ବାମରା: ପ୍ରେମିକ ସହ ମନୋମାଳିନ୍ୟ ହେବା ପରେ ନାବାଳିକା ପ୍ରେମିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାଟି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗୋବିନ୍ଦପୁର ଥାନାଞ୍ଚଳରେ ଘଟିଛି। ପ୍ରାପ୍ତ ସୂଚନାନୁସାରେ ବାମରା ବ୍ଲକ ସଗରା ପଞ୍ଚାୟତର ଜନୈକା ୧୭ ବର୍ଷିଆ ନାବାଳିକାଙ୍କ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ନିଜ ସମ୍ପର୍କୀୟ ଯୁବକଙ୍କ ସହିତ ପ୍ରେମ ସଂପର୍କ ଥିଲା। ଉଭ​ୟେ ପ୍ରାୟତଃ ମୋବାଇଲରେ କଥାବାର୍ତ୍ତା କରୁଥିଲେ। ତେବେ ସୋମବାର ରାତିରେ ପ୍ରେମିକ ସହିତ ମୋବାଇଲ୍‌ରେ ନାବାଳିକା ଜଣକ ବହୁ ସମୟ ଧରି କଥାବାର୍ତ୍ତା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା।

Advertisment

ଫଳରେ ଯୁବକ ଜଣକ ନାବାଳିକାଙ୍କ ପ୍ରତି କଟୁ ଭାଷା ପ୍ରୟୋଗ କରିଥିଲେ। ଏଥିରେ ମର୍ମାହତ ହୋଇ ନାବାଳିକା ଜଣକ ପାଖରେ ଥିବା ନିଜ ମା’ଙ୍କ ଶାଢ଼ିରେ ଘର ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରକାଶ ଯେ, ନାବାଳିକା ଜଣକ ମୃତ୍ୟୁ ପୂର୍ବରୁ ନିଜ ସୋସିଆଲ ମିଡିଆ ଷ୍ଟାଟସରେ ପ୍ରେମିକ ଓ ଅନ୍ୟମାନଙ୍କୁ ବିଦାୟ ଜଣାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନାବାଳିକା ବ୍ରଜରାଜନଗର କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ଥିଲେ। ଏ ନେଇ ଗୋବିନ୍ଦପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।