କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ରଦେବତା ହେଉଛନ୍ତି ପ୍ରଭୁ ବଳଦେବଜିଉ। କେନ୍ଦୁଝର ପୁରୁଣା ବଜାରରେ ବଡ଼ଭାଇ ବଳଦେବ, ସାନଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା ପୂଜା ପାଉଛନ୍ତି। ରଥଯାତ୍ରା ବେଳେ ଭାଇଭଉଣୀ ଗୋଟିଏ ରଥରେ ବିଜେ ହୋଇଥାନ୍ତି। କେନ୍ଦୁଝରର ରାଷ୍ଟ୍ରଦେବତାଙ୍କ ନାମ ବଳଦେବଜିଉ ହୋଇଥିବା ବେଳେ ରଥର ନାମ କିନ୍ତୁ ନନ୍ଦିଘୋଷ ରହିଛି। ବିଶ୍ୱର ସର୍ବବୃହତ୍ ଏକକ ରଥର ମାନ୍ୟତା ପାଇଛି କେନ୍ଦୁଝର ଶ୍ରୀବଳଦେବଜିଉଙ୍କ ନନ୍ଦିଘୋଷ ରଥ। ପ୍ରତ୍ୟେକ ବର୍ଷ ସମ୍ପୂର୍ଣ୍ଣ ଭାବେ ନୂଆ ରଥ ହେଉନଥିବା ବେଳେ ଚଳିତବର୍ଷ ରଥର ଚକଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଂଶ ନୂଆ କରି ନିର୍ମାଣ ହେଉଛି। ନନ୍ଦିଘୋଷ ରଥର ଉଚ୍ଚତା ଓ ମୋଟେଇ ଦୃଷ୍ଟିରୁ ଏହା ବିଶ୍ବର ସର୍ବୋଚ୍ଚ ରଥ ମାନ୍ୟତା ଲାଭ କରିଛି। ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି। ଏହାଛଡ଼ା ପୂର୍ବରୁ ଶ୍ରୀବଳଦେବଜିଉଙ୍କ ରଥ ନନ୍ଦିଘୋଷ ନ୍ୟାସନାଲ ରେକର୍ଡସ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ, ଏସିଆ ପାସିଫିକ ଆଇକନ୍‌, ଗ୍ଲୋବାଲ ରେକର୍ଡସ, ୱଣ୍ଡର ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇସାରିଛି।

Advertisment

ଏହି ରଥର ଉଚ୍ଚତା ୭୪ ଫୁଟ ଓ ଗୋଲେଇ ୪୫ ଫୁଟ ହୋଇଥିବାବେଳେ ଏଥିରେ ପ୍ରାୟ ୮ ଫୁଟ ଉଚ୍ଚର ଷୋହଳଟି ଚକ ଲାଗିଛି। ରଥର ଅଖ ନିର୍ମାଣ ଧଉରା କାଠରେ ତିଆରି ହୋଇଥାଏ। ଏଥିପାଇଁ ୪୬ ଫୁଟ ଲମ୍ବ ଓ ସାଢ଼େ ୪ ଫୁଟ ମୋଟେଇର ୪ଟି କାଠ, ୪୦ ଫୁଟ ଲମ୍ବ ସାଢ଼େ ୪ଫୁଟ ମୋଟେଇର ୨ଟି କାଠ ଆବଶ୍ୟକ ହୋଇଥାଏ। ବରାନ୍ଦ ପାଇଁ ୪୬ ଫୁଟ ଲମ୍ବ ଓ ସାଢ଼େ ୪ ଫୁଟ ମୋଟେଇର ୪ଟି ଶାଳକାଠ ଆବଶ୍ୟକ ହୋଇଥାଏ।

ସୁନାନାଏକା ପାଇଁ ୨୫ ଫୁଟ ଲମ୍ବ ଓ ୪ ଫୁଟ ମୋଟେଇର ଦୁଇଟି ଶାଳକାଠ, ଚକାପଟି ପାଇଁ ୨୦ ଫୁଟ ଲମ୍ବ ଓ ୫ ଫୁଟ ମୋଟେଇର ୫ଟି ଶାଳକାଠ, ଅରାପଟି ପାଇଁ ୨୦ ଫୁଟ ଲମ୍ବ ଓ ୩ ଫୁଟ ମୋଟେଇର ୧୦ଟି ଶାଳକାଠ, ସିଂହାସନ ଓରା ପାଇଁ ୧୬ ଫୁଟ ଲମ୍ବ ଓ ୪ ଫୁଟ ମୋଟେଇର ଦୁଇଟି ଶାଳକାଠ, ଭୂଇଁଅଁରା ପାଇଁ ୧୮ ଫୁଟ ଲମ୍ବ ଓ ୪ ଫୁଟ ମୋଟେଇର ୨ଟି ଶାଳକାଠ, ମୁହାଂଟା ପାଇଁ ୨୨ ଫୁଟ ଲମ୍ବ ଓ ୫ ଫୁଟ ମୋଟେଇର ୨ଟି ଶାଳକାଠ, ପଟାପାଇଁ ୧୮ ଫୁଟ ଲମ୍ବ ଓ ୪ ଫୁଟ ମୋଟେଇର ୨୦ଟି ଶାଳକାଠ ବ୍ୟବହାର ହୋଇଥାଏ।ଏସବୁ କାଠ ବିଶେଷକରି କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ପୁରୁଷୋତ୍ତମପୁର, ଟେଣ୍ଟେଇନାଳୀ, ସିନ୍ଦରିଆ, କାଳିଆହତା ଓ କାଞ୍ଜିପାଣିରେ ଥିବା ଘଞ୍ଚ ଜଙ୍ଗଲରୁ ସଂଗ୍ରହ କରାଯାଇଥାଏ। ଚଳିତବର୍ଷ ବଡ଼ବିଲ ଅଞ୍ଚଳରୁ କିଛି ପରିମାଣର କାଠ ଆସି ରଥ ନିର୍ମାଣରେ ବ୍ୟବହାର ହୋଇଛି। ଏ ସମ୍ପର୍କରେ ‌ମନ୍ଦିର ସେବକ ଦେବାଶିଷ ମିଶ୍ର କହିଛନ୍ତି, ଏହି ରଥ ହେଉଛି ସବୁଠୁ ଉଚ୍ଚ। ଏହାକୁ ନିର୍ମାଣ କରିବାପାଇଁ ୧୦୦ ଟନ୍‌ରୁ ଅଧିକ କାଠର ଆବଶ୍ୟକତା ରହିଛି। ରଥ ତିଆରି ପାଇଁ ସ୍ବତନ୍ତ୍ର ବନ ପ୍ରକଳ୍ପର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।