ବାହୁଡ଼ିବେ ମହାପ୍ରଭୁ: ସ୍ବାଗତ ଅପେକ୍ଷାରେ ରୁପାର ସିଂହଦ୍ବାର

ପୁରୀ: ବୁଧବାର ବାହୁଡ଼ିବେ ମହାବାହୁ। ଜୁଲାଇ ପହିଲାରେ ନୀଳକନ୍ଦରକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଏହା ପୂର୍ବରୁ ରୁପାର ସିଂହଦ୍ବାର ମହାବାହୁଙ୍କୁ ସ୍ବାଗତ ଅପେକ୍ଷାରେ ରହିଛି। ମହାପ୍ରଭୁ ଅଭିମାନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ମହାଲକ୍ଷ୍ମୀ ନୂଆ ରୁପାର ସିଂହଦ୍ବାର ଦେଇ ମହାପ୍ରଭୁଙ୍କୁ ପାଛୋଟି ନେବେ। ଏଥିପାଇଁ ସିଂହଦ୍ବାରର ରୁପା ଛାଉଣୀ କାମ ଜୋର୍‌ସୋର୍‌ରେ ଚାଲିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ସିଂହଦ୍ବାର ରୁପା ଛାଉଣୀ କାମ ଇତିମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ରୁପା ଛାଉଣୀ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଗତକାଲି ନବନିର୍ମିତ ସିଂହଦ୍ବାର କବାଟ ଉପରେ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଲଗା କାମ ଆରମ୍ଭ ହୋଇଥିଲା। ଆଜି ବର୍ଗାକାର ରୁପା ପ୍ଲେଟ୍‌ ସବୁ ଦୁଇ କବାଟରେ ଲାଗୁଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସିଂହଦ୍ବାର ସମ୍ପୂର୍ଣ୍ଣ ଭାବେ ନୂ୍ଆ ତିଆରି କରାଯାଇଛି। ପୁରୁଣା ଦ୍ବାରକୁ ହଟାଇ ଶାଗୁଆନ କାଠରେ ନବନିର୍ମିତ ଦ୍ବାର ଲଗାଯାଇଛି। ମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ବର୍ମା ଶାଗୁଆନ କାଠରେ ଏହି ଦ୍ବାର ନିର୍ମାଣ କରିଛନ୍ତି। ଗତ ୨୫ ତାରିଖ ବିଳମ୍ବିତ ରାତିରେ ନୂଆ ଦ୍ବାର ଲାଗିବା ପରେ ଗତକାଲିଠାରୁ ଏହା ଉପରେ ରୁପା ଲାଗିବା କାମ ଆରମ୍ଭ ହୋଇଥିଲା। ମୁମ୍ବାଇରୁ ଆସିଥିବା ରୁପା ଝଳେଇ କାରିଗରମାନେ ସ୍ବତନ୍ତ୍ର ଶୈଳୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ରୁପା ନୂଆ କବାଟର ବିଭିନ୍ନ ଅଂଶରେ କଣ୍ଟା ବାଡ଼େଇ ସଂଯୋଗ କରିଥିଲେ। ଏବେ ରୁପାର ବର୍ଗାକାର ପ୍ଲେଟ୍‌ ସବୁ ଏହା ଉପରେ ସଂଯୋଗ କାମ ଜାରି ରହିଛି। ଯେଉଁଥିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ସହ ଦୁଇ ସିଂହ ମୂର୍ତ୍ତି ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ରହିଛି।

ସମ୍ବନ୍ଧିତ ଖବର