କେନ୍ଦ୍ରାପଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ମହିଳାଙ୍କୁ ତଳେ ପକାଇ ଜଣେ ଵାର୍ଡସଭ୍ୟ ଓ ତାଙ୍କର ସହଯୋଗୀ ତଣ୍ଟି ଉପରେ ଚଢ଼ିଯିବା ସହ ଅର୍ଦ୍ଧନଗ୍ନ କରି ମାଡ଼ ମାରିବା ଓ ଟଣାଓଟରା କରିବାର ଭିଡିଓ ସାମାଜିକ ଗଣମାଧୢମରେ ଭାଇରାଲ୍‌ ହୋଇଛି। ଏହି ଘଟଣା କେନ୍ଦ୍ରାପଡ଼ା ବ୍ଲକ୍‌ କପିଳେଶ୍ବର ପଞ୍ଚାୟତର ସମଲସାହିରେ ଘଟିଛି। ଏ ନେଇ ସଦର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Advertisment

ଅର୍ଦ୍ଧନଗ୍ନ କରି ଘୋଷାରିବା ଭିଡିଓ ଭାଇରାଲ୍‌, ଥାନାରେ ମାମଲା

ସୂଚନାନୁଯାୟୀ, ସରସ୍ବତୀ ପୂଜା ଦିନ ଡିଜେ ବଜାଇବାକୁ ନେଇ ଵାର୍ଡସଭ୍ୟ ରଞ୍ଜନ ସ୍ବାଇଁ ଓ ବିଜୟ ଦାସଙ୍କ ପରିବାର ମଧୢରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଉଭୟପକ୍ଷ ଥାନାରେ ଏତଲା ଦେଇଥିଲେ। ଆଜି ଏହାର ଅପୋସ ସମାଧାନ ହେବାର ଥିଲା। କିନ୍ତୁ ବିବାଦ ସମାଧାନ ପୂର୍ବରୁ ଆଜି ପୁନର୍ବାର ଦୁଇପକ୍ଷ ମାରପିଟ୍‌ ହୋଇଥିଲେ। ଦିନ ପ୍ରାୟ ୧୦ଟାରେ ବିଜୟଙ୍କ ବୋହୂ ପ୍ରଭାତୀ ଦାସଙ୍କୁ ଵାର୍ଡସଭ୍ୟ ରଞ୍ଜନ ସ୍ବାଇଁ ଓ ନରହରି ସ୍ବାଇଁ ଘରୁ ଘୋଷାରି ଆଣି ତଳେ ପକାଇ ନିସ୍ତୁକ ମାଡ଼ ମାରିବା ସହିତ ଅର୍ଦ୍ଧନଗ୍ନ କରି ରାସ୍ତାରେ ଘୋଷାରିଥିଲେ। ଏଥିସହ ମହିଳାଙ୍କ ତଣ୍ଟି ଉପରେ ଜଣେ ଚଢ଼ିଯାଉଥିବାର ଭିଡିଓ ସାମାଜିକ ଗଣମାଧୢମରେ ଭାଇରାଲ୍‌ ହୋଇଛି। ଏ ନେଇ ପୀଡ଼ିତା ପ୍ରଭାତୀଙ୍କ ଝିଅ ଲକ୍ଷ୍ମୀପ୍ରିୟା ସଦର ଥାନାରେ ରଞ୍ଜନ, ନରହରିଙ୍କ ସମେତ ୧୦ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରଭାତୀ ତାଙ୍କ ଗୋଡ଼କୁ କାମୁଡ଼ି ଦେବାରୁ ଏଥିରୁ ବର୍ତ୍ତିବା ପାଇଁ ସେ ଏଭଳି କରିଥିବା ଦର୍ଶାଇ ରଞ୍ଜନ ଥାନାରେ ଅଭିଯୋଗ କରିଛନ୍ତି। ଉଭୟପକ୍ଷର ଅଭିଯୋଗ ଭିତ୍ତିରେ ଥାନାରେ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।