ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ରେଲୱେ ଷ୍ଟେସନରେ ମୁମ୍ବାଇ ଇମ୍ପେକ୍ଟ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରୀୟ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଚଳନ୍ତି ହସ୍ପିଟାଲ କୁହାଯାଉଥିବା ଲାଇଫ୍ଲାଇନ୍ ଏକ୍ସପ୍ରେସ୍ ଟ୍ରେନ ସାସ୍ଥ୍ୟସେବା ଶିବିର ଉଦ୍ଘାଟିତ ହୋଇଛି। ଇମ୍ପେକ୍ଟ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟୀ ଡା. ରୋହିଣୀ ଭି. ଚୋଗଲେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଖରିଆରରୋଡ଼ ଏନ୍ଏସି ଅଧ୍ୟକ୍ଷା ସୁନିତା ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡାଗା, କାଞ୍ଚନ ବେନ ରଶିକଲାଲ ଢୋଲକିଆ ଚେରିଟେବୁଲ ଟ୍ରଷ୍ଟ ପରିଚାଳକ ତଥା ବିଧାୟକ ପ୍ରତିନିଧ ଜୟ ଢୋଲକିଆ, ଡା. ରଂଜିତ ସିଂ ଛାବଡା, ବରିଷ୍ଠ ନାଗରିକ ସଂଘ ସଭାପତି ହାଲ୍ଲା ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ସୋମବାର ପ୍ରଥମ ଦିନରେ ଚକ୍ଷୁ ସମ୍ପର୍କିତ ରୋଗୀଙ୍କ ସାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାର ୪୩୫ ଜଣ ରୋଗୀଙ୍କ ପଞ୍ଜିକରଣ କରାଯାଇ ଚିକିତ୍ସିତ କରାଯାଇଥିଲା। ସେଥିରୁ ୯୦ ଜଣ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିବା ବେଳେ ମଙ୍ଗଳବାର ଅସ୍ତ୍ରୋପଚାର କରାଯିବାକୁ ସୂଚନା ଦିଆଯାଇଛି। ଚକ୍ଷୁ ବିଶେଷଜ୍ଞ ଡା. ରାଜୁ ମୁସ୍କାଡ, ଡା. ସରସ ଜୈନ, ଡା. ନିତା ଡୋଗୱାଡ, ଡା. ସ୍ମିତା ଜୋଗଲେ ପ୍ରମୁଖ ଯୋଗଦେଇ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କାଞ୍ଚନ ବେନ ରଶିକଲାଲ ଢୋଲକିଆ ଚେରିଟେବୁଲ ଟ୍ରଷ୍ଟ ଓ ଖରିଆରରୋଡ ସେବା ସମିତି ସଦସ୍ୟ ଶିବିର ପରିଚାଳନାରେ ସହଯୋଗ କରୁଛନ୍ତି।