କଟକ: ଆଠଗଡ଼ ବନଖଣ୍ଡରୁ ଲୋପ ପାଇଯ‌ିବେ ହାତୀ। ଦୁଇ ବର୍ଷରେ ୧୯ ହାତୀଙ୍କ ମୃତ୍ୟୁ  ଯୋଗୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ହାତୀ ସୁରକ୍ଷା ନେଇ କାଗଜପତ୍ରରେ ଯୋଜନା ଚାଲିଥିବା ବେଳେ ବାସ୍ତବକ୍ଷେତ୍ରରେ ସମନ୍ବୟ ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜଙ୍ଗଲରେ ଗୋଟିଏ ପଟେ ଶିକାରୀ ହାତୀଙ୍କ ପାଇଁ ବିପଦ ହୋଇଥିବା ବେଳେ ଅନ୍ୟପଟେ ଜନବସତିମୁହାଁ ହାତୀପଲଙ୍କ ପାଇଁ ବାମ୍ଫି, ବିଦ୍ୟୁତ୍‌ ତାର ଘାତକ ହେଉଛି। 

Advertisment

ଆଠଗଡ଼ ଉପଖଣ୍ଡ ହାତୀଙ୍କ ପାଇଁ ଏକ ସୁରକ୍ଷିତ ଯାତାୟାତ ସ୍ଥଳ(ପାସିଙ୍ଗ ୱେ) ଭାବେ ବିବେଚନା କରାଯାଏ। ଗୋଟିଏ ପଟେ ମହାନଦୀ ଓ ଅନ୍ୟପଟେ ଜଙ୍ଗଲ ହାତୀଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳ ଭାବେ ପରିଗଣିତ ହୁଏ। ଚନ୍ଦକା, କପିଳାସ, ଡମପଡ଼ଶ ଅଭୟାରଣ୍ୟ, ଢେଙ୍କାନାଳର ହାତୀପଲ ଆଠଗଡ଼ ବନଖଣ୍ଡ ଦେଇ ବାଙ୍କୀ, ଦେବୀଦ୍ବାର, ଚନ୍ଦକା, ଡମପଡ଼ାକୁ ଆସୁଥିବାବେଳେ ଏପଟେ କପିଳାସ ହାତୀ ବି ଖୁଣ୍ଟୁଣୀ, ଟାଙ୍ଗୀ-ଚୌଦ୍ବାର ଅଞ୍ଚଳକୁ ଯାତାୟାତ କରନ୍ତି। ଢେଙ୍କାନାଳ, ଅନୁଗୁଳ ଓ ସାତକୋଶିଆ ହାତୀ ମଧ୍ୟ ନରସିଂହପୁର, ବଡ଼ମ୍ବାକୁ ଚଳାଚଳ କରୁଛନ୍ତି। ଏହି ଅଞ୍ଚଳର ଜଙ୍ଗଲରେ ଶତାଧିକ ପୋଖରୀ, ଜଳଉତ୍ସ ହାତୀଙ୍କ ପାଇଁ ଉପଯୋଗୀ ହୋଇଥାଏ। ହାତୀଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା ହାତକୁ ନିଆଯାଉଥିଲେ ବି ଅନେକ ସମୟରେ ତାହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠୁଛି। ପୂର୍ବରୁ ଆରମ୍ଭ ହୋଇଥିବା ଗଜ ସାଥୀ ଯୋଜନାର ଅବଧି ଇତିମଧ୍ୟରେ ସରିଯାଇଛି। ଏପଟେ ଜଙ୍ଗଲ ବିଭାଗରେ କ୍ଷେତ୍ର କର୍ମଚାରୀ ଅର୍ଥାତ୍‌ ଫରେଷ୍ଟ ଗାର୍ଡ ପଦ ୫୫ ପ୍ରତିଶତ ଖାଲି ପଡ଼ିଛି। ଜଙ୍ଗଲରେ ଖାଦ୍ୟଭାବ ସମସ୍ୟା, ବିଭିନ୍ନ ପ୍ରକାର ନିର୍ମାଣ ବିଶେଷ କରି ହାତୀ ଚଲାପଥଗୁଡିକରେ ବେଆଇନ ଭାବେ ବିଭିନ୍ନ ନିର୍ମାଣ କରାଯାଉଥିବାରୁ ହାତୀଙ୍କ ସୁରକ୍ଷିତ ଚଳାଚଳ ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ହାତୀ ବାଟ ବଦଳାଉଥିବାରୁ ତାହା ସେମାନଙ୍କ ପାଇଁ ବିପଦ ଡାକି ଆଣୁଛି।

