ଏଥର ସବୁଠୁ ଲମ୍ବା ବନ୍ୟା, ହୀରାକୁଦ ଜଳ ପରିଚାଳନା ସମ୍ବଲପୁରର ଦୁଃଖ ବଢ଼ାଇଲା

ସମ୍ବଲପୁର: ଚଳିତ ବନ୍ୟାରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି। କିନ୍ତୁ ହୀରାକୁଦ ବନ୍ଧ ତଳେ ଥିବା ସମ୍ବଲପୁର ସହରବାସୀ ବି ଏହାଦ୍ବାରା ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅତୀତରେ ମଧ୍ୟ ସମ୍ବଲପୁର ସହର ଅନେକ ବାର ବନ୍ୟାର ସମ୍ମୁଖୀନ ହୋଇଛି। ହେଲେ ଏଥର ହୀରାକୁଦ ଜଳ ପରିଚାଳନାର ଏକତରଫା ନିଷ୍ପତ୍ତି ଉପକୂଳ ଓଡ଼ିଶାକୁ ତ ବନ୍ୟାରୁ ରକ୍ଷା କରି ପାରି ନାହିଁ, କିନ୍ତୁ ସମ୍ବଲପୁରବାସୀଙ୍କ ଦୁଃଖ ବଢ଼ାଇ ଦେଇଛି। ଗତ ୧୩ ତାରିଖରୁ ପୂର୍ବାହ୍ନରୁ ସମ୍ବଲପୁରରେ ବନ୍ୟା ଆରମ୍ଭ ହୋଇ ୧୯ ତାରିଖ ଅପରାହ୍‌ଣ ପର୍ଯ୍ୟନ୍ତ ଲାଗି ରହିଲା। ୧୮ ତାରିଖରୁ ପର୍ଯ୍ୟାୟ କ୍ରମେ ହୀରାକୁଦ ଗେଟ୍ ବନ୍ଦ ହୋଇ ୧୯ ତାରିଖ ଅପରାହ୍‌ଣ ୨ଟା ସୁଦ୍ଧା  ୨୦ଟି ଗେଟ୍ ପଡ଼ିବା ପରେ ଯାଇ ସମ୍ବଲପୁର ସହର ଜଳଘେରରୁ ସଂପୂର୍ଣ୍ଣ ମୁକ୍ତ ହୋଇଛି। ଏବେ ଆଉ ୨୦ଟି ଗେଟ୍ ଖୋଲା ରହିଛି।

ଯେବେ ଯେବେ ହୀରାକୁଦର ଗେଟ୍‌ ସଂଖ୍ୟା ୨୫କୁ ବୃଦ୍ଧି ପାଏ ସେତେବେଳେ ହୀରାକୁଦ ବନ୍ଧର ଠିକ୍‌ ତଳେ ରହିଥିବା ଐତିହାସିକ ସମ୍ବଲପୁର ସହର ପ୍ରଭାବିତ ହେବା ଆରମ୍ଭ ହୁଏ। ଏହାର ପ୍ରତୀକ ସ୍ବରୂପ ସର୍ବପ୍ରଥମେ ସହର ଉପକଣ୍ଠରେ ଥିବା ମାଳତୀ ପୋଲ ଉପରେ ପାଣି ଚାଲେ। ଏଥର ଦୀର୍ଘ ୭ ଦିନ ଧରି ୨୫ରୁ ଅଧିକ ଗେଟ୍ ଖୋଲା ରହିବା କାରଣରୁ ସମ୍ବଲପୁରବାସୀ ନିକଟ ଅତୀତର ସବୁଠୁ ଲମ୍ବା ବନ୍ୟା ଦେଖିଛନ୍ତି। ୨୦୧୧ରେ ସ୍ଲୁଇସ୍‌ ଓ କ୍ରାଏଷ୍ଟକୁ ମିଶାଇ ହୀରାକୁଦର ୫୯ ଗେଟ୍‌ ଖୋଲିଥିଲେ ବି ତଥା ଜଳଭଣ୍ଡାର ସ୍ତର ୬୨୯ ଫୁଟ୍‌ ଟପି ସାରିଥିଲେ ବି ସେଥର ବନ୍ୟା ଏତେ ଲମ୍ବା ହୋଇ ନଥିଲା। ସେଥର ୪ ଦିନ ମଧ୍ୟରେ ସମ୍ବଲପୁର ସହର ବନ୍ୟାମୁକ୍ତ ହୋଇ ପାରିଥିଲା।

