ବ୍ରହ୍ମପୁର : ଯେତେ ଖୋଳିଲେ ସେତେ ବାହାରୁଛି। ଗୋଟିଏ ପରେ ଗୋଟିଏ ବ୍ଲକ୍‌ରୁ ମାଳ ମାଳ ନକଲି ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ଆସୁଛି। ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଏହା ତଦନ୍ତ ଜାରି ରଖିଛି। ଗଞ୍ଜାମ ଜିଲ୍ଲାରେ ଏବେ ଜାଲ୍‌ ଶିକ୍ଷକଙ୍କ ତାଲିକା ବଢ଼ି ୪୪୧ରେ ପହଞ୍ଚି ସାରିଲାଣି। ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି ହାତେଇ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୪୭ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା କରାଯାଇଛି। ସେପଟେ ୯୬ଜଣ ଜାଲ୍‌ ଶିକ୍ଷକଙ୍କ ବିରୋଧରେ ଶିକ୍ଷା ବିଭାଗ ତରଫରୁ ଥାନାରେ ଏତଲା ଦିଆଯାଇଛି। ତନ୍ମଧ୍ୟରୁ କିଛି ଶିକ୍ଷକ ଗିରଫ ହୋଇ ସାରିଥିବା ବେଳେ ଆଉ କେତେଜଣ ଫେରାର୍‌ ରହିଛନ୍ତି।

Advertisment

ଗଞ୍ଜାମ ଜିଲ୍ଲାରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଦେଇ ଶହଶହ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ୨୦୧୯ ଅକ୍ଟୋବର ମାସରେ ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଶିକ୍ଷା ବିଭାଗ ତରଫରୁ ଲୋକ ଦେଖାଣିଆ ତଦନ୍ତ କରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ପରେ କିଛି ସୂଚନା ଅଧିକାର କର୍ମୀ ଆର୍‌ଟିଆଇ ବଳରେ ଶିକ୍ଷା ବିଭାଗକୁ ତଥ୍ୟ ମାଗିବା ପରେ ପୁଣିଥରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ୨୦୨୦ରେ ଅଲ୍‌ ଇଣ୍ଡିଆ ଫର୍‌ୱାର୍ଡ଼ ବ୍ଲକ୍‌ ଏବଂ ଅଲ୍‌ ଇଣ୍ଡିଆ ୟୁଥ୍‌ ଲିଗ୍‌ ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଭିନ୍ନ ବ୍ଲକରେ ୧୬୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଏହାପରେ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ପିଟିସନ୍‌ ଦାଖଲ କରି ଆହୁରି ୧୧୫ଜଣ ଜାଲ୍‌ ଶିକ୍ଷକ ଜିଲ୍ଲାର ବିଭିନ୍ନ ସ୍କୁଲରେ ଚାକିରି କରୁଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

୩୧୧ ଜଣଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ଚାଲିଛି
କବିସୂର୍ଯ୍ୟନଗରରେ ସର୍ବାଧିକ ୯୦

publive-image

ଜିଲ୍ଲା ଶିକ୍ଷା ଅଧିକାରୀ ବିଇଓମାନଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ନକଲ ମଗାଇଛନ୍ତି। ପର୍ଯ୍ୟାୟ କ୍ରମେ ବିଇଓମାନେ ଶିକ୍ଷକଙ୍କ ମାର୍କସିଟ୍‌ ଓ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରି ତାହା ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଦାଖଲ କରୁଛନ୍ତି। ଗତବର୍ଷ ଗଞ୍ଜାମ ଜିଲ୍ଲାର ମୋଟ ୩୪୭ଜଣ ଶିକ୍ଷକଙ୍କ ନାମରେ ଜାଲ୍‌ ଶିକ୍ଷା ପ୍ରମାଣପତ୍ର (ସିଟି, ବିଇଡି, ଯୁକ୍ତଦୁଇ) ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଏବେ ଏହି ତାଲିକା ବଢ଼ି ୪୪୧ରେ ପହଞ୍ଚିଛି। ସାର୍ଟିଫିକେଟ୍‌ର ନକଲ ପ୍ରଦାନ କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟକୁ ଚିଠି ଲେଖାଯାଇଛି। ସେହିପରି ବାହାର ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ମଧ୍ୟ ବିଇଡି କରି ଗଞ୍ଜାମ ଜିଲ୍ଲାରେ ବହୁ ଶିକ୍ଷକ ଶିକ୍ଷକତା କରୁଛନ୍ତି। ସେମାନଙ୍କର ସାର୍ଟିଫିକେଟ୍‌ ମଧ୍ୟ ଯାଞ୍ଚ କରାଯାଉଛି। କିନ୍ତୁ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଶିକ୍ଷା ପ୍ରମାଣପତ୍ର ନକଲ ଦାଖଲରେ ବିଳମ୍ବ କରୁଥିବାରୁ ଯାଞ୍ଚ ପ୍ରକ୍ରିୟା ଆଗେଇ ପାରୁ ନାହିଁ।

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ୍‌ର ସର୍ବାଧିକ ୯୦ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ ବେଗୁନିଆପଡ଼ାର ୪୫, ଆସିକାର ୩୬, ବେଲଗୁଣ୍ଠାର ୧୯, ବୁଗୁଡ଼ାର ୫, ଛତ୍ରପୁରର ୨୯, ଧରାକୋଟର ୨୩, ଗଞ୍ଜାମର ୬, ହିଂଜିଳିକାଟୁର ୨୬, ଜଗନ୍ନାଥପ୍ରସାଦର ୨, ଖଲ୍ଲିକୋଟର ୨୪, କୁକୁଡ଼ାଖଣ୍ଡିର ୨୧, ପାତ୍ରପୁରର ୧୨, ପୋଲସରାର ୩୦, ପୁରୁଷୋତ୍ତମପୁରର ୬, ରଂଗେଇଲୁଣ୍ଡାର ୨୨, ଶେରଗଡ଼ର ୨୨ ଓ ସୋରଡ଼ା ବ୍ଲକ୍‌ର ୨୩ଜଣ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଛି। ମୋଟ ୪୪୧ଜଣ ଶିକ୍ଷକଙ୍କ ମଧ୍ୟରୁ ଏବେ ୩୧୧ଜଣଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ ଚାଲିଛି।