ରାଉରକେଲା: ରାଉରକେଲାରେ ଜିଏସଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ନିରୀହ, ଗରିବ ଓ ବେରୋଜଗାରଙ୍କୁ ମୋହରା ବନେଇ କିଭଳି କୋଟି କୋଟି ଟଙ୍କା ସରକାରୀ ରାଜସ୍ୱକୁ ହଡପ କରାଯାଉଛି, ତାର ଜ୍ୱଳନ୍ତ ଉଦାହରଣ ହେଉଛି ଇସ୍ପାତନଗରୀରୁ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ ମାମଲା । ସହରରେ ଜିଏସଟି ଠକେଇ ମାମଲାର ତାଲିକା ଲମ୍ବି ଲମ୍ବି ଚାଲିଥିବା ବେଳେ ଏବେ ସେଥିରେ ଜଣେ ପରିବା ବିକ୍ରେତାଙ୍କ ନାଁ ଯୋଡ଼ି ହୋଇଯାଇଛି ।
ରାସ୍ତାକଡ଼ରେ ଏକ ଛୋଟିଆ ଗୁମୁଟିରେ ପରିବା ବିକି ଗୁଜରାଣ ମେଣ୍ଟାଉଥିବା କାର୍ତ୍ତିକ କାମିଲା ନାମକ ଏହି ପରିବା ବିକ୍ରେତାଙ୍କ ନାଁରେ ଜିଏସଟି ଠକେଇ ହୋଇଛି । ଏନେଇ ବ୍ୟବସାୟୀଙ୍କୁ ଜିଏସଟି କର୍ତ୍ତୃପକ୍ଷଙ୍କ ନୋଟିସ ବି ଆସିଛି । ଉକ୍ତ ବ୍ୟବସାୟୀଙ୍କୁ କୋଏଲନଗର ସି ବ୍ଲକ ସ୍ଥିତ ମାର୍କେଟ କମ୍ପେକ୍ସର ମାଲିକ ଦର୍ଶାଇ ଲିଙ୍ଗରାଜ ଟ୍ରେଡ଼ିଂ ନାମକ ଜାଲ ବ୍ୟବସାୟିକ ସଂସ୍ଥା ପ୍ରାୟ ୧୧୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି ।
ଇନପୁଟ ଟ୍ୟାକ୍ସ କେଡ୍ରିଟ ବାବଦକୁ ଜାଲ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୧୦ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ମଧ୍ୟ ଅଭିଯୋଗ ହୋଇଛି। କିନ୍ତୁ ଉକ୍ତ କ୍ଷୁଦ୍ର ବ୍ୟବସାୟୀଜଣଙ୍କ ସେହି ମାର୍କେଟ କମ୍ପେକ୍ସର ମାଲିକ ନଥିବା ଜଣାପଡ଼ିଛି। ପୂର୍ବରୁ ଦିନ ମଜୁରିଆ, ରାସ୍ତାକଡ଼ରେ ଥିବା ଜଳଖିଆ ଦୋକାନୀ, ଗୁପଚୁପ ବିକ୍ରେତା, ଅଟୋ ଡ୍ରାଇଭର, ଠିକା ଶ୍ରମିକ, ଗୃହିଣୀ, କଲେଜ ପଢ଼ୁଆ ଛାତ୍ରଙ୍କ ନାଁ ଠକେଇ ହୋଇଥିବା ବେଳେ ଏବେ ପରିବା ବିକ୍ରେତାଙ୍କ ନାଁରେ ଜିଏସଟି ଠକେଇ ମାମଲା ।
ରାଉରକେଲାରେ ପରିବା ବିକ୍ରେତାଙ୍କ ନାଁରେ ୧୧୦ କୋଟି ଟଙ୍କାର ଜିଏସଟି ଠକେଇ
/sambad/media/post_attachments/wp-content/uploads/2020/12/GST-Notice-to-Fruit-Street-Vendor_Thumbnail.jpg)