ପୁରୀ/କୋଣାର୍କ : ତ୍ରୁଟିଯୁକ୍ତ ଆଲୋକୀକରଣ ବ୍ୟବସ୍ଥା କୋଣାର୍କ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟକୁ ଅସୁନ୍ଦର କରୁଥିବା ନେଇ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅଭିଯୋଗ ପରେ ଶେଷରେ ଆଲୋକୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକଙ୍କ ଚିଠି ପରେ ସୋମବାରଠାରୁ ଏହି ପଦକ୍ଷେପ ନିଆଯାଇଛି। ପୁଣି ନୂ୍ଆ ଢଙ୍ଗରେ ଓ ନୂଆ ଶୈଳୀରେ ଆଲୋକୀକରଣ ବ୍ୟବସ୍ଥା କାମ କରିବାକୁ ପ୍ରତ୍ନତତ୍ତ୍ବ ବିଭାଗ ନିଷ୍ପତ୍ତି ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡି. ଗଡ଼ନାୟକ କହିଛନ୍ତି। ସେପଟେ ଟ୍ବିଟ୍ ହେବାର ପରଦିନ ପୂର୍ବତନ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କୁ ହଟାଇ ନୂଆ ଅଧୀକ୍ଷକ ଭାବେ ଶ୍ରୀ ଗଡ଼ନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ଶ୍ରୀ ମଲ୍ଲିକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ କି କାରୁକାର୍ଯ୍ୟ ଭରା କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶା ସ୍ଥାପତ୍ୟ କଳାର ନିଦର୍ଶନ। ଓଡ଼ିଶା ମାଟିର ଭାସ୍କର୍ଯ୍ୟ ଶିଳ୍ପର ଗରିମାକୁ ଏହା ପ୍ରତିପାଦିତ କରୁଛି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଆଲୋକୀକରଣ ଆଳରେ ଏହାର କାରୁକାର୍ଯ୍ୟ ତଥା ସୌନ୍ଦର୍ଯ୍ୟକୁ ବିକୃତ କରିବାରେ ଲାଗିଛି। ଏ ଦିଗରେ ତ୍ବରିତ ପଦକ୍ଷେପ ପାଇଁ ସେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ସୂର୍ଯ୍ୟମନ୍ଦିରର ଆଲୋକୀକରଣ ବେଳର ଫଟୋ ସହ ଟ୍ବିଟ୍ କରି ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଗୁରୁତ୍ବର ସହ ନେଇଛି। ଏ ସମ୍ପର୍କରେ ଅଧୀକ୍ଷକ ଶ୍ରୀ ଗଡ଼ନାୟକ ଗଣମାଧ୍ୟମକୁ କହିଛନ୍ତି, ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗରେ ସତ୍ୟତା ରହିଥିଲା। ଏହି ଆଲୋକୀକରଣ ଯୋଗୁ ସୂର୍ଯ୍ୟମନ୍ଦିର ଅତି ଅସୁନ୍ଦର ଦିଶୁଥିଲା। ଏଣୁ ଏହାକୁ ଆଜିଠାରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କୋଣାର୍କ ପ୍ରତ୍ନତତ୍ତ୍ବ କାର୍ଯ୍ୟାଳୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଲୋକ ବ୍ୟବସ୍ଥାକୁ ହଟାଯାଇ ନୂତନ ଶୈଳୀରେ ଅଧିକ ସୁନ୍ଦର ଦିଶିବା ଭଳି ଆଲୋକୀକରଣ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି।