କାଳିଆପାଣି : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ନଗଡ଼ାର ବହୁଚର୍ଚ୍ଚିତ ଶିଶୁ ମଡ଼କ ଘଟଣା ରାଜ୍ୟ ତଥା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଏହି ଅଂଚଳର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ, ଏହି ବିକାଶ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେବାପରେ ଲୋକାୟୁକ୍ତ ଏହାର ତଦନ୍ତ ଦାୟିତ୍ବ ନେଇଛନ୍ତି। ଦୁଇମାସ ମଧ୍ୟରେ ନଗଡ଼ା ଗସ୍ତ କରି ବାସ୍ତବ ସ୍ଥିତି ପରଖିବା ପାଇଁ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ତଦନ୍ତ କମିଟି ନିର୍ଦେଶକଙ୍କୁ ଦାୟିତ୍ବ ଦେଇଛନ୍ତି। ଏ ସଂପର୍କିତ ପରବର୍ତ୍ତୀ ଶୁଣାଣି ଆଗାମୀ ଜୁନ୨୧ ତାରିଖକୁ ଧାର୍ଯ୍ୟ ହୋଇଥିବା ନେଇ ଲୋକାୟୁକ୍ତଙ୍କ ନିଜସ୍ବ ୱେବ୍‌ ସାଇଟ୍‌ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଶୁଣାଣି ପୂର୍ବରୁ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶକ ପ୍ରତିନିଧି ଦଳ ନଗଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଯୋଜନାର ତଦନ୍ତ କରି‌ବେ। ଏହି ପରିପ୍ରେକ୍ଷୀରେ ସେଦିନ ପକ୍ଷଭୁକ୍ତ ଯାଜପୁର ଜିଲ୍ଲାପାଳ, ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍‌ଏଫ୍‌) ସିଇଓ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ(ପିଡି), ଭୁବନେଶ୍ବରସ୍ଥିତ ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ, ଯାଜପୁରଟାଉନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ନିର୍ବାହୀ ଯନ୍ତ୍ରୀ, ନେସୁ ଅଧୀନ ଯାଜପୁରରୋଡ଼ ଧବଳଗିରି ବିଭାଜନ ନିର୍ବାହୀ ଯନ୍ତ୍ରୀ, ଚଣ୍ଡିଖୋଲସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉପସ୍ଥିତ ରହିବା ପାଇଁ ଲୋକାୟୁକ୍ତଙ୍କ ପକ୍ଷରୁ ସମନ ଜାରି ହୋଇଥିବା ସୂଚନା ମିଳିଛି। ତଦନ୍ତ ସମୟରେ ଉପରୋକ୍ତ ସମସ୍ତ ପ୍ରଶାସକ, ଯନ୍ତ୍ରୀ ଓ ଅଧିକାରୀ ସଦଳବଳ ଉପସ୍ଥିତ ରହି ପକ୍ଷ ରଖିବା ସହ ସମୀକ୍ଷାରେ ସହଯୋଗ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ କେସ୍ ନଂ ଏଲ୍‌ୱାଇ ୪୫୫/୨୦୧୯ ଆଧାରରେ ନିର୍ଦେଶନାମା ଜାରି ହୋଇଛି।

ସୂଚନାଯୋଗ୍ୟ ଯେ, ନଗଡ଼ା ବିକାଶର ଦ୍ବାହି ଦେଇ ଲକ୍ଷଲକ୍ଷ ଟଙ୍କା ବାଟ ମାରଣା ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାଇଟ୍‌ ଟୁ ଫୁଡ୍ କ୍ୟାମ୍ପେନ୍‌ ରାଜ୍ୟ ଆବାହକ ତଥା ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ପ୍ରଧାନ ଗତ ୨୦୧୯ ମସିହାରେ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତବର୍ଷ ଫେବ୍ରୁଆରି ମାସ ୧୨ ତାରିଖ ଲୋକାୟୁକ୍ତଙ୍କ ପକ୍ଷରୁ ତାଙ୍କ କାର୍ଯ୍ୟାଳୟରେ ଏହାର ପ୍ରଥମ ଶୁଣାଣି ହୋଇଥିଲା। ନଗଡ଼ାରେ ଦୁର୍ନୀତି ହୋଇନଥିବା ଦର୍ଶାଇବାକୁ ଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସମ୍ଭବ ଯୁକ୍ତି ରଖାଯାଇଥିଲା।

ଅନ୍ୟପକ୍ଷରେ ସେଦିନ ଅଭିଯୋଗକାରୀ ଶ୍ରୀ ପ୍ରଧାନଙ୍କ ପକ୍ଷରୁ ସଂଯୁକ୍ତା ପାଣିଗ୍ରାହୀ ଓ ସୁଧୀର ମହାନ୍ତି ଲୋକାୟୁକ୍ତଙ୍କ ସମ୍ମୁଖରେ ନଗଡ଼ା ଦୁର୍ନୀତି ସଂପର୍କିତ ବଳିଷ୍ଠ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିଥିଲେ। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ସିଂ ନିଜେ ଓ ତଦନ୍ତ ନିର୍ଦେଶକ ଦଳ ଗତବର୍ଷ ମାର୍ଚ ୨୧ ତାରିଖରେ ନଗଡ଼ା ଗସ୍ତକରି ସ୍ଥିତି ପରଖିବାକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସେତେବେଳେ କରୋନା କାୟା ବିସ୍ତାର କରିଥିବା ପରିପ୍ରେକ୍ଷୀରେ ଲୋକାୟୁକ୍ତଙ୍କ ଗସ୍ତକୁ ସ୍ଥଗିତ ରଖା ଯାଇଥିଲା। ଏଥର ପୁଣି କରୋନାର ଜଟିଳ ସ୍ଥିତି ଥିବାରୁ ଲୋକାୟୁକ୍ତ ଅଧ୍ୟକ୍ଷ ଶ୍ରୀ ସିଂ ଗସ୍ତରୁ ଓହରି ଯାଇଥିଲେ ମଧ୍ୟ ଏହାର ତଦନ୍ତ ଭାର ଅଭିଜ୍ଞ ତଦନ୍ତ ନିର୍ଦେଶକ ଦଳ ଉପରେ ନ୍ୟସ୍ତ କରିଛନ୍ତି। ତଦନ୍ତ ନିର୍ଦେଶକ ଦଳରେ ଡକ୍ଟର ଦେବବ୍ରତ ସ୍ବାଇଁ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା, ଜଷ୍ଟିସ୍ ବିଜୟ କୁମାର ନାୟକଙ୍କ ସମେତ ଏକାଧିକ ଅଭିଜ୍ଞ ଯନ୍ତ୍ରୀ ସାମିଲ ହୋଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି ସୂଚନା ମିଳିଛି।