ସୀମାନ୍ତ ଗାଁର ଜୀବନ: ଜନ୍ମ ଝାଡ଼ଖଣ୍ଡରେ, କର୍ମକ୍ଷେତ୍ର ଓଡ଼ିଶାରେ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁଗୁଡ଼ିକରେ ଜୀବନଜୀବିକା ଅନ୍ୟମାନଙ୍କ ଠାରୁ ଭିନ୍ନ। ବାସସ୍ଥାନ ଝାଡ଼ଖଣ୍ଡ ହୋଇଥିଲେ ହେଁ କର୍ମକ୍ଷେତ୍ର ଓଡ଼ିଶାରେ। ଦିନ ମଜୁରିଆଠୁ ଆରମ୍ଭ କରି ଛୋଟ  ବ୍ୟବସାୟ ସବୁକିଛି ଓଡ଼ିଶାରେ। ବର୍ଷ ବର୍ଷ ଧରି ଏମିତି ଜୀବନ ଅତିବାହିତ କରି ଆସୁଛନ୍ତି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ଅନେକ ଗାଁ ଓ ବସ୍ତି।  ଓଡ଼ିଶା ମାଟି ନ ଛୁଇଁଲେ ସେଠାରେ ଚଳିବା କେବଳ କଷ୍ଟକର ନୁହେଁ, ଅସମ୍ଭବ।

ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତ ଇଲାକା ନକ୍ସଲ ପ୍ରଭାବିତ ଅଞ୍ଚଳ ରୂପେ କାହାକୁ ଅଛପା ନୁର୍ହେ। ସୀମାନ୍ତରେ ଥିବା ଉଭୟ ରାଜ୍ୟର ଅନେକ ଗାଁରେ ସବୁବେଳେ ନକ୍ସଲ ଆତଙ୍କରେ ଆତଙ୍କିତ ତଥାପି। ଏହା ସତ୍ତ୍ବେ ଶହ ଶହ ଲୋକ ଜଙ୍ଗଲ ରାସ୍ତାଦେଇ ଚାଲି ଆସନ୍ତି ଓଡ଼ିଶା ବଜାରକୁ। ଦୈନନ୍ଦିନ କାମ ସାରି ପୁଣି ଫେରି ଯାଆନ୍ତି ଝାଡ଼ଖଣ୍ଡ ମାଟିକୁ। ପର୍ବପର୍ବାଣୀ‌, ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ ହେଉ ଅବା ଆବଶ୍ୟକ ସାମଗ୍ରୀ ପାଇଁ ଓଡ଼ିଶାର ଛୋଟରୁ ବଡ଼ ବଜାର ଉପରେ ନିର୍ଭରଶୀଳ। ବସ୍‌ ହେଉ ଅବା ଟ୍ରେନ୍‌ରେ କିମ୍ବା ପାଦରେ ଚାଲି ଚାଲି ସେମାନେ ଓଡ଼ିଶା ବଜାରକୁ ଆସନ୍ତି। ଏହି ଗାଁଗୁଡ଼ିକ ମଧ୍ୟରେ ରହିଛି ବୁଲୁନ୍ଦା, ରୁଙ୍ଘି, ଫଟକା, ରାଏକେଲା, ହୁର୍ଦା, ଓଡଗାଁ, ଗେନମେର, ଡଙ୍ଗାପାନି, ପରବା, ମାରାନି, ଜରମଣ୍ଡା, କୋହିପାଟ, ଟେମ୍ବର ଓ ଚାନମାଏ ଆଦି। ଏଗୁଡ଼ିକ ନୂଆଗାଁ ବ୍ଲକର ସୀମାଠାରୁ ମାତ୍ର ୪ରୁ  ୮ କି.ମି. ଦୂର। ସେହିପରି ବିଶ୍ରା ବ୍ଲକ ଅନ୍ତର୍ଗତ ଜରେଇକେଲାକୁ ଲାଗିଛି ଝାଡ଼ଖଣ୍ଡର ପାରୋଡିହି, ମକରଣ୍ଡା, ସମଠା, ସାଗଯୋଡି, ରେଡା, ଧାନପାଲୀ, ପାଞ୍ଚପହିଆ, ଲାଇଲୋଇ, ଫୁଲବାରି, ପ୍ରଧାନପଲ୍ଲୀ, ବିକାଳକୁଦର, ଅଭୟପୁର, ପୋଟକା, ପୁରାନାଡିହି, ନୱାଡିହି ଓ ଡୋମଲାଇ ଭଳି ୨୦ରୁ ଅଧିକ ଗାଁ । ଏହି ୨୦ଟି ଗାଁରେ ୧୨ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ସେମିତି ନୂଆଗାଁ ସୀମାକୁ ଲାଗିଥିବା ୧୪ରୁ ଅଧିକ ଗାଁରେ ବସବାସ କରନ୍ତି ପ୍ରାୟ ୯ ହଜାର ଲୋକ। ‌

