ନିଷ୍ପତ୍ତିରୁ ଓହରିଲେ ସରକାର, ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନା ବନ୍ଦ

ଐତିହ୍ୟ କ୍ଷେତ୍ରରେ ଆଧ୍ୟାତ୍ମିକତା ଅକ୍ଷୁଣ୍ଣ ରହିବ: ଜିଲ୍ଲାପାଳ

ପୁରୀ : ଶ୍ରୀକ୍ଷେତ୍ରରେ ମଦ କୁଡ଼ିଆ ଖୋଲିବା ନିଷ୍ପତ୍ତିରୁ ଶେଷରେ ଓହରିଛନ୍ତି ସରକାର। ଗତକାଲି ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗର ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ଶୁକ୍ରବାର ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଏହି ନିଷ୍ପତ୍ତି ପରେ ବିଭିନ୍ନ ସଂଗଠନ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବି ସ୍ବାଗତ ଜଣାଇଛନ୍ତି। ଧର୍ମ କ୍ଷେତ୍ରର ଐତିହ୍ୟ, ସଂସ୍କୃତି, ପରମ୍ପରା ବଜାୟ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ରଖିଛନ୍ତି।

ଓଡ଼ିଶାର ୬ଟି ଜିଲ୍ଲାର ୪୮୨ କ‌ିଲୋମିଟର ବ୍ୟାପ୍ତ ବେଳାଭୂମିରେ ଏଭଳି ବିଚ୍‌ ସାକ୍‌ସ(ମଦ କୁଡ଼ିଆ) ଖୋଲିବାକୁ ନିଷ୍ପତ୍ତି ନେଇଥିଲା ଓଟିଡିସି(ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ)। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଟିଡିସି ଓଡ଼ିଶା ଅବକାରୀ ପଲିସି-୨୦୨୧ ଆଧାରରେ ଏହି ବିଚ୍‌ ସାକ୍‌ସ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ ପୁରୀ ଜିଲ୍ଲାର ପୁରୀ-କୋଣାର୍କ ବେଳାଭୂମି ସହ ବାଲେଶ୍ବର ଜିଲ୍ଲା ତଳସାରି-ଉଦୟପୁର ବେଳାଭୂମି, ଚାନ୍ଦିପୁର ବେଳାଭୂମି, ଜଗତସିଂହପୁର ଜିଲ୍ଲାର ପାରାଦୀପ ବେଳାଭୂମି, ଗଞ୍ଜାମ ଜିଲ୍ଲାର ପଟି ସୋନପୁର ବେଳାଭୂମି ଓ ଗୋପାଳପୁର ବେଳାଭୂମିରେ ଏହି ବିଚ୍‌ ସାକ୍‌ସ କରିବାକୁ ଯୋଜନା କରାଯାଇଥିଲା। ପୁରୀ ଜିଲ୍ଲାରେ ୫ଟି ବିଚ୍‌ ସାକ୍‌ସ ଖୋଲିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଜାଗା ଚିହ୍ନଟ ଦାୟିତ୍ବ ଦିଆଯାଇଥିଲା। ଆଗ୍ରହୀ ବ୍ୟକ୍ତିଙ୍କଠାରୁ ଏଥିପାଇଁ ଆବେଦନଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଟେଣ୍ଡର ଖୋଲିବା ପ୍ରକ୍ରିୟା ବି‌ ଶେଷ ହୋଇଥିଲା। କେବଳ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇବା ବାକି ରହିଥିଲା।

ଜିଲ୍ଲା ପ୍ରଶାସନ ବି ଜାଗା ଖୋଜିବା ପ୍ରକ୍ରିୟା ଆରମ୍ଭ କରି ସାରିଥିଲା। କିନ୍ତୁ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଏହାକୁ ନେଇ ବିରୋଧ ଦେଖାଦେଇଥିଲା। ରାଜ୍ୟର କୋଣ ଅନୁକୋଣର ବିଭିନ୍ନ ସଂଗଠନ ଏକାଠି ହୋଇ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଐତିହ୍ୟ ସମ୍ପନ୍ନ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶକୁ କଳୁଷିତ ନ କରିବାକୁ ନିବେଦନ କରିଥିଲେ। ଯଦି ମଦ କୁଡ଼ିଆ ହୁଏ, ଏହା ବିରୋଧରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଥିଲେ। ଜିଲ୍ଲାପାଳଙ୍କୁ ବି ଏ ସମ୍ପର୍କରେ ଦାବିପତ୍ର ଦେଇଥିଲେ। ବିଭିନ୍ନ ରାଜନୈତିକ ଦଳ ବି ଏହା ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଥିଲେ। ବିଭିନ୍ନ ମହଲରୁ ଚାପ ପରେ ଶେଷରେ ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି।

ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାରେ ମଦ କୁଡ଼ିଆ(ବିଚ୍‌ ସାକ୍‌ସ) ଯୋଜନାକୁ ବନ୍ଦ କରି ଦିଆଯାଇଛି। ଯେହେତୁ ପୁରୀ ସାରା ବିଶ୍ବର ଆଦର୍ଶ, ଏକ ଐତିହ୍ୟ ସହର, ଏହାର ସ୍ବଚ୍ଛତା ତଥା ଆଧ୍ୟାତ୍ମିକ ପରିବେଶକୁ କୌଣସି ପରିସ୍ଥିତିରେ ନଷ୍ଟ କରିବାକୁ ଦିଆଯିବନି।

ପୂର୍ବଭଳି ଐତିହ୍ୟ ବିକାଶର ଧାରା ବଜାୟ ରହିବ। କେହି ବି ଏଥିରେ ପ୍ରତିବନ୍ଧକ ସାଜି ପାରିବେନି ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବେଳାଭୂମି ନିଶାମୁକ୍ତି ଅଭିଯାନ ପକ୍ଷରୁ ସ୍ବାଗତ କରାଯାଇଛି। ୫୦ରୁ ଅଧିକ ସଂଗଠନକୁ‌ ନେଇ ଗଠିତ ଏହି ସଂଗଠନ ଶ୍ରୀକ୍ଷେତ୍ର ପୁରୀର ଐତିହ୍ୟ କରିଡର ବିକାଶ କାର୍ଯ୍ୟ ଅବ୍ୟାହତ ରଖିବାକୁ ରାଜ୍ୟ ସରକାରଙ୍କଠାରେ ନିବେଦନ କରିଛି। ଶ୍ରୀକ୍ଷେତ୍ର ଆଧ୍ୟାତ୍ମିକ ପରିବେଶ ଯେଭଳି ବଜାୟ ରହିବ ସେ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର