ସମ୍ବଲପୁର: ପୁନଃସଂପାଦନା ତଥା ସାମାନ୍ୟ ତଥ୍ୟଗତ ପରିବର୍ତ୍ତନ ପରେ ମାଁ ସମଲେଶ୍ବରୀ ମନ୍ଦିର ଲାଇଟ୍ ଓ ସାଉଣ୍ଡ ସୋ’ ପୁଣିଥରେ ପ୍ରଦର୍ଶିତ ହୋଇଛି। ସୋମବାର ସଂଧ୍ୟା ୭ଟାରେ ମନ୍ଦିର ପରିସରରେ ଏହି ସୋ’ ପରୀକ୍ଷାମୂଳକ ଭାବେ ପ୍ରଦର୍ଶନ କରା ଯାଇଥିଲା। ଜିଲ୍ଲା ପ୍ରଶାସନର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ସହରର ବୁଦ୍ଧିଜୀବୀ ଓ କିଛି ସ୍ଥାନୀୟ ଲୋକ ଉପସ୍ଥିତ ରହି ସୋ’ ଦେଖିଥିଲେ। ପୂର୍ବଥର ଭଳି ଏହି ସୋ’କୁ ୩୭ ମିନିଟ୍ ରଖାଯାଇଛି। କିନ୍ତୁ ଭିଡିଓ କାଣ୍ଟଛାଟ କରା ଯାଇଥିବାବେଳେ ସେହି ସ୍ଥାନ ଗୁଡ଼ିକରେ ଉପଯୁକ୍ତ ଗ୍ରାଫିକ୍ ଯୋଡ଼ା ନହେବା କାରଣରୁ ଏହା କେତେକ ସ୍ଥାନରେ ଖାପ୍ଛଡ଼ା ମନେ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷ କରି ନୂଆଁଖାଇ ସଂପର୍କରେ ବର୍ଣ୍ଣନା ଓ ଗୀତ ବେଳେ ମନ୍ଦିର ଉପରେ କୌଣସି ଦୃଶ୍ୟଚିତ୍ର (ଭିଜୁଆଲ) ଦେଖିବାକୁ ମିଳୁ ନାହିଁ। ଏହି ସମୟରେ ସମ୍ବଲପୁରୀ ନୃତ୍ୟର ଅଭାବ ପରିଲକ୍ଷିତ ହୋଇଥିଲା। ସେହିପରି ଏହି ଚିତ୍ର କାହାଣୀରୁ ବିବାଦୀୟ ମୋଗଲ ଓ ମରହଟ୍ଟା ଅଂଶ ସମେତ ପଶ୍ଚିମ ଓଡ଼ିଶାର କିଛି ପର୍ଯ୍ୟଟନସ୍ଥଳ ଓ ପର୍ବପର୍ବାଣିକୁ ମଧ୍ୟ ବାଦ ଦିଆଯାଇଛି ଯାହା ମୂଳ କଥାଚିତ୍ରରେ ଥିଲା। ଏହା ସତ୍ତ୍ବେ ୩୭ ମିନିଟ୍ ବିଶିଷ୍ଟ ଏହି ଲାଇଟ୍ ସାଉଣ୍ଡ ସୋ’ଟି ନିଆରା ଓ ଆକର୍ଷଣୀୟ ହୋଇପାରିଛି।
ଏହା ସମ୍ବଲପୁରର ଇତିହାସ, ଐତିହ୍ୟ, କଳା, ସଂସ୍କୃତି, ଆଧ୍ୟାତ୍ମିକତା, କୃଷି, ଲୋକ ପରଂପରା ଉପରେ ଆଧାରିତ ହୋଇଥିଲାବେଳେ ଏହାର କଥାବସ୍ତୁ, ରଂଗିନ ଆଲୁଅ, ଶବ୍ଦ ଆଦି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି। ଏଥିରେ ସମ୍ବଳିକା ସଂପର୍କରେ ଗ୍ରିକ୍ ଦାର୍ଶନିକ ଟଲେମିଙ୍କ ଉଲ୍ଲେଖଠାରୁ ଆରମ୍ଭ କରି ଚୌହାନ ବଂଶର ଆଗମନ, ବଳରାମ ଦେବଙ୍କ ଦ୍ବାରା ସମଲେଶ୍ବରୀ ମନ୍ଦିର ନିର୍ମାଣ ଓ ସମ୍ବଲପୁର ନଗରର ସ୍ଥାପନା, ବ୍ରିଟିସ୍ ରାଜ୍, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଆଦି