ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ନେଉଳପୁର ପଞ୍ଚାୟତ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଧର୍ମଶାଳା ଭବନ ପରିସରରେ ଥିବା ବିବାଦୀୟ ‘ବଲେ ବଲେ ଢାବା’ରେ ତାଲା ପଡ଼ିଛି। ଧର୍ମଶାଳା ବିଡିଓଙ୍କ ନିର୍ଦେଶକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଧର୍ମଶାଳା ଭବନ ପରିସରରେ ‘ବଲେ ବଲେ ଢାବା’ ବେଆଇନ୍ ଭାବେ ଚାଲିଥିବା ନେଇ ଧର୍ମଶାଳାର ନୂତନ ବିଧାୟକ ହିମାଂଶୁ ଶେଖର ସାହୁ ଅଭିଯୋଗ କରିଥିବା ବେଳେ ଗତ ୨୮ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଏହା ଚର୍ଚ୍ଚାକୁ ଆସିଥିଲା। ପ୍ରଶାସନ ପକ୍ଷରୁ ୩ ଦିନ ମଧ୍ୟରେ ଢାବା ଖାଲି କରିବା ଲାଗି ନୋଟିସ୍ ଜାରି କରାଯାଇଥିଲା। ତିନିଦିନିଆ କଣ୍ଟ ପୂରିବା ପରେ ଆଜି ପୂର୍ବାହ୍ନରେ ଆଜି କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁ, ଭାରପ୍ରାପ୍ତ ଜିପିଇଓ ମାନଗୋବିନ୍ଦ ବରାଳ, ନେଉଳପୁର ପିଇଓ ବନବିହାରୀ ଦାଶ ଓ ଏଡିଓ ବୈକୁଣ୍ଠ ନାଥ ଦାଶ ପହଞ୍ଚି ଢାବାକୁ ସିଲ୍ କରିଛନ୍ତି। ତେବେ, ବ୍ଲକ୍ର ଏହି କର୍ମଚାରୀ ପହଞ୍ଚିବା ପୂର୍ବରୁ ଘରକୁ ଖାଲି କରି ଦିଆଯାଇଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ, ସରକାରୀ ଅର୍ଥରେ ନିର୍ମିତ ଏହି ଢାବାକୁ ଜଣେ ବିଜେଡି ନେତ୍ରୀଙ୍କ ସ୍ବାମୀ ଚଳାଉଥିଲେ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନି। ଏବେକାର ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ସମୟରେ ଏହି ଢାବା ନିର୍ମାଣ ହୋଇଥିବା ବେଳେ ସେ କିଭଳି ଜାଣିପାରିଲେନି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ବ୍ଲକ୍ ପକ୍ଷରୁ ଗଠିତ କମିଟି ଦ୍ବାରା ଏହାର ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀ ବଳ ସୂଚନା ଦେଇଛନ୍ତି।