ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ଚୂନ-ପ୍ଲାଷ୍ଟର, ପ୍ରତ୍ନତତ୍ତ୍ବ ବିଭାଗର ମରାମତି ନେଇ ଉଠିଲା ପ୍ରଶ୍ନ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଛି ଚୂନ-ପ୍ଲାଷ୍ଟର। ଶ୍ରୀମନ୍ଦିର ପୋଖରିଆ ଭିତରେ ଘଟିଛି ଏହି ଘଟଣା। ରତ୍ନ ସିଂହାସନ ପଛପାର୍ଶ୍ବ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପଛପାର୍ଶ୍ବ କାନ୍ଥରୁ ଏହି ଚୂନ-ପ୍ଲାଷ୍ଟର ଖସିଛି। ଏହା ଜଣାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ଆଜି ପ୍ରତ୍ନତତ୍ତ୍ବ ବିଭାଗ ଯନ୍ତ୍ରୀଙ୍କୁ ଅବଗତ କରିଛି। କେଉଁ ପରିସ୍ଥିତିରେ ଏହି ଚୂନ-ପ୍ଲାଷ୍ଟର ଖସିଲା, ତା’ ଉପରେ ପ୍ରତ୍ନତତ୍ତ୍ବ ବିଭାଗ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛି। ରତ୍ନ ସିଂହାସନ ପଛପାର୍ଶ୍ବ କାନ୍ଥରୁ ଚୂନ-ପ୍ଲାଷ୍ଟର ଖସିବା ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ଠିଆ କରିଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଯେ ଅବହେଳା ପ୍ରଦର୍ଶନ କରୁଛି, ଏଥିରୁ ଜଳଜଳ ଦିଶୁଛି ବୋଲି ଭକ୍ତ ଓ ସେବାୟତମାନେ ଅଭିଯୋଗ କରିଛନ୍ତି।

ସେପଟେ ଏହା ସେଭଳି ବଡ଼ ଘଟଣା ନୁହେଁ, ବୋଲି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ କହିଛନ୍ତି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ବି ଏହା ପଡ଼ିବାର ପ୍ରଶ୍ନ ଉଠୁନି ବୋଲି ବି କହିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି; ଯେହେତୁ ଶ୍ରୀଜିଉଙ୍କ ଉପରେ ବଡ଼ ଜାଲି ଲାଗିଛି ଓ ଚାନ୍ଦୁଆ ବନ୍ଧା ହୋଇଛି, କୌଣସି ପରିସ୍ଥିତିରେ ଶ୍ରୀଅଙ୍ଗରେ ଚୂନ ପ୍ଲାଷ୍ଟର ପଡ଼ିବାର ସମ୍ଭାବନା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଶ୍ରୀମନ୍ଦିର ପୋଖରିଆ ଭିତରେ ରତ୍ନ ସିଂହାସନ ପଛପାର୍ଶ୍ବରେ ଏହି ଚୂନ ପ୍ଲାଷ୍ଟର ପଡ଼ିଥିବା ଜଣାପଡ଼ିଥିଲା। ପରେ ଏହାକୁ ଗାରଦରେ ରଖାଯାଇଛି। ରଥଯାତ୍ରା ସମୟରେ ମରାମତି ବେଳେ ଗର୍ଭଗୃହ ସହ ଅନ୍ୟାନ୍ୟ ସ୍ଥାନରେ ଗ୍ୟାପ୍‌ ବନ୍ଦ କରିବା ପାଇଁ କାନ୍ଥରେ ଚୂନର ପ୍ରଲେପ ଦିଆଯାଇଥାଏ। ଯେହେତୁ ଗର୍ଭଗୃହରେ ଆର୍ଦ୍ର ପରିବେଶ ରହୁଛି, ସେହି ଦୃଷ୍ଟିରୁ ଚୂନ ପ୍ଲାଷ୍ଟର ଓଦାଳିଆ ଥିଲା। ଏଣୁ ଏହା କାନ୍ଥରୁ ଖସିପଡ଼ିଥିବା ଅନୁମାନ କରାଯାଉଛି ବୋଲି ଶ୍ରୀ ଜେନା କହିଛନ୍ତି।

ସେପଟେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ କହିଛନ୍ତି, ଚୂନର ଆକାର ୭ରୁ ୮ ଇଞ୍ଚ ଭିତରେ ଓ ଓଜନ ୭ ଶହ ଗ୍ରାମ ହେବ। ଏହା ସେଭଳି ବଡ଼ ଘଟଣା ନୁହେଁ। ‘ରଥଯାତ୍ରା ସମୟରେ ମାତ୍ର ୯ ଦିନ ଭିତରେ ସଂପୂର୍ଣ୍ଣ ଶ୍ରୀମନ୍ଦିରର ଆବଶ୍ୟକ ମରାମତି କରାଯାଇଥିଲା। ଗର୍ଭଗୃହରେ ପଥର ଉପରେ ଚୂନ ପ୍ରଲେପ ଦିଆଯାଇଥିଲା। ଏଣୁ ଯେଉଁ ସ୍ଥାନରୁ ପ୍ଲାଷ୍ଟର ଖସିଛି, ତାହା ବୋଧହୁଏ, ଠିକ୍‌ରେ ଲାଗି ନଥିଲା। ଗର୍ଭଗୃହ ବି ସର୍ବଦା ଆର୍ଦ୍ର ରହୁଥିବାରୁ ଯେଉଁ ଚୂନ ପ୍ରଲେପ ଦିଆଯାଉଛି, ତାହା ସହଜରେ ଶୁଖୁନି। ଏଣୁ ଏହା ଓଦାଳିଆ ହୋଇ ଖସିଥିବା ଅନୁମାନ କରାଯାଉଛି। ଏବେ ଦୈନନ୍ଦିନ ନୀତିକାନ୍ତି ଚାଲିଥିବାରୁ ଗର୍ଭଗୃହକୁ ଯିବା ବାରଣ ରହିଛି। ଆସନ୍ତା ରଥଯାତ୍ରା ସମୟରେ ଏହାର ଅନୁଧ୍ୟାନ ସହ ଆବଶ୍ୟକ ମରାମତି କରାଯିବ,’ ବୋଲି ପ୍ରତ୍ନତତ୍ତ୍ବ ଅଧିକାରୀ କହିଛନ୍ତି। ଏଥିସହିତ, ଏ ସଂପର୍କରେ ସେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର