ଜୁନ୍ ୨ ତାରିଖ, ଶୁକ୍ରବାର। ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଘଟିଗଲା ଏକ ଛାତିଥରା ରେଳ ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର ହାୱଡା ଏକ୍ସପ୍ରେସ୍ ଓ ଏକ ଲୁହାପଥର ବୋଝେଇ ମାଲଗାଡ଼ି ପରସ୍ପର ସହ ପିଟିହେବା ଫଳରେ ଘଟିଗଲା ଏକ ଅଚିନ୍ତନୀୟ ଓ ଅପ୍ରତ୍ୟାଶିତ ଘଟଣା। ୨୭୫ ଯାତ୍ରୀ ମୃତ୍ୟୁମୁଖରେ ପଡ଼ିଲେ ଓ ସହସ୍ରାଧିକ ଆହତ ହେଲେ। ସେଇ ଘଟଣାରେ ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ଆସନ୍ତୁ ସେମାନଙ୍କ ମୁହଁରୁ ଶୁଣିବା କ’ଣ ଥିଲା ଦୁର୍ଘଟଣାସ୍ଥଳର ଅବସ୍ଥା…
ଆଖିରୁ ଲୁହ ପୋଛି ଉଦ୍ଧାର କରୁଥିଲୁ
ଭୟଙ୍କର ଦୃଶ୍ୟ ଥିଲା। ସେ ଦୃଶ୍ୟ ମନରୁ ଲିଭୁନାହିଁ। ଦୁର୍ଘଟଣା ଖବର ପାଇ ଆମେ ସଙ୍ଗେ ସଙ୍ଗେ ବାହାରି ପଡ଼ିଥିଲୁ। ସନ୍ଧ୍ୟା ୮.୨୫ରେ ବାଲେଶ୍ବରର ଗୋଟିଏ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। କଟକରୁ ୭ଟି ଟିମ୍ ବାହାରି ଆସିଥିଲେ। ମୁଁ ଟିମ୍ କମାଣ୍ଡର ଥିଲି। ଦୁର୍ଘଟଣାସ୍ଥଳର ଦୃଶ୍ୟ ଦେଖି ଆମେ ହତବାକ୍ ହୋଇ ଯାଇଥିଲୁ। ସବୁଆଡୁ ଲୋକଙ୍କ ଚିତ୍କାର ଶୁଣାଯାଉଥିଲା। ଅନ୍ଧାର ଭିତରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ବହୁତ କଷ୍ଟକର ଥିଲା। ଅଳ୍ପ ଆଲୁଅରେ ଯଥାସମ୍ଭବ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କଲୁ। ଗୋଟିଏ ବଗିରେ ୫ ଜଣଙ୍କ ଉପରେ ଏକ ଲୁହାଖଣ୍ଡ ଚାପି ହୋଇ ରହିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ବାକି ୩ ଜଣ ଆମକୁ ବଞ୍ଚାଅ ବୋଲି ଚିତ୍କାର କରୁଥାନ୍ତି। ପଚାରୁ ଥାଆନ୍ତି, ଆମେ ବଞ୍ଚିବୁ ତ? ଏକଥା ଶୁଣି ମୁଁ କାନ୍ଦି ପକାଇଥିଲି। ଯେତେ ଚେଷ୍ଟା କଲେ ବି ଆମେ ସେମାନଙ୍କୁ ବଞ୍ଚାଇ ପାରିଲୁନି। ଆଖିଆଗରେ ତିନିଜଣଙ୍କ ଜୀବନ ଚାଲିଗଲା। ସେହିପରି ଜଣେ ମହିଳାଙ୍କ ଉପରେ ମଧ୍ୟ ଏକ ଲୁହାଖଣ୍ଡ ଚାପି ହୋଇ ଯାଇଥିଲା। ମୋତେ ଦେଖି ମହିଳା ଜଣକ ଆଖି ଠାରରେ ତାଙ୍କ ଛୁଆଙ୍କୁ ଉଦ୍ଧାର କରିବାକୁ କହୁଥିଲେ। ହେଲେ ସେତେ ବେଳକୁ ଛୁଆଟିର ମୃତ୍ୟୁ ହୋଇ ସାରିଥିଲା। ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲୁ। ସେ ବଞ୍ଚିଛନ୍ତି କି ମରିଛନ୍ତି ଜାଣିନି। ସେହିପରି ଏକ ଛୋଟ ପିଲାର ମୃତଦେହ ଦେଖିଲି। ସେ ତା’ର ଖେଳନାକୁ ଜାବୁଡ଼ି ଧରି ସବୁଦିନ ପାଇଁ ଆଖି ବୁଜିଦେଇଥିଲା। ବଞ୍ଚିଥିବା ଲୋକଙ୍କୁ ଖୋଜି ବାହାର କରିବା ପାଇଁ ସନ୍ଧାନୀ କୁକୁର ବି ସାଙ୍ଗରେ ନେଇଥିଲୁ। ଆମର ପୂରା ଟିମ୍ ତିନିଦିନ ଖିଆପିଆ ଭୁଲି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।
– ମହାବୀର ମହାନ୍ତି, ଇନ୍ସପେକ୍ଟର, ଏନ୍ଡିଆର୍ଏଫ୍, ମୁଣ୍ଡଳି, କଟକ
ଆମେ ବି ମଣିଷ: ଚେଷ୍ଟା କଲେ ଭୁଲିପାରୁନି
ସେ ଦୃଶ୍ୟ ଅବର୍ଣ୍ଣନୀୟ। ଅତ୍ୟନ୍ତ ହୃଦୟ ବିଦାରକ। ଆଜି ବି ଠିକ୍ ଭାବେ ଖାଇପାରୁନି କି ଶୋଇପାରୁନି। ଆଖି ଆଗରେ ନାଚିଯାଉଛି; ସବୁଆଡ଼େ ପଡ଼ିଥିବା ମୃତଦେହ, ବଗିଗୁଡ଼ିକରେ ଲାଗିଥିବା ରକ୍ତର ଛିଟା। ଯିଏ ବି ବଂଚିଥିଲେ କାହାର ଗୋଡ଼ ନଥିଲା, କାହାର ହାତ ନଥିଲା। ଆଉ କାହାର ମୁଣ୍ଡ ନଥିଲା। ଗୋଟିଏ ସ୍ଥାନରେ ୧୦ରୁ ୧୨ ଜଣ ଯାତ୍ରୀ ଶବ ହୋଇ ଯାଇଥିଲେ। ଜଣେ ଯୁବକ ବଂଚିଥାଆନ୍ତି। ସେ ଦୃଶ୍ୟ ମୋତେ ଭାଙ୍ଗି ପକାଇଥିଲା। ମୋ କର୍ମମୟ ଜୀବନ ଭିତରେ ଏପରି ଭୟଙ୍କର ଦୁର୍ଘଟଣା କେବେ ଦେଖି ନଥିଲି। ସ୍ଥାନୀୟ ଲୋକମାନେ କରିଥିବା ଉଦ୍ଧାର କାର୍ଯ୍ୟ ପ୍ରଶଂସନୀୟ।
– ଅମନ କୁମାର, ଇନ୍ସପେକ୍ଟର, ଏନ୍ଡିଆର୍ଏଫ୍, ବାଲେଶ୍ବର
ଏସ୍-୨ ବଗିରେ ବହୁ ଯାତ୍ରୀ ମରିଥିଲେ
ଆମେ ସମେସ୍ତ ସ୍ତବ୍ଧ ହୋଇ ଯାଇଥିଲୁ। ଅନ୍ଧାର ଭିତରେ କାହାକୁ ରକ୍ଷା କରିବୁ, କିଛି ବୁଝି ହେଉନଥିଲା। ଯାତ୍ରୀଙ୍କୁ ଉଦ୍ଧାର କରିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ବହୁଲୋକ ରେଳ ଡବା ତଳେ ଚାପି ହୋଇ ଯାଇଥିଲେ। ସେମାନଙ୍କୁ ଆମେ ଉଦ୍ଧାର କରିପାରିବା ସମ୍ଭବ ନଥିଲା। ତେଣୁ ଯେଉଁମାନଙ୍କୁ ଉଦ୍ଧାର କରି ହେଉଥିଲା, ଆମେ ପ୍ରଥମେ ସେମାନଙ୍କୁ ଉଦ୍ଧାର କରିଚାଲିଥିଲୁ। କରମଣ୍ଡଳ ଏସ୍-୨ ବଗିରେ ବହୁ ଯାତ୍ରୀ ମୃତାହତ ହୋଇଥିଲେ। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା। ସକାଳକୁ ଦେହରେ ଆଉ ବଳ ନଥିଲା। ୨୦ ବର୍ଷ ଚାକିରି କାଳ ଭିତରେ ଏମିତି ଭୟଙ୍କର ଦୁର୍ଘଟଣା କେବେ ଦେଖି ନଥିଲି।
-ମନୋରଞ୍ଜନ ବେହେରା, ହାବିଲଦାର, ଓଡ୍ରାଫ୍
ଅନ୍ଧାରରେ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜ ଥିଲା
