ମହାପ୍ରଭୁଙ୍କୁ ଲାଗିହେଲା ଭଙ୍ଗା କିରୀଟ

ଆସିବା ବେଳେ ଥିଲା ସୁରକ୍ଷିତ, କୁଆଡେ ଗଲା ଭାଙ୍ଗିଥିବା ସୁନା

ପୁରୀ : ବୁଧବାର ପବିତ୍ର ସୁନାବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭଙ୍ଗାର ସୁନାର କିରୀଟ ଲାଗି ହୋଇଛି। ବିଶ୍ୱନିୟନ୍ତା କାଳିଆ ଠାକୁର ଆଜି ଭଙ୍ଗା କିରୀଟ ପିନ୍ଧିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେବୟତଙ୍କଠାରୁ ଭକ୍ତ, ଏହି ଘଟଣା ଜାଣିବା ପରେ ବିରୋଧର ସ୍ୱର ଉଠିଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ତଦନ୍ତ ଦାବି କରିଛନ୍ତି ଭକ୍ତ ମହଲ। ଯେଉଁଠି ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେଠି ସୁନାବେଶରେ ଭଙ୍ଗା ସୁନା କିରୀଟ ଲାଗି ହେବା ଘଟଣାକୁ ଭକ୍ତ ମହଲ ବି ସହଜରେ ହଜମ କରିପାରୁନାହାନ୍ତି।

ବୁଧବାର ଅପରାହ୍ଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କ ପାଇଁ ଏକକାଳୀନ ସୁବର୍ଣ୍ଣ ଅଳଙ୍କାର ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ଆସିଥିଲା। ଆସିବା ସମୟରେ ମହାପ୍ରଭୁଙ୍କ କିରୀଟ ସମ୍ପୂର୍ଣ ଅକ୍ଷତ ଥିଲା। ସୁନାର ଦୁଇଟି ହାତୀ ମୁଣ୍ଡ ଓ ୨୧ଟି ସୁନାର ପାଖୁଡା କିରୀଟର ଲାଗିଥିଲା। କିରୀଟର ଦୁଇ ପାର୍ଶ୍ଵରେ ଅର୍ଥାତ ପାଖୁଡ଼ାର ଶେଷ ଦୁଇ ପାର୍ଶ୍ବରେ ହାତୀ ମୁଣ୍ଡ ରହିଥିଲା। କିନ୍ତୁ ମହାପ୍ରଭୁଙ୍କୁ ଲାଗି ପରେ ସୁନାର ଦୁଇଟି ହାତୀ ମୁଣ୍ଡ ଓ ସୁନାର ୨୦ଟି ପାଖୁଡା ରହିଥିବା ଦେଖିବାକୁ ମିଳିଛି। ବାମ ପାର୍ଶ୍ୱରୁ ହାତୀ ମୁଣ୍ଡ ପରେ ସୁନାର ତୃତୀୟ ପାଖୁଡା ଗାଏବ ଥିବା ଦେଖିବାକୁ ମିଳିଛି। ଯାହା ଏବେ ବିରାଟ ପ୍ରଶ୍ନ ଠିଆ କରିଛି। କିରୀଟର ଏହି ଭଙ୍ଗା ସ୍ଥାନକୁ ଲୁଚାଇବା ପାଇଁ ଏଥିରେ ମଲ୍ଲି ଫୁଲର ମାଳ ଲଗାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଭଙ୍ଗା ସୁନା ପାଖୁଡା କୁଆଡେ ଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର