ରାଉରକେଲା/ବୀରମିତ୍ରପୁର/କୁଆରମୁଣ୍ଡା: ଦ୍ରୁତଗତି ମହାବିପତ୍ତି। ଏହା କେବଳ ଗାଡ଼ି ପଛରେ ଲେଖାଯାଇଥିବା ଆପ୍ତବାକ୍ୟ ନୁହେଁ, ବରଂ ସମସ୍ତଙ୍କ ପାଇଁ ଏକ ସତର୍କ ସୂଚନା। ତେବେ ଏହି ଦ୍ରୁତଗତି ସୋମବାର ଜଣେ ନାବାଳକଙ୍କ ଜୀବନ ନେଇଛି। ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବଗା ରୋଡ୍ ବାଙ୍କି କୁଡ଼ପାଣି ଛକ ନିକଟରେ ୨ଟି ବାଇକ୍ ପରସ୍ପର ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ରାଜେଶ ତିଗା (୧୭) ନାମକ ଜଣେ ବାଇକ୍ ଚାଳକ ଜୀବନ୍ତଦଗ୍ଧ ହୋଇ ଯାଇଛନ୍ତି। ଅନ୍ୟ ୨ ଜଣ ଏହି ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୋମବାର ସକାଳ ପ୍ରାୟ ସାଢ଼େ ୯ଟା। ଝାଡ଼ଖଣ୍ଡ ସିମ୍ଡେଗାର କପଡ଼ା ବ୍ୟବସାୟୀ ଅଶୋକ ଅଗ୍ରୱାଲ (୫୬) ନିଜର ବ୍ୟକ୍ତିଗତ କାମରେ ବାଇକ୍ ଯୋଗେ ବୀରମିତ୍ରପୁର ଆସୁଥିଲେ। ସେପଟେ ଅପରପାର୍ଶ୍ବରୁ କରଡେଗା ଗ୍ରାମର ରାଜେଶ ତିଗା (୧୭) ଓ ବାଲେନ୍ ବାଡିଂ (୨୧) ଦ୍ରୁତଗତିରେ ବୀରମିତ୍ରପୁରରୁ ରାଏବଗା ଆଡ଼କୁ ଯାଉଥିଲେ। କୁଡ଼ପାଣି ଛକ ନିକଟରେ ଆଶୋକ ଅଗ୍ରୱାଲଙ୍କ ବାଇକ୍ ସହ ରାଜେଶ ତିଗାଙ୍କ ବାଇକ୍ ସମ୍ମୁଖରୁ ଧକା ହୋଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ଉଭୟ ବାଇକ୍ରେ ନିଆଁ ଲାଗିଯାଇଥିଲା। ଆଉ ଦୁଇ ବାଇକ୍ ସହ ରାଜେଶ ତିଗା ଜୀବନ୍ତ ଜଳିଯାଇଥିଲେ।
ରାଜେଶଙ୍କ ପଛରେ ବାଇକ୍ରେ ବସିଥିବା ବାଲେନ୍ଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ତାଙ୍କ ଶରୀରର ପ୍ରାୟ ୭୦ ଭାଗ ପୋଡ଼ିଯାଇଛି। ଅନ୍ୟ ବାଇକ୍ ଆରୋହୀ ଅଶୋକ ଅଗ୍ରୱାଲଙ୍କ ମୁଣ୍ଡ ଓ ଦେହରେ ଶକ୍ତ ଆଘାତ ଲାଗିଛି। ଏହି ଦୁର୍ଘଟଣାରେ ସେ ରାସ୍ତାକଡ଼କୁ ଛିଟ୍କି ପଡ଼ିଥିଲେ। ଖବର ପାଇ କୁଆରମୁଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ବୀରମିତ୍ରପୁର ଥାନା ଏସ୍ଆଇ ବିଜୟ ଦେହୁରୀ, ଏଏସ୍ଆଇ ସୁନୀଲ ମହାପାତ୍ର ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ଲୋକେ ରାଜେଶ ତିଗାଙ୍କୁ ଉଦ୍ଧାର କରି ପାରିନଥିଲେ କି ପାଖକୁ ଯିବାକୁ ସାହସ କରି ପାରିନଥିଲେ। ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟ ଗାଡ଼ି ସହ ରାଜେଶ ଜଳିଥିଲେ। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଆଶୋକ ଅଗ୍ରୱାଲଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେ ବିପଦମୁକ୍ତ ଥିବା ସୂଚନା ମିଳିଛି। ନିଆଁ ଲାଗି ୭୦ ଭାଗ ପୋଡ଼ିଯାଇଥିବା ବାଲେନଙ୍କୁ ଆର୍ଜିଏଚ୍ରେ ଡ୍ରେସିଂ ପରେ ପ୍ରାୟ ୫ଟା ବେଳେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।