ଏଥର କିନ୍ତୁ ଗତ ୧୩ ତାରିଖ ଭୋର୍‌ରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ସମ୍ବଲପୁର ସହରରେ ୯ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ମଧ୍ୟାହ୍ନ ବେଳକୁ ସହରର ତଳି ଅଞ୍ଚଳରେ ପାଣି ପଶିବା ଆରମ୍ଭ ହେଲା। ସେତେ‌େ‌ବଳେ ‌ହୀରାକୁଦର ୨୦ ଗେଟ୍‌ ଖୋଲା ଥିବାରୁ ମହାନଦୀର ଜଳସ୍ତର ଉଚ୍ଚରେ ଥିଲା। ତେଣୁ ସହରରୁ ଜଳ ନିଷ୍କାସନର ସମସ୍ତ ପଥକୁ ବନ୍ଦ କରି ଦିଆ ଯାଇଥିଲା। ଫଳରେ ସହର ଭିତରର ବର୍ଷା ପାଣି ଉଛୁଳି ରାସ୍ତାଘାଟ, ପଡ଼ାପାଟକରେ ମାଡ଼ିଗଲା।

ଏହାପରେ ହୀରାକୁଦର ଆହୁରି ଅଧିକ ଗେଟ୍‌ ଖୋଲିଲା। ମହାନଦୀ ଫୁଲି ଉଠି ସହରକୁ ପଶିବା ପାଇଁ ବାଟ ଉଣ୍ଡୁଥିବାବେଳେ ଜଳ ନିଷ୍କାସନ ଗେଟ୍‌ ସବୁ ବନ୍ଦ ଥିବାରୁ ଭିତର ବର୍ଷା ପାଣି ସହରବାସୀଙ୍କୁ ଉବୁଟୁବୁ କଲା। ୨୫ ଗେଟ୍‌ ଖୋଲିବା ମାତ୍ରେ ମାଳତୀ ଯୋର ପୋଲ ଉପରେ ପଛୁଆ ପାଣି ପ୍ରବାହିତ ହୋଇ ୧୫ ନମ୍ବର ରାଜ୍ୟ ରାଜପଥରେ ସମ୍ବଲପୁର-ସୋନପୁର ଯୋଗାଯୋଗ ବିଛିନ୍ନ ହେଲା। ୧୩ ତାରିଖ ଦିନ ୧୦ଟା ବେଳକୁ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ନଦୀ ଭଳି ପ୍ରତୀତ ହେଉଥିଲା। ଏସ୍‌ଆର୍‌ଆଇଟି, ଗୋପାଳମାଲ, ଦାନୀପାଲି, ‌ମନ୍ଦଲିଆ, ବଡ଼ବଜାର, ହାଉସିଂ ବୋର୍ଡ, କ୍ଷେତରାଜପୁର, ବାହାଲପଡ଼ା, ‌ଏଏନ୍‌ଗୁହା ଲେନ୍‌, ଦଲେଇପଡ଼ା, ବିନାଖଣ୍ଡି, ହୀରାକୁଦ କଲୋନି, କମିସନର୍ସ କଲୋନି, ଚାରଭାଟି, କୁଲୁଥକାନି, ଗୋବିନ୍ଦତୋଲା, ଭତ୍ରା, ଖଣ୍ଡୁଆଳ ଆଦି ବହୁ ଅଞ୍ଚଳରେ ବର୍ଷା ପାଣି ଭରି ଗଲା। ହୀରାକୁଦ କଲୋନିରୁ ଆରମ୍ଭ କରି ବିଭିନ୍ନ ସାହିର ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ପର୍ଯ୍ୟାୟ କ୍ରମେ ସ୍ଥାନାନ୍ତର କରାଗଲା।

