ଲୋୟର ଇନ୍ଦ୍ର ପ୍ରକଳ୍ପ ଥଇଥାନ ଅର୍ଥ ହଡ଼ପ! ୧.୮୨ କୋଟି ଆତ୍ମସାତ୍‌ କଲେ ୪୫ ଜାଲ୍‌ ବିସ୍ଥାପିତ

ପୁନର୍ବାସ ଓ ଥଇଥାନ ନିର୍ଦ୍ଦେଶକଙ୍କ ତଦନ୍ତ ନିର୍ଦ୍ଦେଶ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଓ ଖଡ଼ିଆଳ ବ୍ଲକ୍‌ ମଧ୍ୟସ୍ଥ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଜାଲ୍‌ ବିସ୍ଥାପିତଙ୍କ କେଳେଙ୍କାରୀ ଥମିବାର ନାଁ ନେଉନାହିଁ। ଏବେ ପ୍ରକଳ୍ପର ବିସ୍ଥାପିତ ଦର୍ଶାଇ ୪୫ ଜଣ ୧ କୋଟି ୮୨ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ବିଭାଗ ନିର୍ଦ୍ଦେଶକ ଏହାର ତଦନ୍ତ କରିବାକୁ ଆଜି ଖଡ଼ିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ତଥା ପୂନର୍ବାସ ଓ ଥଇଥାନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଲୋୟର୍‌ ଇନ୍ଦ୍ର ଜଳସେଚନ ପ୍ରକଳ୍ପର କୋମନା ବ୍ଲକ୍‌ ଅନ୍ତର୍ଗତ ବେଲଗାଁ, ହରିପୁର, ଲମ୍ବିପାଣି, କାଲିମାଟି, ରଜନା ଏବଂ ବୋଡ଼େନ ବ୍ଲକ୍‌ର ଦରଗାଁର ୪୫ ଜଣ ଜାଲ୍‌ ବିସ୍ଥାପିତଙ୍କ ନାଁରେ ୧ କୋଟି ୮୨ ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହୋଇଛି। ସେଥିରୁ କୋମ୍‌ନା ବ୍ଲକ ବେଲଗାଁର ପବିତ୍ର ମାଝୀଙ୍କ ନାଁରେ ୪.୫ ଲକ୍ଷ, ଚିତ୍ର ଗୌଡ଼ ଓ ସରସ୍ବତୀ ଭୋଇଙ୍କ ନାଁରେ ୪ ଲକ୍ଷ ଲେଖାଏଁ, ପର୍ଶୁରାମ ଶଗରିଆ, ବିଶ୍ବାଲ ଭୋଇ ଓ ଆକବର ଗୌଡ଼ଙ୍କ ନାଁରେ ୪.୩୬ ଲକ୍ଷ ଲେଖାଏଁ, ମଙ୍ଗଳ ଗୌଡ଼ଙ୍କ ନାଁରେ ୨.୨୬ ଲକ୍ଷ, ଲମ୍ବିପାଣି ଗାଁର ଛବିଲାଲ ସାହୁଙ୍କ ନାଁରେ ୪ ଲକ୍ଷ, ଲିଙ୍ଗ ପହରିଆଙ୍କ ନାଁରେ ୪.୮୧ ଲକ୍ଷ, ହରିପୁର ଗାଁର କାର୍ତ୍ତିକ ହରିଜନ, ଲମ୍ବୋଦର ହରିଜନ, ଜିତେନ୍ଦ୍ର ହରିଜନ, ଭବାନୀ ହରିଜନ, କୃଷ୍ଣଚନ୍ଦ୍ର ହରିଜନ, ସୌରଭ ହରିଜନ ଓ ଅରକ୍ଷିତ ହରିଜନଙ୍କ ନାଁରେ ୪ ଲକ୍ଷ ଲେଖାଏଁ, କାଲିମାଟି ଗାଁର ସିଙ୍ଗଲସାଏ ମାଝୀଙ୍କ ନାଁରେ ୨ ଲକ୍ଷ ୮ ହଜାର ୭୬୮, ରଜନାର ଜଗଦୀଶ ପୋଡ଼, ରାଜା ଚିନ୍ଦା ଓ ଗଣ୍ତାରାମ ଶଗରିଆଙ୍କ ନାଁରେ ୪ ଲକ୍ଷ ଲେଖାଏଁ, ତରୁଣ ଶଗରିଆ, କୋମଲ ଶଗରିଆ, ସଡୁ ଶଗରିଆ ଓ ମହିନ ହାତୀଙ୍କ ନାଁରେ ୪.୩୬ ଲକ୍ଷ ଲେଖାଏଁ, ରୁଦ୍ରେଶ୍ବର ବାଗଙ୍କ ନାଁରେ ୨ ଲକ୍ଷ, ବସନ୍ତ ଶଗରିଆ, ରିତେଶ ଶଗରିଆ, ଈଶ୍ବର ହରିଜନ, ଭୁବନେ ଚିନ୍ଦା ଓ ବାଳଦେଇ ସଲମାଙ୍କ ନାଁରେ ୪ ଲକ୍ଷ ଲେଖାଏଁ, ତରୁଣ ଶଗରିଆ, କୋମଲ ଶଗରିଆ, ଧନମତୀ ଶଗରିଆ, ରାଇମନ ପୋଡ଼ ଓ ପରମା ପୋଡ଼ଙ୍କ ନାଁରେ ୪.୩୬ ଲକ୍ଷ ଲେଖାଏଁ ଟଙ୍କା ଆତ୍ମସାତ କରାଯାଇଛି। ସେହିପରି ବୋଡ଼େନ ବ୍ଲକ୍‌ ଦରଗାଁର ଯୋଗେନ୍ଦ୍ର ସୁନାନୀଙ୍କ ନାଁରେ ୫.୪୭ ଲକ୍ଷ, ଗୌରୀଶଙ୍କର ମାଝୀ, ଜଗମୋହନ ମାଝୀ, ସିଙ୍ଗଲସାଏ ମାଝୀ, ଡିଙ୍ଗର ମାଝୀ ଓ ଲୋଚନ ମାଝୀଙ୍କ ନାଁରେ ୪.୩୬ ଲକ୍ଷ ଟଙ୍କା ଲେଖାଏଁ, ପୂଣ୍ୟ ଦଲଙ୍କ ନାଁରେ ୨.୭୬ ଲକ୍ଷ, ପୁନେ ଦଲଙ୍କ ନାଁରେ ୨ ଲକ୍ଷ, ସୁବନ ଦୀପ ଓ ଯୋଗେନ୍ଦ୍ର ସୁନାନୀଙ୍କ ନାଁରେ ୫.୪୭ ଲକ୍ଷ ଟଙ୍କା ଲେଖାଏଁ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ଗୁରୁବାର ଜଳ ସମ୍ପଦ ବିଭାଗର ଚିଠି ସଂଖ୍ୟା ୧୮୪୧୪ରେ ପୂନର୍ବାସ ଓ ଥଇଥାନ ବିଭାଗ ନିର୍ଦେଶକ ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବ ଅଲୋକ କର ଏହାର ତଦନ୍ତ କରିବାକୁ ଖଡ଼ିଆଳ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ତଥା ଥଇଥାନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଏକକିତା ନକଲ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।

