ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମାର୍ଗଦର୍ଶିକା ଉନ୍ମୋଚିତ

ବଲାଙ୍ଗୀର: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କ ସୂଚନା ନିମନ୍ତେ ଜମି ଅଧିଗ୍ରହଣ, ଥଇଥାନ ଏବଂ ପୁନଃ ବସତିରେ କ୍ଷତିପୂରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକାର ଆଇନ ୨୦୧୩ ତଥା ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି ୨୦୦୬ର ବିଭିନ୍ନ ଉପାଦେୟ ସୂଚନା ସମ୍ବଳିତ ଏକ ମାର୍ଗଦର୍ଶିକା ପୁସ୍ତିକା ବୁଧବାର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା କାର୍ଯ୍ୟାଳୟର ଭୂଅର୍ଜନ ଅଧିକାରୀ ଫାଲଗୁନୀ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏହି ମାର୍ଗଦର୍ଶିକା ପୁସ୍ତିକା ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀଙ୍କୁ ବଣ୍ଟନ କରାଯିବ।

ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପରୋକ୍ତ ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇବା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଥଇଥାନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ସଙ୍ଗେ ସଙ୍ଗେ ପ୍ରଭାବିତ ପରିବାରଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ପୁସ୍ତିକା ପ୍ରସ୍ତୁତ କରାଯାଇଛି। ଏହି ମାର୍ଗଦର୍ଶିକା ପୁସ୍ତିକାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସବିଶେଷ ବିବରଣୀ, ଜମି ଅଧିଗ୍ରହଣ ଏବଂ ପୁନଃ ବସତିରେ କ୍ଷତିପୂରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକାର ଆଇନ ୨୦୧୩ରେ ପ୍ରକଳ୍ପ ପ୍ରଭାବିତ ଗ୍ରାମମାନଙ୍କର ବିବରଣୀ ଜମି ଅଧିଗ୍ରହଣ, ଥଇଥାନ ଓ ପୁନଃ ବସତି କ୍ଷତିପୂରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକାର ଆଇନ ଜମି ଅଧିଗ୍ରହଣ କ୍ଷତିପୂରଣ ପୁନର୍ବାସ ଓ ଥଇଥାନ ନୀତି ୨୦୦୬ର କାର୍ଯ୍ୟକାରିତା ପ୍ରକଳ୍ପ କ୍ଷେତ୍ରରେ ବିସ୍ଥାପିତ ପରିବାର ଓ କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ଥଇଥାନ ପ୍ୟାକେଜ ପୁନଃ ବସତି ଓ ଥଇଥାନ ବସ୍ତି ବାସିନ୍ଦାଙ୍କ ପାଇଁ ଭିତ୍ତିଭୂମି ପୁନର୍ବାସ ଓ ଥଇଥାନ କ୍ଷତିପୂରଣ ରାଶି ଉପାଦେୟ ସୂଚନା ଉଲ୍ଲେଖ କରାଯାଇଛି।

ଏହି ମାର୍ଗଦର୍ଶିକା ପୁସ୍ତିକା ମାଧ୍ୟମରେ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ଜନସାଧାରଣ ସେମାନଙ୍କ ମଧ୍ୟରେ ଥିବା ସନ୍ଦେହ ଦୂର କରି ପାରିବେ ଏବଂ ଏହା ସେମାନଙ୍କ ପାଇଁ ଉପାଦେୟ ତଥା ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର