ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟଙ୍ଗୀ ଅଞ୍ଚଳରେ ଗୋଚରକୁ ନେଇ ସଂକଟ ଦେଖାଯାଇଛି। ଅଧିକାଂଶ ଗୋଚର ଜମି ଏବେ ମାଫିଆଙ୍କ କବ୍‌ଜାକୁ ଚାଲିଗଲାଣି। ଏପରିକି ଅନେକ ଗୋଚର ଜମିରେ ମାଙ୍କଡ଼ା ପଥର ଖଣି ଖୋଳାଯାଇଥିବା ଦେଖିବାକୁ ମିଳୁଛି। ଉଭୟ ଟାଙ୍ଗୀ ଓ ଖୋର୍ଦ୍ଧା ତହସିଲ ଅଧୀନରେ ଥିବା ଶହଶହ କାଜୁ ବଗିଚା ସମେତ ଗୋଚରଜମି ଏବେ ଖଣି ମାଫିଆଙ୍କ କବ୍‌ଜାରେ ରହିଛି। ବିଭାଗୀୟ ଉଦାସୀନତା ଯୋଗୁଁ ଏହି ଜମିଗୁଡ଼ିକ ମାଫିଆମାନଙ୍କ ହାତରେ ରହିଥିବାବେଳେ ଦୈନିକ ସରକାରଙ୍କର ବିପୁଳ ରାଜସ୍ୱହାନୀ ଘଟୁଛି। ସ୍ଥିତି ଏଭଳି ହେଲାଣି ଯେ ଗୋଚର ଜମିରେ ଏବେ ୫୦ରୁ ୬୦ ଫୁଟ୍‌ର ପୋଖରୀ ସୃଷ୍ଟି ହେଲାଣି। ଏଥିପାଇଁ ପରିବେଶ ନଷ୍ଟ ହେଉଥିବା ବେଳେ ପ୍ରଶାସନ ଆଖିରେ ଧୂଳିଦେଇ ମାଫିଆମାନେ ରାତିଅଧିଆ ପଥରକାଟି ସେମାନଙ୍କ ବେପାର ଚଳାଉଛନ୍ତି। ବେଳକୁ ବେଳ ମାଫିଆଙ୍କ ଉତ୍ପାତ ବଢ଼ିବା କାରଣରୁ ଗାଈଗୋରୁ ଚରିବା ପାଇଁ ଆଉ ଚାରଣଭୂମି ଖଣ୍ଡେ ମଧ୍ୟ ନାହିଁ। ଏହି ଖଣି ସୃଷ୍ଟି ହେବା କାରଣରୁ ଚରିବାକୁ ଯାଉଥିବା ଗାଈଗୋରୁ ଖୋଳା ଯାଇଥିବା ଖଣି ପୋଖରୀରେ ପଡ଼ି ମଧ୍ୟ ପ୍ରାଣ ହରାଉଛନ୍ତି।

Advertisment

କେବଳ ଗୋଚର ଜମି ନୁହେଁ, ଚାଷ ଜମି ଉପରେ ମଧ୍ୟ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଅନେକ ଅନାବାଦୀ ଜମି ମଧ୍ୟ ପଥର ଖଣି ଯୋଗୁ ନଷ୍ଟ ହୋଇଗଲାଣି। ବିଗତ ଦିନରେ ସ୍ଥାନୀୟ ପାହାଡ଼ ଓ ଜଙ୍ଗଲରୁ ବହି ଆସୁଥିବା ବର୍ଷା ଜଳ ସ୍ଥାନୀୟ କୃଷି କାର୍ଯ୍ୟରେ ବେଶ ସହାୟକ ହେଉଥିଲା। ବର୍ଷା ଛାଡିଯିବା ପରେ ମଧ୍ୟ ନିଗିଡା ପାଣିରେ ଚାଷ କାର୍ଯ୍ୟ ଏକ ପ୍ରକାର ସମ୍ଭବ ହୋଇପାରୁଥିଲା। ହେଲେ ଏହା ଏବେ ଆଉ ସମ୍ଭବ ହୋଇପାରୁନାହିଁ। କାରଣ ଯେଉଁ ବାଟ ଦେଇ ଚାଷ ଜମିକୁ ପାଣି ଆସୁଥିଲା ତାହା ଏବେ ଜବରଦଖଲ ଯୋଗୁ ବନ୍ଦ ହୋଇଗଲାଣି। ଯାହା ଜଙ୍ଗଲ ପାହାଡ଼ରୁ ପାଣି ଆସୁଛି ତାକୁ ଖଣିଗୁଡିକ ଶୋଷି ନେଉଛି। ବିନା କାରଣରେ ଖଣି ଭିତରେ ପାଣି କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଚାଷ କ୍ଷେତ ଏବେ ଶୁଖିଲା ପଡିଛି।