ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ‘ରାଜା’ ଓ ବାଘୁଣୀ ‘ରାଣୀ’ର ମଧୁର ପ୍ରେମ କାହାଣୀ ବଂଶବୃଦ୍ଧି ସମ୍ଭାବନାକୁ ଉଜ୍ଜ୍ବଳ କରିଛି। ଯଦି ପ୍ରଜନନ ସଫଳ ହୁଏ, ତା ହେଲେ ଓଡ଼ିଶାରେ ପ୍ରାୟ ୪୨ ବର୍ଷ ପରେ ଏହା ସମ୍ଭବ ହେବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ସୂତ୍ରରୁ ପ୍ରକାଶ। ସମ୍ବଲପୁର ଚିଡ଼ିଆଖାନାରେ ରାଣୀ ନାମରେ ଏକ କଲରାପତରିଆ ବାଘୁଣୀ ବହୁ ପୂର୍ବରୁ ଥିଲା। କଲରାପତରିଆ ବାଘ ରାଜାକୁ ଏକ ବର୍ଷ ତଳେ ୮ ନଭେମ୍ବର ୨୦୨୩ରେ ସମ୍ବଲପୁର ଚିଡ଼ିଆଖାନାକୁ ଅଣାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ୨ଜଣ ମଣିଷଙ୍କୁ ମାରିବା ଏବଂ ଜଣକୁ ଆହତ କରିବା ପରେ ବହୁକଷ୍ଟରେ ତାକୁ ୫ ନଭେମ୍ବର ୨୦୨୩ରେ କାବୁ କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଥିବା ଉଦ୍ଧାର କେନ୍ଦ୍ରରେ ୨ ଦିନ ରଖିବା ପରେ ସମ୍ବଲପୁର ଚିଡ଼ିଆଖାନାକୁ ଅଣାଯାଇଥିଲା। ପ୍ରାୟ ୧୧ ମାସ ପର୍ଯ୍ୟନ୍ତ ସଂଗରୋଧରେ ରଖି ଚିକିତ୍ସା କରାଯିବା ପରେ ୯ ସେପ୍ଟେମ୍ବର ୨୦୨୪ରେ ରାଜାକୁ ରାଣୀ ରହୁଥିବା ‘ନାଇଟ୍ ହାଉସ’ରେ ଛଡ଼ାଯାଇଥିଲା।
ହେଲେ, ଉଭୟଙ୍କୁ ଅଲଗା ଅଲଗା ଏନ୍କ୍ଲୋଜରରେ ରଖାଯାଇ ସେମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟା ନିରୀକ୍ଷଣରେ ରଖାଯାଇଥିଲା। ପରସ୍ପରକୁ ଦେଖିବା ପରେ ମିଶିବା ପାଇଁ ସେମାନଙ୍କ ମଧ୍ୟରେ ବ୍ୟାକୁଳତା ବଢ଼ୁଥିବା ପରିଲକ୍ଷିତ ହୋଇଥିଲା। ପରିଶେଷରେ ଆଜି ପ୍ରଜନନ ପାଇଁ ଉଭୟଙ୍କୁ ଏକତ୍ର କରିବା ଉଦ୍ଦେଶ୍ୟରେ ଗୋଟିଏ ଏନ୍କ୍ଲୋଜରରେ ୭ ବର୍ଷର ରାଣୀ ସହିତ ୮ ବର୍ଷର ରାଜାକୁ ଛଡ଼ାଯାଇଥିଲା। ରାଜାରାଣୀ ଗୋଟିଏ ଏନ୍କ୍ଲୋଜର୍ରେ ରହିବାର ଏକ ଘଣ୍ଟା ମଧ୍ୟରେ ସେମାନେ ଏକାଠି ଦୃଷ୍ଟିଗୋଚର ହୋଇଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି। ସେମାନଙ୍କ ଗତିବିଧି ନିରୀକ୍ଷଣ ପାଇଁ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ଅପରପକ୍ଷରେ ଏନ୍କ୍ଲୋଜର୍ ମଧ୍ୟରେ ଥିବା ରାଜରାଣୀଙ୍କୁ ପର୍ଯ୍ୟଟକମାନେ ଦେଖିବା ନିମନ୍ତେ ୨୦ ଫୁଟ ଲମ୍ବ ଓ ୭ ଫୁଟ ଉଚ୍ଚର ଶକ୍ତ କାଚ (ଗ୍ଲାସ୍ ଭ୍ୟୁ) ଲଗାଯାଇଛି। ଏଭଳି ‘ଗ୍ଲାସ୍ ଭ୍ୟୁ’ ବ୍ୟବସ୍ଥା ଓଡ଼ିଶାରେ ପ୍ରଥମ ବୋଲି ସୂଚନା ଦିଆଯାଇଛି। ୨୦୨୩ ମସିହାରେ ଏକାଧିକ କଲରାପତରିଆଙ୍କୁ ଗୋଟିଏ ଜାଗାରେ ରଖିବା ନିମନ୍ତେ ଏହି ଚିଡ଼ିଆଖାନାରେ ଥିବା ଏନ୍କ୍ଲୋଜରକୁ ୫୫୦ ବର୍ଗମିଟରକୁ ସଂପ୍ରସାରଣ କରାଯାଇଛି। ଶେଷଥର ପାଇଁ ୧୯୮୨ ମସିହାରେ ନନ୍ଦନକାନନରେ କଲରାପତରିଆ ଛୁଆ ଜନ୍ମ ନେଇଥିଲେ ବୋଲି ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି। ସୂଚନାଯୋଗ୍ୟ ଯେ କଲରାପତରିଆ ବାଘୁଣୀ ଏକଥରରେ ୨/୩ଟି ଛୁଆ ଜନ୍ମ ଦେଇଥାନ୍ତି।