ବିଭିନ୍ନ ଐତିହାସିକ କଥାବସ୍ତୁ ସ୍ଥାନିତ ହୋଇଛି। ମାଁ ସମଲେଶ୍ବରୀଙ୍କ ପୂଜାବିଧି, ନୂଆଁଖାଇ, ହୀରାକୁଦର ହୀରା, ହୀରାକୁଦ ବନ୍ଧ ନିର୍ମାଣ ତଥା ଏ ଅଞ୍ଚଳର ଚାଷ, ଚଳଣି ଓ ପରଂପରା ମଧ୍ୟ ସ୍ଥାନ ପାଇଛି। ୩୭ ମିନିଟ୍ର ଏହି ସୋ’ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ଅଧ୍ୟାପକମାନଙ୍କ ଗବେଷଣାତ୍ମକ ତଥ୍ୟକୁ ରୂପ ଦେବାକୁ ପ୍ରୟାସ କରାଯାଇଛି। ଲୋକ କବି ହଳଧର ନାଗଙ୍କ କବିତା ଓ ପଙ୍କଜ ଜାଲଙ୍କ ସଙ୍ଗୀତ ଏହାକୁ ଅଧିକ ଆକର୍ଷଣୀୟ କରିଛି।
ମଙ୍ଗଳବାରଠାରୁ ଜନ ସାଧାରଣ ଟିକଟ୍ କିଣି ଏହି ସୋ’ ଉପଭୋଗ କରିପାରିବେ। ଟିକଟ୍ ମୂଲ୍ୟ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ୩୦ ଟଙ୍କା ଓ ଅନ୍ୟ ସମସ୍ତଙ୍କ ପାଇଁ ୫୦ ଟଙ୍କା ରଖାଯାଇଛି। ସଂଧ୍ୟା ୫ଟାରୁ ମନ୍ଦିରରେ ଟିକଟ୍ ଉପଲବ୍ଧ ହେବ। ସଂଧ୍ୟା ୭ଟାରୁ ୭ଟା ୪୦ ପର୍ଯ୍ୟନ୍ତ ସୋ’ ଚାଲିବ। ଗୋଟିଏ ସୋ’ ୨୦୦ ଜଣ ଦର୍ଶକ ଦେଖି ପାରିବେ। ଯଦି ଅଧିକ ଚାହିଦା ହେବ ତା’ହେଲେ ଆଗାମୀ ଦିନରେ ଦିନକୁ ୨ଟି ଲେଖାଏଁ ସୋ’ କରାଯିବ ବୋଲି ଏହାର ପରିଚାଳନା ଦାୟିତ୍ବରେ ଥିବା ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ଦିନ ସୋ’ ବନ୍ଦ ରହିବ। ସୋ’ ପରିସରକୁ କୌଣସି ଖାଦ୍ୟ ପଦାର୍ଥ ନେବାକୁ ବାରଣ କରାଯାଇଛି। ସୋମବାର ପ୍ରଦର୍ଶନୀ ସୋ’ରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ, ସଦସ୍ୟ ପ୍ରଫୁଲ୍ଲ ହୋତା ପ୍ରମୁଖ ଉପସ୍ଥିତ ରହି ସୋ’ ଦେଖିଥିଲେ। ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୧ ତାରିଖ ନୂଆଁଖାଇ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭର୍ଚୁଆଲ ସୋ’ର ଉଦ୍ଘାଟନ କରିଥିଲେ। କିନ୍ତୁ କେତେକ ବିବାଦୀୟ ଦୃଶ୍ୟ କାରଣରୁ ଏହାର ବିରୋଧ ହୋଇଥିଲା। ଫଳରେ ଏହାକୁ ପୁନଃସଂପାଦିତ କରାଯାଇ ଏକାଧିକ ଦୃଶ୍ୟକୁ ବାଦ ଦିଆ ଯାଇଥିଲା। କରୋନା କାରଣରୁ ମଧ୍ୟ ଏହାର ଆରମ୍ଭ ବିଳମ୍ବିତ ହୋଇଥିଲା।