ଆଠଗଡ଼ ବନଖଣ୍ଡରେ ନିକଟରେ ହୋଇଥିବା ଗଣନା ଅନୁସାରେ ୧୮୦ ହାତୀ ଥିବାବେଳେ ହାରାହାରି ଭାବେ ଦେଢ଼ଶହରୁ ଦୁଇଶହ ହାତୀ ଚଳାଚଳ କରୁଛନ୍ତି। ହାତୀଙ୍କ ଗତିବିଧି ନିରୀକ୍ଷଣ ପାଇଁ ସ୍କ୍ବାଡ୍‌ ଓ ଜିପିଆରଏସ୍‌ ମାଧ୍ୟମ ଉପରେ ନିର୍ଭର କରିବାକୁ ପଡୁଛି। ଆଠଗଡ଼ ବନଖଣ୍ଡରେ ଶିକାରୀ, ମାଫିଆ ସବୁବେଳେ ହାତୀଙ୍କ ଗତିବିଧି ଉପରେ ନଜର ରଖୁଥିବା ବେଳେ ୩ଦିନ ତଳେ ଆଠଗଡ଼ ରେଞ୍ଜର କ୍ରସର ପଡ଼ିଆଠାରେ ବିଦ୍ୟୁତ୍‌ ଲାଗି ଏକ ଦନ୍ତା ହାତୀର ଜୀବନ ଚାଲିଯାଇଥିଲା। ଏପଟେ ଗତକାଲି ଏକ ବାମ୍ଫିରୁ ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଫେବ୍ରୁଆରି ମାସରେ ବଡ଼ମ୍ବା ଓ ନରସିଂହପୁର ରେଞ୍ଜରେ ୨ଟି ଛୁଆ ହାତୀଙ୍କ ଗଳିତ ମୃତଦେହ ଠାବ କରାଯାଇଥିଲା। ଜାନୁଆରି ଓ ଫେବ୍ରୁଆରି ମାସରେ କେବଳ ବଡ଼ମ୍ବା ଓ ନରସିଂହପୁର‌ରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ବନବିଭାଗ ତଥ୍ୟ ଅନୁସାରେ ୨୦୨୩-୨୪ ଓ ୨୦୨୪-୨୫ରେ ଆଜି ସୁଦ୍ଧା ୧୯ ହାତୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି। ସେଥିରୁ ବିଦ୍ୟୁତ୍‌ ଆଘାତ, ଶିକାର ତଥା ରୋଗ କାରଣରୁ ହାତୀ ମୃତ୍ୟୁ ହୋଇଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।

ଆଠଗଡ଼ ବନଖଣ୍ଡ‌ରେ ୫ଟି ରେଞ୍ଜ ଓ ୩୭ଟି ସଂରକ୍ଷିତ ଜଙ୍ଗଲ‌ ରହିଥିବାବେଳେ କୌଣସିଠାରେ ବି ଲୋକଙ୍କୁ ହାତୀ ସୁରକ୍ଷା ପାଇଁ ସଚେତନ କରାଯାଉନି। ଏପଟେ ହାତୀ ବି ବ୍ୟାପକ ଫସଲ ନଷ୍ଟ କରୁଥିବାବେଳେ ତାର କ୍ଷୟକ୍ଷତି ଠିକ୍‌ଭାବେ ଆକଳନ କରାଯାଉନି କି ସେମାନଙ୍କୁ ସହାୟତା ମିଳୁନି। ଏଭଳି ସ୍ଥିତି ହାତୀ-ମଣିଷ ଲଢ଼େଇର କାରଣ ହେଉଛି। ଆଠଗଡ଼ ବନଖଣ୍ଡରେ ଏବେ ବି ପାଖାପାଖି ୧ ହଜାରରୁ ଅଧିକ ବାମ୍ଫି ଓ ପରିତ୍ୟକ୍ତ କୂଅ ହାତୀଙ୍କ ପାଇଁ ବିପଦ ସାଜିଛି। ଆଜି ସୁଦ୍ଧା ୫ଶହରୁ ଅଧିକ ବାମ୍ଫିକୁ ପାଚେରି ଘେରା ଯାଇଥିଲେ ବି ଖୋଲା ପଡ଼ିଥିବା ବାମ୍ଫି ଅନେକ ସମୟରେ ହାତୀଙ୍କ ଜୀବନ ନେଉଛି। ହାତୀଙ୍କ ସୁରକ୍ଷା ଓ ସେମାନଙ୍କ ଯାତାୟାତ ପାଇଁ ଏକ ସ୍ବତନ୍ତ୍ର ଯୋଜନା ସହ ସ୍ଥାନୀୟ ଲୋକଙ୍କୁ ସେଥିରେ ସାମିଲ କଲେ ହୁଏତ ଅଧିକ ସୁଫଳ ମିଳିପାରନ୍ତା ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି।