ଟ୍ରେନ୍‌ ଦୁର୍ଘଟଣାରେ ଦୁଇଜଣ ଗାର୍ଡଙ୍କ ଜୀବନ ଯାଇଛି, ଲୋକୋ ପାଇଲଟ୍‌ ଦ୍ବୟ ଚିକିତ୍ସାଧୀନ

ଭୁବନେଶ୍ବର : ଟ୍ରେନ୍‌ ଦୁର୍ଘଟଣାରେ ଦୁଇଜଣ ଗାର୍ଡଙ୍କ ଜୀବନ ଯାଇଛି। ମାଲବାହୀ ଟ୍ରେନ୍‌କୁ କରମଣ୍ଡଳ ଧକ୍କା ଦେଇଥିବାରୁ ଉକ୍ତ ‌ଟ୍ରେନ୍‌ ପଛ ବଗିରେ ରହିଥିବା ଗାର୍ଡଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ଗାର୍ଡ କାମ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତେବେ କରମଣ୍ଡଳ ଏକ୍ସପ୍ରେସ୍‌ର ଦୁଇଜଣ ଯାକ ଲୋକୋ ପାଇଲଟ୍‌ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୂଚନା ଅନୁଯାୟୀ ଗୋଟିଏ ଟ୍ରେନ୍‌ରେ ଦୁଇଜଣ ଲୋକୋ ପାଇଲଟ୍‌ ରହିଥାନ୍ତି। ତେଣୁ କରମଣ୍ଡଳରେ ଜଣେ ମୁଖ୍ୟ ଲୋକୋ ପାଇଲଟ୍‌ ଓ ଜଣେ ଆସିଷ୍ଟାଣ୍ଟ୍‌ ରହିଥିଲେ। ଦୁର୍ଘଟଣାରେ ସେମାନେ ଗୁରୁତର ଆହତ ହୋଇଛନ୍ତି ଏବଂ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ମୁଖ୍ୟ ଲୋକୋ ପାଇଲଟ୍‌ ଗୁଣନିଧି ମହାନ୍ତି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଏବଂ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ସେହିପରି ହଜାରୀ ବେହେରା ଚିକିତ୍ସାଧୀନ ରହିଛନ୍ତି। ତାଙ୍କ ସିଟି ସ୍କାନ୍‌ ହୋଇଥିବା ବେଳେ ଆସନ୍ତା ସୋମବାର ସର୍ଜରି ହେବ ବୋଲି ଜଣାପଡ଼ିଛି। ଉଭୟଙ୍କୁ ସ୍ବତନ୍ତ୍ର ଭାବେ ଦୁଇଜଣ ଡାକ୍ତର ଚିକିତ୍ସା କରୁଛନ୍ତି।

ରକ୍ତଦାନ କରୁଛନ୍ତି ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ
ଭୁବନେଶ୍ବର : ବ‌ାଲେଶ୍ବର ଜିଲ୍ଲା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାରେ ଆହତଙ୍କୁ ସ୍ଥାନାନ୍ତର ପାଇଁ ୨୦୬ଟି ୧୦୮ ଆମ୍ବୁଲାନ୍‌ସ ନିୟୋଜିତ ହୋଇଛି। ଉଦ୍ଧାର କାର୍ଯ୍ୟରେ ବାଲେଶ୍ବର ସମେତ ଏହାର ଆଖପାଖ ୧୧ଟି ଜିଲ୍ଲାର ପ୍ରାୟ ଆମ୍ବୁଲାନ୍‌ସ ଏଥିରେ ନିୟୋଜିତ ହୋଇଛନ୍ତି। ଆମ୍ବୁଲାନ୍‌ସ ଜରିଆରେ ୫୭୫ଜଣ ଆହତଙ୍କୁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହାସହ ୧୦୮ ଆମ୍ବୁଲାନ୍‌ସର ଅନେକ କର୍ମଚାରୀ ଦୁର୍ଘଟଣାରେ ଆହତମାନଙ୍କୁ ରକ୍ତଦାନ କରିବା ପାଇଁ ଆଗେଇ ଆସିଛନ୍ତି।

ଯଶବନ୍ତପୁର ଟ୍ରେନ୍‌ର କ୍ଷତି କମ୍‌
ଭୁବନେଶ୍ବର : ଦୁର୍ଘଟଣାରେ ଅଧିକ କ୍ଷତିଗସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ର ପ୍ରାୟ ୩୦୦ ଯାତ୍ରୀଙ୍କ ଜୀବନ ଯାଇଛି। ପାଖାପାଖି ୯୦୦ ଯାତ୍ରୀ ଏବେ ବି ଚିକିତ୍ସାଧୀନ ରହିଛନ୍ତି। କରମଣ୍ଡଳ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୮୦ଜଣ ଯାତ୍ରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ଚେନ୍ନାଇ ଯାଇଛି। ବାହାନଗାଠାରୁ ଆରମ୍ଭ କରି ଚେନ୍ନାଇ ପର୍ଯ୍ୟନ୍ତ କରମଣ୍ଡଳରେ ଯିବାକୁ ଥିବା ଯାତ୍ରୀଙ୍କୁ ଏହି ଟ୍ରେନ୍‌ ଯୋଗେ ନିଆଯାଇଥିଲା। ତେବେ ଯଶବନ୍ତପୁର-ହାଓଡ଼ା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ ବିଶେଷ କ୍ଷତି ହୋଇ ନାହିଁ। ଉକ୍ତ ଟ୍ରେନ୍‌ର ପଛ ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଛି। ଯାତ୍ରୀଙ୍କର ସେଭଳି କୌଣସି ଅସୁବିଧା ହୋଇ ନଥିବାରୁ ସକାଳୁ ଦୁଇଟି ଟ୍ରେନ୍‌ ଯୋଗେ ସେମାନଙ୍କୁ ହାଓଡ଼ା ନିଆଯାଇଛି। ପ୍ରଥମ ଟ୍ରେନ୍‌ରେ ଯଶବନ୍ତପୁର ଏକ୍ସପ୍ରେସ୍‌ର ଏକ ହଜାର ଯାତ୍ରୀଙ୍କୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର