ସ୍ବୟମରେ ୮୨ ୟୁଜି ଓ ୪୨ ପିଜି ପାଠ୍ୟକ୍ରମ ତାଲିକା ଜାରି
ଭୁବନେଶ୍ବର: ଦେଶରେ ଥିବା ବିଶ୍ବବିଦ୍ୟାଳୟ ଓ ଏହା ଅଧୀନରେ ଥିବା ମହାବିଦ୍ୟାଳୟରେ ପଞ୍ଜୀକୃତ ଛାତ୍ରଛାତ୍ରୀ ସ୍ବୟମ ପାଠ୍ୟକ୍ରମ ଆରମ୍ଭ କରିପାରିବେ। ଅନ୍ ଲାଇନ୍ ଲର୍ଣ୍ଣିଂ କୋର୍ସ ପାଇଁ ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗ(ୟୁଜିସି) କ୍ରେଡିଟ ଫ୍ରେମଓ୍ବର୍କରେ ବର୍ତ୍ତମାନର ନିୟମ ଅନୁରୂପ ଏହି ପାଠ୍ୟକ୍ରମଗୁଡ଼ିକୁ ସମ୍ପୂର୍ଣ୍ଣ କରି କ୍ରେଡିଟ୍ର ଲାଭ ଉଠାଇପାରିବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି ଯେ ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ୮୨ଟି ସ୍ନାତକ(ୟୁଜି) ଓ ୪୨ଟି ସ୍ନାତକୋତ୍ତର(ପିଜି) ଅଣ-ଇଞ୍ଜିନିୟରିଂ ଏମ୍ଓଓସି ପାଠ୍ୟକ୍ରମର ଏକ ତାଲିକା ଜାରି କରାଯାଇଛି। ଯାହାର ଉପସ୍ଥାପନା ସ୍ବୟମ ପ୍ଲାଟଫର୍ମ ‘www.swayam.gov.in <http://www.swayam.gov.in> ‘ ରେ ଜୁଲାଇ, ୨୦୨୦ ସେମିଷ୍ଟରରେ କରାଯିବ। ଏହି ପାଠ୍ୟକ୍ରମରେ ବାୟୋକେମିଷ୍ଟ୍ରି, ବାୟୋ-ଟେକ୍ନୋଲୋଜି, ବାୟୋଲୋଜିକାଲ ସାଇନ୍ସ, ବାୟୋ ଇଞ୍ଜିନିୟରିଂ, ଶିକ୍ଷା, ଆଇନ, କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ, ବାଣିଜ୍ୟ, ପ୍ରବନ୍ଧନ, ଫାର୍ମାସି, ଗଣିତ, ଇତିହାସ, ହିନ୍ଦୀ, ସଂସ୍କୃତ ଆଦି ବିଷୟ ସାମିଲ ରହିଛି। କୋଭିଡ୍-୧୯ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଛାତ୍ରଛାତ୍ରୀ, ଶିକ୍ଷକ, ଆଜୀବନ ଶିକ୍ଷାଲାଭ କରିବାକୁ ଚାହୁଁଥିବା ବରିଷ୍ଠ ନାଗରିକ ଓ ଗୃହିଣୀମାନେ ମଧ୍ୟ ଏଥିରେ ନାମ ପଞ୍ଜୀକରଣ କରିପାରିବେ। ସ୍ବୟମ(ଯୁବ ଆକାଂକ୍ଷୀ ମସ୍ତିଷ୍କ ଲାଗି ଆକ୍ଟିଭ ଲର୍ଣ୍ଣିଂ ଷ୍ଟଡି ୱେବ୍) କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏକ କାର୍ଯ୍ୟକ୍ରମ, ଯାହାର ରୂପରେଖ ତିନୋଟି ମୌଳିକ ସିଦ୍ଧାନ୍ତ ଅର୍ଥାତ ପ୍ରସାର, ନିରପେକ୍ଷତା ଏବଂ ଗୁଣବତ୍ତା ଉପରେ ଆଧାରିତ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।