ଚାଲି ଚାଲି, ମୋଟରବାଇକ୍‌ ହେଉ ଅବା ଅଟୋ ରିକ୍ସାରେ ପହଞ୍ଚିଯାଆନ୍ତି ସୁନ୍ଦରଗଡ଼ ଜିଲ୍ଲା  ଅନ୍ତର୍ଗତ ନୂଆଗାଁ, ବିଶ୍ରା, ବୀରମିତ୍ରପୁର ସହ ରାଉରକେଲାରେ। କେବଳ ଏତିକି ନୁହେଁ, ଶହ ଶହ ଲୋକ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସମେତ ଅନ୍ୟ ଛୋଟ ବଡ଼ ଆଇରନ କାରଖାନାରେ ଠିକା ଶ୍ରମିକ ଭାବେ କାମ କରନ୍ତି। ‌ କିଛି ଲୋକ ଛୋଟ ଛୋଟ ବ୍ୟବସାୟ ମଧ୍ୟ କରନ୍ତି। ଆହୁରି ଶହ ଶହ ଲୋକ ରାଉରକେଲାରେ କୋଠାବାଡି ଓ ରାସ୍ତା ନିର୍ମାଣ କାମକରି ପରିବାର ଚଳାନ୍ତି। ଏ ଗାଁଗୁଡ଼ିକର ଚାଷୀମାନେ ନିଜ ଉତ୍ପାଦିତ ପନି ପରିବା ଝାଡ଼ଖଣ୍ଡ ପରିବର୍ତ୍ତେ ଓଡ଼ିଶା ହାଟରେ ବିକନ୍ତି, ରାଉରକେଲା ମଧ୍ୟ ଆସନ୍ତି। ବିଶେଷ କରି ନୂଆଗାଁର କାତେପୁର, ନୂଆଗାଁ, ସୋରଡା, ହାତୀବାରି, ପୁରୁଣାପାଣି ସାପ୍ତାହିକୀ ହାଟ, ବିଶ୍ରାର ଜରେଇକେଲା, ଭାଲୁଲତା ଆଦି ହାଟରେ ଏମାନେ ଦୈନନ୍ଦିନ ବେପାର କରନ୍ତି।

ଏହିସବୁ ହାଟରେ ଥିବା କୁକୁଡ଼ା ପଡ଼ାକୁ କୁକୁଡ଼ା ଲଢ଼େଇ କରିବାଲାଗି ଆସନ୍ତି। ସ୍ବାସ୍ଥ୍ୟସେବା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌), ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ସମେତ ରାଉରକେଲାର ଘରୋଇ କ୍ଲିନିକ୍‌, ଘରୋଇ ହସ୍ପିଟାଲ ଉପରେ ସେମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ରାଉରକେଲା ସରକାରୀ ଡାକ୍ତରଖାନାରେ ଯେତିକି ରୋଗୀ  ଭର୍ତ୍ତି ହୁଅନ୍ତି, ତା’ର ପ୍ରାୟ ୨୦ରୁ ୩୦% ରୋଗୀ ଝାଡ଼ଖଣ୍ଡର।  ନିତିଦିନିଆ ସାଧାରଣ ରୋଗ ପାଇଁ ସେମାନେ ବୀରମିତ୍ରପୁର ଓ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସନ୍ତି। ଏପରିକି କିଛି ଛାତ୍ରଛାତ୍ରୀ ସୀମାରେ ଥିବା ଓଡ଼ିଆ ସ୍କୁଲ୍‌କୁ ମଧ୍ୟ ଆସୁଛନ୍ତି।  ତୁଳନାତ୍ମକ ଭାବେ ସୀମାବର୍ତ୍ତୀ ନିଜ ଗାଁଗୁଡ଼ିକରେ ଓଡ଼ିଶା ସରକାର ଯେତିକି ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି, ସୀମାବର୍ତ୍ତୀ ନିଜ ଗାଁଗୁଡ଼ିକରେ ଝାଡ଼ଖଣ୍ଡ ସରକାର ସେତିକି ସୁବିଧା ଦେଉ ନଥିବା ସୀମାନ୍ତ ଗାଁର ‌ବାସିନ୍ଦାମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର