ଲୋୟର ଇନ୍ଦ୍ର ପ୍ରକଳ୍ପର ଉଦ୍‌ଘାଟନ ଆଜି: ନୂଆପଡ଼ାରେ ୪ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା/ଖଡ଼ିଆଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ବଡ଼ ଉପହାର ନେଇ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କୋଭିଡ୍ କଟକଣା ପରେ ପଶ୍ଚିମ ଓଡ଼ିଶାକୁ ଏହା ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଗସ୍ତ ହେବ। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୪ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାମଧ୍ୟରେ ଜିଲ୍ଲାର ବୃହତ୍ତମ ଓ ଦୀର୍ଘ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଅନେକ ବାଦବିବାଦ ଓ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରିଥିବା ୧୯୨୫ କୋଟି ୬୩ ଲକ୍ଷ ଟଙ୍କାର ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ଜିଲ୍ଲାବାସୀ ୨୦ ବର୍ଷ ହେଲାଣି ଅପେକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୬ଜଣ ମନ୍ତ୍ରୀ ଓ ୪୦ ଜଣ ବିଧାୟକ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ବି ରହିଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୨ଟି ସ୍ଥାନରେ ବଡ଼ ପରଦା ଲଗାଯାଇ କାର୍ଯ୍ୟକ୍ରମର ସିଧାପ୍ରସାରଣ ବ୍ୟବସ୍ଥା ହୋଇଛି।

ପ୍ରଶାସନ ପକ୍ଷରୁ ମିଳିଥିବା କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବୁଧବାର ସକାଳ ସାଢ଼େ ୯ଟାରେ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଜାହାଜରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ତିଖାଲି ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ସ୍ଥାନକୁ ପହଞ୍ଚି ସେଠାରେ ପ୍ରଥମେ ପ୍ରକଳ୍ପ ଉଦ୍‌ଘାଟନ କରିବେ। ୨୦୦୦ ମସିହା ମଇ୭ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ଏହାପରେ ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡ଼ିଆରେ ପହଞ୍ଚି ସେଠାରେ ଏକ ସାଧାରଣ ସଭାରେ ଯୋଗଦେବେ। ଏହି ସ୍ଥାନରୁ ୪ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ଅନ୍ୟପଟେ ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ବିସ୍ଥାପିତ କୋମନା ବ୍ଲକ୍‌ କାଳୀମାଟି ଗ୍ରାମର ୧୦ଟି ପରିବାର କ୍ଷତିପୂରଣ ମିଳିନଥିବାରୁ ଆଜି ପର୍ଯ୍ୟନ୍ତ ଭିଟାମାଟି ଛାଡ଼ିନାହାନ୍ତି। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିବାରୁ, ଜିଲ୍ଲା ପ୍ରଶାସନ ଏହି ପରିବାରର ଲୋକଙ୍କୁ ରଜନା ସ୍କୁଲ୍‌ରେ ଏକ ଅସ୍ଥାୟୀ କ୍ୟାମ୍ପ୍‌ କରି ରଖିଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ କରିବାକୁ ପ୍ରଶାସନିକ ଅଧିକାରୀ ଓ‌ ନେତାମାନେ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର