ନୂଆପଡ଼ା: ଜଙ୍ଗଲରୁ ମଣିଷଖିଆ ବାଘକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ଆଣିବା ଦିନଠାରୁ ଏହା ବନବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। କେତେବେଳେ ବାଘର ଅବସ୍ଥା ଯେ କ’ଣ ହେବ ତାକୁ ନେଇ ବନ ବିଭାଗର ମୁଣ୍ତ ଘାରିହେଉଛି। ଏହାକୁ ନେଇ ରାଜ୍ୟ ତଥା କେନ୍ଦ୍ରୀୟ ଟିମ୍‌ ମଧ୍ୟ ଶକ୍ତ ନଜର ରଖିଛନ୍ତି। ହେଲେ ଏଭଳି ସ୍ଥିତିରେ ବାଘର ଜୀବନ ସୁରକ୍ଷା ଅପେକ୍ଷା କୌଣସି ଅଧିକାରୀ କି ତଳିଆ କର୍ମଚାରୀଙ୍କ ଚାକିରି ସୁରକ୍ଷା ପ୍ରତି ବେଶି ଧ୍ୟାନ ଦିଆଯାଉଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ହେଲେ ପ୍ରକୃତ ସ୍ଥିତି ଭିନ୍ନ ଥିବା ଆଲୋଚନା ହେଉଛି। ଗତ ୯ଦିନ ଧରି ଏକ ଅଣଓସାରିଆ ଯନ୍ତା ଭିତରେ ବାଘକୁ ରଖାଯାଇଛି। ୱାଚରଙ୍କ ତତ୍ତ୍ବାବଧାନରେ ରଖାଯାଇଥିବା ବେଳେ ବାଘର ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଯାଉ ନଥିବାରୁ ସ୍ବାସ୍ଥ୍ୟାବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ସୂଚନାଯୋଗ୍ୟ ଯେ ଗତ ଦେଢ଼ମାସ ଧରି ମଣିଷଖିଆ ବାଘ ଉପରେ ବନବିଭାଗ କୌଣସି ପ୍ରକାର ଅଙ୍କୁଶ ଲଗାଇବାରେ ଫେଲ୍‌ ମାରିଥିଲା। ଶେଷରେ ଗତ ୧୬ତାରିଖ ଦିନ ଧରମବନ୍ଧା ସେକ୍ସନର ସିଲିଆରିବାହାରା ଜଙ୍ଗଲରେ ଅସୁସ୍ଥ ହେବା ପରେ ଗ୍ରାମବାସୀଙ୍କ ସହଯୋଗକ୍ରମେ ବନବିଭାଗ ଉଦ୍ଧାର କରିଥିଲା। ପରବର୍ତ୍ତି ସମୟରେ ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀମାନଙ୍କ ଚିକିତ୍ସା ପରେ ବାଘର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଦୁଇଦିନ ପରେ ବାଘ ପାଣି ସହ ଛେଳିମାଂସ ଖାଇଥିଲା। ହେଲେ ଠିକ୍‌ ଚାରିଦିନ ପରେ ବାଘ ପୁଣି ଦୁର୍ବଳ ହୋଇପଡ଼ିଥିଲା। ଝାଡ଼ାବାନ୍ତି ସହ ଥଣ୍ତାଜ୍ବର ହୋଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ବାଘର ଉତ୍ତମ ଚିକିତ୍ସା ସକାଶେ ବାହାରକୁ ପଠାଇବାକୁ ପ୍ରାଣୀ ଚିକିତ୍ସା ବିଭାଗ ପରାମର୍ଶ ଦେଇଥିଲା। ହେଲେ ଚାରି ଦିନ ପରେ ବି ବିଭାଗର ନିଦ ଭାଙ୍ଗୁ ନଥିବାରୁ ବାଘର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଘକୁ ସ୍ବତନ୍ତ୍ର ଅଭିଜ୍ଞ ଅଧିକାରୀ ଜଗି ରହିବା କଥା। ହେଲେ ଦିନରାତି ଜଣେ ଲେଖାଏଁ ୱାଚରଙ୍କୁ ଦାୟିତ୍ବ ଦିଆଯାଇଥିବା ଦେଖିବାକୁ ମିଳିଛି।

ବାଘ କେତେବେଳେ ଖାଉଛି, କେତେବେଳେ ପାଣି ପିଉଛି ଓ ତାରି ଅବସ୍ଥା କିପରି ରହୁଛି ସେ ଉପରେ ସେତେଟା ଅନୁଧ୍ୟାନ କରାଯାଉନଥିବା କୁହାଯାଉଛି। ପ୍ରାଣୀ ଚିକିତ୍ସା ବିଭାଗର ପରାମର୍ଶକ୍ରମେ ମାଂସ ଦିଆଯାଉଛି। ହେଲେ ଏହାକୁ ବିଭାଗର ଅନୁପସ୍ଥିତିରେ କେତେଜଣ ଚତୁର୍ଥ ଶ୍ରେଣୀ ବନ କର୍ମଚାରୀ ଦେଉଛନ୍ତି। କେତେ ମାଂସ ଏବଂ କେଉଁ ମାଂସ ଦିଆଯାଉଛି ସେ ଉପରେ କୌଣସି ପରୀକ୍ଷା କରାଯାଉ ନଥିବାରୁ ଏହା ବାଘର ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବାଘ ଯନ୍ତା ଭିତରେ ଥିଲେ ମଧ୍ୟ ଶିକାରୀମାନଙ୍କ ନଜର ଏହା ଉପରେ ରହିଥିବା ଶୁଣିବାକୁ ମିଳିଛି। କାର୍ଯ୍ୟାଳୟର ଏକ ପାର୍ଶ୍ବରେ ଯନ୍ତା ରଖାଯାଇଥିବା ବେଳେ ଜଗୁଆଳିମାନେ ଶହେ ମିଟର ଦୂରରେ ରହୁଛନ୍ତି। ତେଣୁ କେତେବେଳେ ଯେ ବାଘର ନଖ ସହ ନିଶକୁ କିଏ କାଟି ନେଇଯାଇପାରେ ବୋଲି ସନ୍ଦେହ ସୃଷ୍ଟି ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାଘର ସ୍ଥିତି ଉପରେ କୌଣସି ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଯାଉଥିଲେ ତାଙ୍କୁ କର୍ମଚାରୀମାନେ ଆମର ଚାକିରି ଚାଲିଯିବ ବୋଲି କହି ଘଉଡ଼ାଇ ଦେଉଛନ୍ତି। କୌଣସି ବି ତଥ୍ୟ ଦିଆଯାଉନାହିଁ। ଅଧିକାରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଫୋନ୍‌ କଲେ ମଧ୍ୟ ଉଠାଉ ନାହାନ୍ତି। ଏହା ଉପରେ ରେଞ୍ଜ ଅଧିକାରୀ ବିନିତା ଭୋଇଙ୍କୁ ପଚାରିବାରୁ ଏମିତି ହେବାକଥା ନୁହେଁ, ଏହା ଉପରେ ସେ ତଦନ୍ତ କରି ଦେଖିବେ ବୋଲି କହିଛନ୍ତି।