ସୂଚନାଥାଉକି, ୨୦୨୦ ଡିସେମ୍ବର ୩୦ରେ ଦରଗାଁର ଗୌରୀଶଙ୍କର ମାଝୀ ଓ ସିଙ୍ଗଲସାଏ ମାଝୀଙ୍କ ପରିବାରର ୫ ଜଣ କ୍ଷତିଗ୍ରସ୍ତ ବିସ୍ଥାପିତଙ୍କ ୨୩ ଲକ୍ଷ ୮୮ ହଜାର ୭୬୮ ଟଙ୍କା ସରକାରୀ ସହାୟତା ରାଶିକୁ ବିଭାଗୀୟ ଅଧିକାରୀ, ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଆତ୍ମସାତ୍‌ କରିଥିଲେ। ଏହି ଘଟଣାରେ ଦଲାଲ ଶ୍ୟାମ ଅଗ୍ରୱାଲ ଓ ଜଣେ ବ୍ୟାଙ୍କ କର୍ମଚାରୀ ଗିରଫ ହୋଇଥିବାବେଳେ ତତ୍କାଳୀନ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନନ୍ଦ କିଶୋର ତାଣ୍ତି ଜାମିନରେ ଆସିଥିଲେ। ବର୍ତ୍ତମାନ ଉକ୍ତ ୪୫ ଜଣଙ୍କ ଥଇଥାନ ରାଶି ଆତ୍ମସାତ ହୋଇଥିବାରୁ ଏମାନଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହେଉଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହୋଇଛି।

ସମ୍ବନ୍ଧିତ ଖବର