ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଡିଜି ଭି. ବିଦ୍ୟାବତୀ ଆଜି ମଧ୍ୟାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିର ଅନୁଧ୍ୟାନ କରିଛନ୍ତି। ଶ୍ରୀଲିଙ୍ଗରାଜଙ୍କ ଶକ୍ତିରେ ଫାଟ ଦେଖାଯିବା ସହ ଗର୍ଭଗୃହରେ ଶକ୍ତି ଚାରିପଟେ ସୁରକ୍ଷା ବାଡ଼ ନଥିବାରୁ ସେ ଉଦ୍ବେଗ ପ୍ରକାଶ କରିଥିଲେ। ଶ୍ରୀଲିଙ୍ଗରାଜଙ୍କ ଶକ୍ତି ଉପରେ ହୋଇଥିବା ଫାଟ ପାଇଁ ଏହାର ଚାରିପଟେ ପିତ୍ତଳ ବ୍ୟାରିକେଡ କରାଯିବା ନେଇ ଡିଜି ପ୍ରସ୍ତାବ ଦେଇଛନ୍ତି। ବେଢ଼ା ମଧ୍ୟରେ ବିଭିନ୍ନ ମନ୍ଦିରରେ ଚାଲିଥିବା ଚଟାଣ କାମ ଆସନ୍ତା ୨୮ ତାରିଖ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମଳିଛି।
ମନ୍ଦିର ବୁଲିବା ପରେ ସେ ଶୁକଶାରି ମନ୍ଦିର ପାର୍ଶ୍ବରେ ଚାଲିଥିବା ଖନନ କାର୍ଯ୍ୟ ଓ ଶ୍ରୀ ମୁକ୍ତେଶ୍ବର ମନ୍ଦିର ପରିସର ପରିଦର୍ଶନ କରିଥିଲେ। ମନ୍ଦିରର କଳାକୀର୍ତ୍ତିକୁ କିପରି ସୁରକ୍ଷିତ ରଖାଯିବ ସେନେଇ ଏଏସ୍ଆଇର ଓଡ଼ିଶା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆଜି ଏଏସଆଇ ଡିଜିଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର, ବିଏମ୍ସି କମିସନର ସଞ୍ଜୟ ସିଂହ, ଓବିସିସିର ବରିଷ୍ଠ ଅଧିକାରୀ ଜୟକୃଷ୍ଣ ଦାସ, ବିଏସସିଏଲର ଜିଏମ୍ କମଲଜିତ ଦାସ, ଭୁବନେଶ୍ୱର ଜୋନ୍ ଏଏସଆଇ ମୁଖ୍ୟ ଅରୁଣ ମଲ୍ଲିକ ଏବଂ ସେବାୟତମାନେ ଉପସ୍ଥିତ ଥିଲେ।