ପୁରୀ: ହରିବୋଲ ହୁଳହୁଳିରେ କମ୍ପୁଥିଲା ବଡ଼ଦାଣ୍ଡ। ସଂକୀର୍ତ୍ତନରେ ଉଛୁଳି ପଡ଼ୁଥିଲା ଶ୍ରୀକ୍ଷେତ୍ର। ଖାଲି ଭକ୍ତ ନୁହେଁ, ସୂର୍ଯ୍ୟ ଓ ଇନ୍ଦ୍ର ମଧ୍ୟ ମର୍ତ୍ତ୍ୟ ବୈକୁଣ୍ଠରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରତିଯୋଗିତା କରୁଥିଲେ। ଖରା ଓ ବର୍ଷାର ଲୁଚକାଳିରେ ଦେହ ଭିଜୁଥିଲା ସତ, କିନ୍ତୁ ମନ ଭିଜୁଥିଲା ଭକ୍ତି ରସରେ। ଜନ୍ମଦିନରେ ଭକ୍ତଙ୍କ ଗହଣକୁ ଆସି ସ୍ନାନବେଦିରେ ମାନବୀୟ ଲୀଳା ସଂରଚନା କରିଥିଲେ ମହାପ୍ରଭୁ। ଦିବ୍ୟସ୍ନାନ ଲୀଳା ଦେଖିବାର ମୋହ ଲକ୍ଷଲକ୍ଷ ଭକ୍ତଙ୍କୁ ବଡ଼ଦାଣ୍ଡରେ ବାନ୍ଧି ରଖିଥିଲା। କଥାକୁହା ଚକାଆଖିରେ ଆଖି ମିଶିବା କ୍ଷଣି ଭକ୍ତଙ୍କ ଆଖିରୁ ନିଗିଡ଼ି ଆସୁଥିଲା ଆବେଗର ଅଶ୍ରୁ। କିଏ କହୁଥିଲା ମୋ ଧନ ଆସିଲାରେ, ଆଉ କିଏ କହୁଥିଲା ମୋ ସାଆନ୍ତ ଆସିଲେ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନର ଦୃଶ୍ୟ ଥିଲା ଏମିତି ଅପୂର୍ବ।
ମହାପ୍ରଭୁଙ୍କ ସ୍ନାନ ପାଇଁ ସେବକମାନେ ସୁନା କୂଅରୁ ବୋହି ଆଣିଥିଲେ ୧୦୮ ଗରା ବା ଗଡ଼ୁ ଜଳ। ଜଳବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରାବାନ୍ଧି ସ୍ନାନମଣ୍ଡପକୁ ଶୋଧ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୩୫ ଗରା, ଶ୍ରୀବଳଭଦ୍ରଙ୍କ ପାଇଁ ୩୩ ଗରା, ଦେବୀ ସୁଭଦ୍ରାଙ୍କ ପାଇଁ ୨୨ ଗରା ଓ ଶ୍ରୀସୁଦର୍ଶନଙ୍କ ପାଇଁ ସ୍ନାନ ମଣ୍ଡପରେ ପହଞ୍ଚିଥିଲା ୧୮ ଗଡ଼ୁ ସୁନାକୂଅର ଜଳ। ମା’ ଶୀତଳାଙ୍କ ସମ୍ମୁଖ ଭାଗ କୂଅରୁ ସୁନା ଗୋସେଇଁ, ଗରାବଡ଼ୁ ସେବକ ପାଣି ଆଣିବା ପରେ ୧୦୮ ଗରା ଜଳକୁ ଚନ୍ଦନ, ଚୁଆ ଆଦି ପକାଇ ଚାହାଣି ମଣ୍ଡପ ନିକଟସ୍ଥ ଘରେ ଅଧିବାସ କରାଯାଇଥିଲା। ଏହି ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯାଇଥିଲା। ଗରାବଡ଼ୁ ସେବକମାନେ ଯୋଗାଇ ଦେଇଥିବା ଜଳକୁ ପୂଜାପଣ୍ଡା ସେବକମାନେ ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀବିଗ୍ରହଙ୍କୁ ସ୍ନାନ କରାଇଥିଲେ। ମାତ୍ର ଜଳରାଶି ଶ୍ରୀମୁଖରେ ପଡ଼ିବା କ୍ଷଣି କିଛି ସେବକ ପୋଛି ନେଇ ଏକ ଗଡ଼ୁରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଥିଲା। ସ୍ନାନବେଳେ ସ୍ନାନବେଦି ଉପରେ ସୀମିତ ସେବକ ରହିବାକୁ କୁହାଯାଇଥିଲେ ହେଁ ବହୁ ସେବକଙ୍କ ସମାଗମ ଯୋଗୁଁ ଦର୍ଶନରେ ସମସ୍ୟା ସୃଷ୍ଟି ହୋଇଥିଲା। ଭକ୍ତ ଯୋଗୀ ଗଣପତି ଭଟ୍ଟ ମହାପ୍ରଭୁଙ୍କୁ ଗଣପତି ବେଶରେ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ଆଜି ମହାପ୍ରଭୁ ଗଜ ତଥା ହାତୀ ବେଶରେ ସଜେଇ ହୋଇ ଦର୍ଶନ ଦେଇଥିଲେ। ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ବେଶ ଯୋଗାଇ ଦିଆଯାଇଥିଲା। ଭକ୍ତ ମଧ୍ୟ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ଅତ୍ୟନ୍ତ ତୃପ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାପ୍ରଭୁଙ୍କୁ ସ୍ନାନବେଦିରେ ଦର୍ଶନ କରିଥିଲେ।
ପହଣ୍ଡି ପର୍ବ ନିର୍ଦ୍ଧାରିତ ସମୟଠାରୁ ୪୫ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ସାତ ପାହାଚ ନିକଟକୁ ଆସିବା ପରେ ଶ୍ରୀବିଗ୍ରହଙ୍କ ମସ୍ତକରେ ଟାହିଆ ବନ୍ଧା ସମ୍ପନ୍ନ ହୋଇଥିଲା। ୫ଟା ୪୫ରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପରେ ଧାଡ଼ି ପହଣ୍ଡିରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ୬ଟା ୨୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ବିଜେ କରିଥିଲେ। ସକାଳ ୯ଟା ୫୫ରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ନୀତି ବଢ଼ିଥିଲା। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି ବେଶ, ଅଧରପୋଛା, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ବେଶ ଶେଷ ପରେ ଦିନ ୧ଟା ୧୦ରେ ଜଳ ଛେକ ବିଜେ ହୋଇଥିଲା। ୧୨ଟା ୨୦ରେ ଏହା ଆରମ୍ଭ ହେବାର ଥିଲେ ହେଁ ବିଳମ୍ବ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ୪ଟା ୧୦ରୁ ୪ଟା ୪୦ ମଧ୍ୟରେ ସ୍ନାନମଣ୍ଡପକୁ ଆସି ଛେରା ପହଁରା ନୀତି ସମ୍ପାଦନ କରିଥିଲେ। ୫ଟା ପରେ ହାତୀ ବେଶ ଆରମ୍ଭ ହୋଇଥିଲା। ବିଳମ୍ବିତ ରାତିରେ ବେଶ ଓଲାଗି ପରେ ଠାକୁରେ ଗୋଟି ପହଣ୍ଡି ହୋଇ ବାହୁଡ଼ା ବିଜେ କରିଥିଲେ। ରତ୍ନ ସିଂହାସନକୁ ନ ଯାଇ ଶ୍ରୀବିଗ୍ରହମାନେ ଅଣସର ଘରକୁ ବିଜେ କରିଥିଲେ।