୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହେବା ସହ ଶକ୍ତିଶାଳୀ ହୋଇଛି। ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି।

ତେବେ, ଆସନ୍ତା ୨୪ ଘଣ୍ଟା (ଅର୍ଥାତ୍‌ ୪ ଅକ୍ଟୋବର, ବୁଧବାର) ଅପରାହ୍ନ ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

କମଳା ଚେତାବନୀ/ ଅରେଞ୍ଜ ଓ୍ଵାର୍ଣ୍ଣିଂ
ଏହି ସମୟ ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ କମଳା ଚେତାବନୀ/ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ହଳଦିଆ ଚେତାବନୀ/ ୟେଲୋ ୱାର୍ଣ୍ଣିଂ

ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ ହଳଦିଆ ଚେତାବନୀ/ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ଆଂଶିକ ମେଘୁଆ ରହିଛି। ତେବେ, ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର