚିତ ହେବା ନେଇ ବେସରକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଥ୍ୟ ମଧ୍ୟରେ କୌଣସି ତାଳମେଳ ନାହିଁ। କେନ୍ଦ୍ର ସରକାରଙ୍କ ରାମ୍‌ସର୍‌ ଯୋଜନା ନେଇ ୧୯୮୧ରେ ପ୍ରକାଶିତ ରିପୋର୍ଟରେ ଚିଲିକାର ମୋଟ ପରିସୀମା (ଜଳପୂର୍ଣ୍ଣ) ୨୦୦୦ବର୍ଗ କିମିରୁ ହ୍ରାସ ପାଇ ୧୧୬୫ ବର୍ଗ କିମିରେ ପହଞ୍ଚିଥିଲା। କିନ୍ତୁ ୧୯୯୬ ନରାଜ ବ୍ୟାରେଜ୍ ନିର୍ମାଣ ବେଳେ ସିଡବ୍ଲୁସି ଦ୍ୱାରା କରାଯାଇଥିବା ସର୍ଭେରେ ଚିଲିକାର ମୋଟ ପରିସୀମା (ଜଳପୂର୍ଣ୍ଣ) ୧୦୦୦ ବର୍ଗ କିମି ବୋଲି ଦର୍ଶାଯାଇଛି। ସେହିଭଳି ଏହାର ଲବଣ ଅଂଶ ୧୯୫୬ରେ ୧୭ପିପିଟି (ପାର୍ଟସ ପର୍ ଥାଉଜେଣ୍ଡ) ଥିଲାବେଳେ ୧୯୯୬ରେ ହ୍ରାସ ପାଇ ୪ ପିପିଟିରେ ପହଞ୍ଚିଥିଲା। ଚିଲିକାର ପ୍ରକୃତ ପରିସୀମା କେତେ ସେନେଇ କୌଣସି ସଦ୍ୟତମ ସୂଚନା ସିଡିଏ ନିକଟରେ ନାହିଁ। କିନ୍ତୁ ଏହାର ୱେବ୍‌ସାଇଟ୍‌ରେ ୧୧୬୫ ବର୍ଗ କିମି ବୋଲି ଦର୍ଶାଯାଇଛି।

୨୦୧୯ରେ ସିଡିଏ ଦେଇଥିବା ସୂଚନାରେ, ଚିଲିକାରେ ବାର୍ଷିକ ୧ ଏମ୍‌ଏମ୍‌ଟି (ମିଲିଅନ୍ ମେଟ୍ରିକ୍ ଟନ୍‌) ମାଟି ଜମା ହେଉଛି। ମହାନଦୀ ଓ ଶାଖାନଦୀରୁ ବାର୍ଷିକ ଯଥାକ୍ରମେ ୧.୫ଏମ୍‌ଏମ୍‌ଟି ଓ ୦.୩ ଏମ୍‌ଏମ୍‌ଟି ପଟୁମାଟି ଆସି ଚିଲିକାରେ ମିଶୁଛି। ଏଣୁ ଚିଲିକାର ଉତ୍ତର ଓ ଦକ୍ଷିଣ ପାର୍ଶ୍ବରେ ବାର୍ଷିକ ମି୧.୪ସେମି ଓ ମି୧.୮ସେମି ସଙ୍କୁଚିତ ହେଉଛି। ୨୦୧୮ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଚିଲିକାର ୯.୫ କିମି ଦୀର୍ଘ ମୁହାଣରେ ପଟୁ ଜମା ହେବା ନେଇ ଏକ ଗବେଷଣା କରାଯାଇଥିଲା। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଚିଲିକାର ଉତ୍ତର ମୁହାଣ କ୍ରମାଗତ ଭାବେ ବନ୍ଦ ହୋଇଯାଇଛି। କେବଳ ୨୦୦୮ରୁ ୧୦ ବର୍ଷ ମଧ୍ୟରେ ଚିଲିକାର ଉତ୍ତର ପାଶ୍ୱର୍ସ୍ଥ ମୁହାଣ ୯୧୯ ମିଟର ପଛକୁ ଘୁ଼ଞ୍ଚିଆସିଛି। ନରାଜ ବ୍ୟାରେଜ୍ ନିର୍ମାଣ ହେବା ପରେ ଚିଲିକାରେ ପଟୁ ଜମା ହେବା କିଛିକାଂଶରେ ହ୍ରାସ ପାଇଛି।

ପ୍ରଥମତଃ, ଚିଲିକାର ମୁହାଣ ସଙ୍କୁଚିତ ହେଉଥିବାରୁ ସମୁଦ୍ରର ଲବଣ ଜଳ ଚିଲିକାରେ ମିଶିପାରୁନାହିଁ। ଦ୍ୱିତୀୟର, ଚିଲିକାରେ ମିଶୁଥିବା ସଂଖ୍ୟାଧିକ ପ୍ରାକୃତିକ ଜଳସ୍ରୋତ କ୍ରମାଗତ ଭାବେ ଶୁଖିବାରେ ଲାଗିଛି, ଫଳରେ ଚିଲିକାର ଲବଣ ଓ ଜଳର ସନ୍ତୁଳନ ନଷ୍ଟ ହେଉଛି। ୨୦୧୯ରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ସିଭିଲ୍ ଇଂଜିନିୟରିଂ ବିଭାଗ ପକ୍ଷରୁ କରାଯାଇଥିବା ଏକ ଗବେଷଣାଲବ୍ଧ ରିପୋର୍ଟ ଅନୁସାରେ, ଚିଲିକାରେ ମିଶୁଥିବା ପ୍ରାୟ ୫୨ଟି ପ୍ରାକୃତିକ ଜଳସ୍ରୋତ ମଧ୍ୟରୁ ୧୬ଟି ବର୍ତମାନ ଶୁଖିଯାଇଥିବା ବେଳେ ୧୩ଟି ଆଂଶିକ ଭାବେ ସକ୍ରିୟ ରହିଛି। ପଟୁମାଟି ପାଇଁ ୬୦-୭୦ ବର୍ଷ ପୂର୍ବେ ସକ୍ରିୟ ଥିବା ସୁନାମୁହଁି ନଦୀ ବର୍ତମାନ କେବଳ ଏକ ଛୋଟିଆ ନାଳ ଭାବେ ରହିଛି। ଭାର୍ଗବୀ ନଦୀର କା଼ଞ୍ଚି-ଧଉଡିଆ-ମଙ୍ଗଳା ନଦୀ ସଂଯୋଗ ମଧ୍ୟ ବର୍ତମାନ ଶୁଖିଯାଇଛି ।ଯଦି ଏହି ଧାରା ଆଗକୁ ଜାରି ରହେ ତେବେ ଆଗକୁ କେବଳ ବିପଦ ହିଁ ବିପଦ।

ସମ୍ବନ୍ଧିତ ଖବର