ଲମ୍ବିଚାଲିଛି କୁବେର ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ସମ୍ପତ୍ତି ତାଲିକା

ସରକାରୀ ବାସଭବନରୁ ମିଳିଲା ନଗଦ ୧.୯୮ ଲକ୍ଷ

ଉଦଳା-୧: ଭିଜିଲାନ୍ସ ଫାଶରେ ପଡ଼ିଥିବା ମୟୂରଭଞ୍ଜ ଜିଲ୍ଲା ଉଦଳା ଆରଡବ୍ଲୁଏସ୍ଏସ୍‌ର ସହକାରୀ ନିର୍ବାହୀଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ସମ୍ପତ୍ତି ତାଲିକା ଲମ୍ବି ଚାଲିଛି। ଗତକାଲି ଭୁବନେଶ୍ବର, କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜର ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ କରି କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ତାଙ୍କ ରାଜକୀୟ ଜୀବନଶୈଳୀ ଦେଖି ଭିଜିଲାନ୍ସ ବି କାବା ହୋଇ ଯାଇଥିଲା।
ତେବେ ଉଦଳାରେ ଥିବା ତାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ତାଲା ପଡ଼ିଥିବାରୁ ଏଠାକୁ ଆସିଥିବା ଭିଜିଲାନ୍ସ ଟିମ୍‌ ତଦନ୍ତ କରି ପାରିନଥିଲା।

ଆଜି ସକାଳେ ଏକ ବୋଲେରୋ ଗାଡ଼ିରେ ଶ୍ରୀ ପଣ୍ଡାଙ୍କୁ ନେଇ ଉଦଳାରେ ପହଞ୍ଚିଥିଲା ଭିଜିଲାନ୍ସର ଅନ୍ୟ ଏକ ଟିମ୍‌। ପ୍ରଥମେ ତାଙ୍କ ସରକାରୀ ବାସଭବନରେ ଚଢ଼ଉ କରାଯିବାବେଳେ ସେଠାରୁ ନଗଦ ୧ ଲକ୍ଷ ୯୮ ହଜାର ଟଙ୍କା ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା। ପରେ ତାଙ୍କୁ ନେଇ ସରକାରୀ କାର୍ଯ୍ୟାଳୟରେ ଯାଞ୍ଚ୍‌ କରାଯାଇଥିଲା। ସେଠାରୁ ଛାନ୍‌ଭିନ୍‌ କରି ଦିନ ପ୍ରାୟ ୧୧ଟା ବେଳେ ଭିଜିଲାନ୍ସ ଟିମ୍‌ ଉଦଳାରୁ କଟକ କାର୍ଯ୍ୟାଳୟ ଅଭିମୁଖେ ବାହରି ଯାଇଥିଲା। ଗଲାବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନକୁ ଯନ୍ତ୍ରୀ ଶ୍ରୀ ପଣ୍ଡା ଏଡ଼ାଇ ଯାଇଥିଲେ।

ସମ୍ବନ୍ଧିତ ଖବର