ରାତି ପାଖାପାଖି ୮ଟା ହେବ। ଖାଇବାକୁ ଯାଉଥିଲି। ଏହି ସମୟରେ କଟକ ବାଟାଲିଅନ୍ରୁ ଖବର ପାଇବା ପରେ ଆମେ ସରଞ୍ଜାମ ସହ ବାହାରିପଡ଼ିଲୁ। ହେଲେ ଜାଣି ନଥିଲୁ ଏତେବଡ଼ ଦୁର୍ଘଟଣା ଘଟିଥିଲା ବୋଲି। ସେଠାରେ ଯାଇ ଦେଖିଲୁ ଶବଗୁଡ଼ିକ ଏପଟସେପଟ ଛିଟିକି ପଡ଼ିଥିଲା। ଯେଉଁମାନେ ବଂଚିଥିଲେ, ସେମାନଙ୍କୁ ଉଦ୍ଧାର କଲୁ। ଅନ୍ଧାର ଭିତରେ ଉଦ୍ଧାର କାମ ବହୁ କଷ୍ଟ ଥିଲା। ଗାଁ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ଉଦ୍ଧାର କଲୁ। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିବା ସତ୍ତ୍ବେ ଆମେ ଆମେ ଲୋକଙ୍କୁ ବଂଚାଇ ପାରିଲୁନି। ଆମ ପକ୍ଷେ ବଡ଼ ବଡ଼ ଲୁହାକାଟିବା ସମ୍ଭବପର ନଥିଲା।
-ଶଶିକାନ୍ତ ସିହ୍ନା, ଏନ୍ଡିଆର୍ଏଫ୍, ବାଲେଶ୍ବର
ଅନେକ ଯାତ୍ରୀଙ୍କ ହାତ, ଗୋଡ଼, ମୁଣ୍ଡ ନଥିଲା
ଆଜିଯାଏ ମୋତେ ଠିକ୍ ଭାବେ ଭୋକ ଲାଗୁନି କି ନିଦ ହେଉନି। ଯାତ୍ରୀମାନଙ୍କ ରକ୍ତାକ୍ତ ଓ କ୍ଷତବିକ୍ଷତ ଅବସ୍ଥା ଆଖି ଆଗରେ ନାଚିଯାଉଛି। ଅନେକ ଯାତ୍ରୀଙ୍କ ହାତଗୋଡ଼ ଓ ମୁଣ୍ଡ ନଥିଲା। ରିଜର୍ଭ ଇନ୍ସପେକ୍ଟର ବୀରେନ ବେହେରାଙ୍କ ନିର୍ଦ୍ଦେଶ ମୁତାବକ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଏତିକି ବେଳେ ଜଣେ ସିଆର୍ପିଏଫ୍ ଯବାନ ରେଳଡବାର ଗୋଟିଏ କୋଣରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲୁ। ହେଲେ ସେ ବଞ୍ଚିଛନ୍ତି କି ନାହିଁ ଜାଣିନୁ। ଉଦ୍ଧାର ବେଳେ ମୋ ଚାରିପାଖରେ ଯେ ଗୋଟିଏ ଦୁନିଆ ଅଛି, ସେ କଥା ସଂପୂର୍ଣ୍ଣ ଭୁଲିଯାଇଥିଲି।
-ମନୋରଞ୍ଜନ ନାୟକ, ଓଡ୍ରାଫ୍, ବାଲେଶ୍ବର
ଏମିତି ଭୟଙ୍କର ଦୃଶ୍ୟ କେବେ ଦେଖିନଥିଲୁ
ଦୁର୍ଘଟଣା ଅବିଶ୍ବସନୀୟ। ଘଟଣା ଦେଖି ଆମେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲୁ। ଉଦ୍ଧାର କେମିତି କରିବୁ, କିଛି ବୁଦ୍ଧିବାଟ ଦିଶୁ ନଥିଲା। ଏତିକି ବେଳେ ସ୍ଥାନୀୟ ଗାଁର ଜଣେ ଲୋକ ଆସି ମୋତେ କହିଲେ, ସାର୍ ସେଠାକୁ ଚାଲନ୍ତୁ.. ସେ ଝିଅକୁ ଉଦ୍ଧାର କରନ୍ତୁ। ମୁଁ ଦୌଡ଼ିଗଲି। ଦେଖିଲି ଝିଅର ଅଣ୍ଟା ପାଖରୁ ଗୋଡ଼ ପର୍ଯ୍ୟନ୍ତ ଲୁହା ପାଇପ୍ରେ ଚାପି ହୋଇଯାଇଥିଲା। ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କଲୁ। ଗୋଟିଏ ଜାଗାରେ ଚାପି ହୋଇ ୪ ଜଣ ମରିଯାଇଥିବା ବେଳେ ଜଣେ ବଞ୍ଚିଯାଇଥିଲେ। ତାଙ୍କୁ ବି ଉଦ୍ଧାର କଲୁ।
-ରତିକାନ୍ତ ପଣ୍ଡା, ଏନ୍ଡିଆର୍ଏଫ୍, ବାଲେଶ୍ବର
ଶବ ଉପରେ ଛିଡ଼ା ହୋଇ ଉଦ୍ଧାର କଲୁ
ଦେହ ରକ୍ତରେ ଭିଜିଯାଇଥାଏ। ପେଟର ଭୋକ ମାରିବା ପାଇଁ ରକ୍ତଲଗା ହାତରେ ବିସ୍କୁଟ ଖାଇବାକୁ ପଡ଼ିଥିଲା। ଦୁଇଦିନର ଉଦ୍ଧାର କାର୍ଯ୍ୟ କେବେ ଭୁଲି ହେବନି। ଶବ ଉପରେ ଛିଡ଼ା ହୋଇ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରିବାକୁ ପଡ଼ିଥିଲା। ଯାତ୍ରୀମାନେ ବଂଚିବାକୁ ଚିତ୍କାର କରୁଥିଲେ। କିଏ ପୁଅ, ଝିଅ, ସ୍ବାମୀ, ବାପା ଆଉ ମାଆଙ୍କୁ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ। ଆମେ ରେଳଡବାର ଝରକା କାଟି ବହୁ ଲୋକଙ୍କୁ ଉଦ୍ଧାର କଲୁ।
-ରମେଶ ଚନ୍ଦ୍ର ମଲ୍ଲିକ, ଓଡ୍ରାଫ୍, ବାଲେଶ୍ବର
ଛାତିକୁ ପଥର କରିଦେଲି
ରେଳଡବା ଭିତରେ ଭୟଙ୍କର ଦୃଶ୍ୟ। ଜଣେ ଯୁବକ ଚାପି ହୋଇ ଯାଇଥିଲେ। ସେ ମୋତେ ଅତ୍ୟନ୍ତ କାକୁତି ହୋଇ ସାର୍ ମୋତେ ବଂଚାଇ ଦିଅନ୍ତୁ ବୋଲି କହୁଥିଲେ। ହେଲେ କେମିତି ବଂଚାଇବି ବୁଝି ପାରୁନଥିଲି। କାରଣ ସେ ଯୁବକଙ୍କ ଉପରେ ବଡ଼ ଲୁହାଖଣ୍ଡ ପଡ଼ିଥିଲା। କ୍ରେନ୍ ନହେଲେ ହାଇଡ୍ରୋଲିକ୍ କଟର୍ ମେସିନ୍ ଆବଶ୍ୟକ ପଡ଼ୁଥିଲା। ତେଣୁ ଛାତିକୁ ପଥର କରି ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ମୋତେ ଯିବାକୁ ପଡ଼ିଲା। ଏଥିପାଇଁ ମୁଁ ଜୀବନ ସାରା ନିଜକୁ କ୍ଷମା କରି ପାରିବିନାହିଁ। ସେ ଯୁବକଙ୍କ ଗୁହାରି ମୋ ଆଖିରେ ମଲା ଯାଏ ରହିଥିବ।
-ଲୋକନାଥ, ଏନ୍ଡିଆର୍ଏଫ୍ ଯବାନ, ବାଲେଶ୍ବର
ମୋ ଗୋଡ଼କୁ କାଟି ଦିଅନ୍ତୁ ସାର୍..
ଉଦ୍ଧାର ସମୟରେ ଜଣେ ଯୁବକ କହୁଥା’ନ୍ତି, ସାର୍ ମୋତେ ବଞ୍ଚାଇ ଦିଅନ୍ତୁ। ମୁଁ ମରିବାକୁ ଚହୁଁନି। ଯଦି ଲୁହା ଭିତରୁ ମୋ ଗୋଡ଼ ବାହାରି ପାରୁନାହିଁ, ତେବେ କଟର୍ ମେସିନ୍ରେ ମୋ ଗୋଡ଼କୁ କାଟିଦିଅନ୍ତୁ। ମୋତେ ଛାଡ଼ି ଯାଆନ୍ତୁ ନାହିଁ ସାର୍। ଆପଣ କାଟି ପାରିବେ ସାର୍..? ଏହି ସମୟରେ ମୁଁ କାନ୍ଦି ପକାଇଥିଲି। କିଛି କରିବାର ଉପାୟ ନଥିଲା। ଅଳ୍ପ ସମୟ ପରେ ଯୁବକ ଜଣକ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ। ସେହି ଯୁବକଙ୍କ ଆକୁଳ ନିବେଦନ ମୋତେ ଜୀବନ ସାରା ଯନ୍ତ୍ରଣା ଦେବ।
-ଦେବ କୁମାର ବାସୁ, ଏନ୍ଡିଆର୍ଏଫ୍, ବାଲେଶ୍ବର