ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚକ। ପଞ୍ଚକର ୫ ଦିନ ମହାପ୍ରଭୁ ୫ଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ। ଏହି କ୍ରମରେ ଆଜି ପ୍ରଥମ ଦିନରେ ବଡ଼ ଏକାଦଶୀରେ ମହାପ୍ରଭୁ ଲକ୍ଷ୍ମୀ-ନାରାୟଣ ତଥା ଠିଆକିଆ ‌ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତ, ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତରେ ଦର୍ଶନରେ ଶୃଙ୍ଖଳା ଆସିପାରିନାହିଁ। ଶ୍ରୀଜୀଉଙ୍କୁ ଦର୍ଶନ ଲାଗି ଭକ୍ତମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଛି। ଆଜି ଶ୍ରୀମନ୍ଦିରରେ ସଅଳ ନୀତି ସଂପନ୍ନ ହୋଇଛି। ଭୋର ୪ଟାରେ ଦ୍ବାରଫିଟା ପାଇଁ ନୀତି ଚୂଡ଼ାନ୍ତ ହୋଇଥିଲା। ଏହା ପୂର୍ବରୁ ଅର୍ଥାତ୍ ୩ଟା ୪୫ରୁ ଦ୍ବାରଫିଟା ସହ ନୀତି ଆରମ୍ଭ ହୋଇଥିଲା। ଶୁକ୍ରବାର ବାଙ୍କଚୁଡ଼ ବା ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହାସହ ଗରୁଡ଼ ଉତ୍‌ଥାପନ ନୀତି ବି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisment

ଆଜି ଦ୍ବାରଫିଟା ପରେ ୪ଟା ୪୦ ମିନିଟ୍‌ରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢ଼ିଥିଲା। ରୋଷ‌ହୋମ ପରେ ସକାଳ ୯ଟାରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଆରମ୍ଭ ହୋଇଥିଲା। ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାରରେ ହୋଇଥିବା ୪ ଥାକିଆ ବାରିକେଡ୍‌ ଦେଇ ସିଂହଦ୍ବାରରେ ପ୍ରବେଶ ପରେ ସାତପାହାଚ ଦେଇ ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ ପରେ ବେହେରଣ ଦ୍ବାର ଦେଇ ବେଢାକୁ ବାହାରି ଥିଲେ। ପରେ ଉତ୍ତରଦ୍ବାର ଦେଇ ଭକ୍ତମାନେ ଶ୍ରୀମନ୍ଦିରରୁ ବାହାରିଥିଲେ। ଭକ୍ତଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବାରିକେଡ୍‌ ବ୍ୟବସ୍ଥା କରାଯାଇଥିଲା। ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଧାଡ଼ି କରାଯାଇଥିଲା। ସୂଚନାଯୋଗ୍ୟ, ନଭେମ୍ବର ୨୫ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୨୬ ତାରିଖରେ ଲକ୍ଷ୍ମୀନୃସିଂହ ବେଶ ଓ ୨୭ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ।

ଶ୍ରୀମନ୍ଦିରରେ ହରି ଉତ୍‌ଥାପନ ଏକାଦଶୀ
ଶ୍ରୀମନ୍ଦିରରେ ଆଜି ହରି ଉତ୍‌ଥାପନ ନୀତି ଅନୁଷ୍ଠିତ ହୋଇଯାଇଛି। ନୀଳାଦ୍ରି ବିଜେ ଅର୍ଥାତ୍‌ ହରିଶୟନ ଏକାଦଶୀଠାରୁ ଶୋଇ ରହିଥିବା ମହାପ୍ରଭୁ ଆଜି ନିଦରୁ ଉଠିଛନ୍ତି। ମହାପ୍ରଭୁ ଶୋଇବା ସମୟକୁ ଅଶୁଭ ବେଳା ଭା‌ବେ ପରିଗଣିତ କରାଯାଏ। ଏହି ସମୟରେ ବିବାହ, ବ୍ରତ ଆଦି କୌଣସି ଶୁଭକାର୍ଯ୍ୟ କରାଯାଏନାହିଁ। ପରମ୍ପରା ଅନୁଯାୟୀ, ହରିଶୟନ ଏକାଦଶୀଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିଥିଲେ। ଭାଦ୍ରବ ମାସରେ କଡ଼ ଲେଉଟାଇଥିଲେ।
ସୂଚନାଯୋଗ୍ୟ, ହରିଶୟନ ଏକାଦଶୀଠାରୁ ବଡ଼ଠାକୁର ବଳଭଦ୍ରଙ୍କ ଶୟନ ଠାକୁର ପ୍ରଭୁ ବାସୁଦେବ, ମା’ ସୁଭଦ୍ରାଙ୍କ ଶୟନ ଠାକୁରାଣୀ ମା’ ଭୁବନେଶ୍ବରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ଠାକୁର ପ୍ରଭୁ ନାରାୟଣଙ୍କ ଅଙ୍ଗଲାଗି ନୀତି ସଂପନ୍ନ ପରେ ଶ୍ରୀମନ୍ଦିର ଭଣ୍ଡାର ଘରେ ଶୟନ ଯାଇଥିଲେ।