ହେଲେ ଏହି ବନ୍ୟା ଯେ ଏତେ ଲମ୍ବା ହେବ ତାହା ସେତେବେଳେ କେହି ଭାବି ନଥିଲେ। ଯାହା ବର୍ଷା ହେଲାହେଲା, ତା’ପରେ ପୁଣି ହୀରାକୁଦର ଗେଟ୍‌ ଖୋଲିବା ଓ ବନ୍ଦ କରିବାର ଖେଳରେ ଘାଣ୍ଟି‌ ହେଲେ ସମ୍ବଲପୁର ସହରବାସୀ। ବର୍ଷା ସଂପୂର୍ଣ୍ଣ ଛାଡ଼ିଯିବା ପରେ ବି ବନ୍ୟା କିନ୍ତୁ କମିଲା ନାହିଁ। କାରଣ ହୀରାକୁଦର ଗେଟ୍‌ ଖୋଲିବା ଓ ବନ୍ଦ କରିବା ପ୍ରକ୍ରିୟା ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିଲା। ଏଥର ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ୭୬ତମ ସ୍ବାଧୀନତା ଦିବସ ବନ୍ୟା କାରଣରୁ ଫିକା ପଡ଼ିଗଲା। ସହରର ଅଧା ଲୋକଙ୍କ ଘର ବୁଡ଼ି ଯାଇଥିବାରୁ ସେମାନେ ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଥିବାବେଳେ ଅନ୍ୟମାନେ ଅଧାବୁଡ଼ା ଘର ଓ ଉଛୁଳା ନଈର ଢେଉ ଦେଖିବା ପାଇଁ ବନ୍ଧ ମୁଣ୍ଡ ଓ ରାସ୍ତାଘାଟରେ ମେଳା ଲଗାଇଥିଲେ।

ଯେତେବେଳେ ବର୍ଷାଜନିତ ବନ୍ୟାରେ ସମସ୍ତେ ଉବୁଟୁବୁ ହେଉଥିଲେ ଓ ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୯ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା, ସେତିକିବେଳେ ୧୫ ତାରିଖ ଦିନ ସରକାର ହୀରାକୁଦର ଖୋଲାଥିବା ୩୪ ଗେଟ୍‌ରୁ ୮ଟି ବନ୍ଦ କରିଦେଲେ। ଏହାଦ୍ବାରା ସମ୍ବଲପୁରବାସୀଙ୍କ ଦୁଃଖ କମିବା ପରିବର୍ତ୍ତେ ଲମ୍ବିଗଲା। କାରଣ ସରକାର ଏହି ଗେଟ୍‌ ଗୁଡ଼ିକୁ ଅଧିକ ସମୟ ବନ୍ଦ କରି ରଖିପାରି ନଥିଲେ। ଉପର ମୁଣ୍ଡରୁ ଆସୁଥିବା ଅସମ୍ଭାଳ ପାଣିକୁ ଅଟକାଇ ନପାରି ୧୭ ତାରିଖ ସଂଧ୍ୟାରେ ପୁଣି ୧୪ଟି ଗେଟ୍‌ ଖୋଲିଥିଲେ। ଫଳରେ ବର୍ଷା ଛାଡ଼ି ପାଗ ଶୁଖି ଆସିଲା ବେଳକୁ ଗେଟ୍‌ ସଂଖ୍ୟା ୪୦କୁ ବୃଦ୍ଧି ପାଇବା ସହ ପୁଣି ସହରର ଆହୁରି ଅନେକ ନୂଆନୂଆ ଅଞ୍ଚଳରେ ପାଣି ପ୍ରବେଶ କଲା। ବନ୍ୟା କଷ୍ଟ କମିବା ପରିବର୍ତ୍ତେ ବଢ଼ିଥିଲା। ଅତୀତରେ ୪୦ରୁ ବହୁ ଅଧିକ ଗେଟ୍ ଖୋଲିଥିଲେ ବି ବଢ଼ି ଅବଧି ଏତେ ଲମ୍ବା ନଥିଲା। କିନ୍ତୁ ଚଳିତ ବର୍ଷ ପ୍ରବଳ ବର୍ଷା ସାଂଗକୁ ଜଳ ପରିଚାଳନାରେ ତ୍ରୁଟି କାରଣରୁ ଲୋକଙ୍କୁ ଗତ ୪୦ ବର୍ଷର ସବୁଠୁ ଲମ୍ବା ବନ୍ୟାର ସାମ୍‌ନା କରିବାକୁ ପଡ଼ିଲା ବୋଲି ଜାଣିବା ଲୋକେ ମତ ଦିଅନ୍ତି।

ସମ୍ବନ୍ଧିତ ଖବର