ମାଫିଆ ଭାଙ୍ଗିଲେ ଲୁହା ଫାଟକ, ଲଗାଇଲା ପୂର୍ତ୍ତ ବିଭାଗ

କବାଟବନ୍ଧ: ବ୍ରାହ୍ମଣୀ ନଦୀର ଯାବରା-ଜେନାପୁର ସେତୁ ନିର୍ମାଣ ପରେ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ଜେନାପୁର ପଟେ ଭାରୀଯାନ ଚଳାଚଳ ରୋକିବାକୁ ଏକ ଲୁହା ଗେଟ୍ ନିର୍ମାଣ କରାଯାଇଥିଲା। ଗତ ଅଢ଼େଇମାସ ହେଲା କିଛି ମାଫିଆ ଭାରୀଯାନ ଦ୍ବାରା ଉକ୍ତ ଲୁହା ଗେଟ୍‌କୁ ବଙ୍କା କରିଦେବା ସହ ପରେ ଏହାକୁ ଖୋଲିନେଇଥିଲେ। ଗେଟ୍ ଭଙ୍ଗାହେବା ପରଠାରୁ ଏହି ସେତୁଦେଇ ପ୍ରବଳ ମାତ୍ରାରେ ଚିପ୍ସ, ମେଟାଲ, ବାଲି, ମୋରମ ବୋଝେଇ ଭାରୀଯାନ ଚଳାଚଳ କରୁଥିଲା।

ଏହାଦ୍ବାରା ମାତ୍ର ଦୁଇବର୍ଷ ତଳେ ନିର୍ମିତ ଏହି ପୋଲ କ୍ଷତିଗ୍ରସ୍ତ ହେବା ସହ ପୋଲ ଉପରେ ଥିବା ଜଏଣ୍ଟ ପ୍ଲେଟ୍ ଉଠିଯାଇଥିଲା। ଅନେକ ସ୍ଥାନରେ ପୋଲର କଂକ୍ରିଟ ମଧ୍ୟ ଫାଟିଯାଇଥିବାର ଦେଖାଯାଇଛି। ସେଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ରବିବାର ରାତିରେ ପୁନର୍ବାର ଲୁହାଗେଟ୍ ଲଗାଯାଇଛି। ଅପରପକ୍ଷରେ ଚୋରା ଲଘୁଖଣିଜ ପଦାର୍ଥ ପରିବହନ କରିବା ପାଇଁ ମାଫିଆମାନେ ପୁଣିଥରେ ଉକ୍ତ ଲୁହାଫାଟକ ଭାଙ୍ଗିବା ପାଇଁ ସଜବାଜ ହେଉଥିବାର ଜଣାପଡ଼ିଛି।

ସମ୍ବନ୍ଧିତ ଖବର