ପୁରୀ/ଖୋର୍ଦ୍ଧା/ନୟାଗଡ଼: ରାଜନୈତିକ ଗୁରୁତ୍ବ ଦୃଷ୍ଟିକୋଣରୁ ୩ ପ୍ରମୁଖ ଜିଲ୍ଲା ପୁରୀ, ନୟାଗଡ଼ ଓ ଖେର୍ଦ୍ଧା ଜିଲ୍ଲାରେ ବିରୋଧୀ ଶିବିରକୁ ଏକପ୍ରକାର ଧ୍ବସ୍ତବିଧ୍ବସ୍ତ କରିଦେଇଛି ଶାସକ ବିଜେଡି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ହୁଅନ୍ତୁ ଅବା ସାଂସଦ ଅପରାଜିତା ଷଡ଼ଙ୍ଗୀ, କେହି ନିଜ ଦୁର୍ଗ ରଖିବାରେ ସଫଳ ହୋଇପାରିନାହାନ୍ତି।

Advertisment

ଏପରିକି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କୁ ବି ନିଜ ନିର୍ବାଚନମଣ୍ଡଳୀରେ ଶକ୍ତ ଧକ୍‌କା ଲାଗିଛି। ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଗଡ଼ରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଗଡ଼ରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି କ୍ଲିନ୍‌ସ୍ବିପ୍‌ ମାରିଛନ୍ତି।

୨୦୧୯ ମସିହା ସାଧାରଣ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରୁ ବିଜୟ ହାସଲ କରି ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ ଅପରାଜିତା ଷଡ଼ଙ୍ଗୀ। ତେବେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା-ବାଣପୁର ପୁରୀ ସଂସଦୀୟ କ୍ଷେତ୍ର‌ରେ ଅବସ୍ଥିତ, ଯେଉଁଠି ପ୍ରତିଦ୍ବନ୍ଦ୍ବିତା କରୁଥିଲେ ବିଜେପିର ଜାତୀୟ ସ୍ତରୀୟ ନେତା ଡା. ସମ୍ବିତ୍‌ ପାତ୍ର। ଏହିଦୃଷ୍ଟିରୁ ଚଳିତ ପଞ୍ଚାୟତ ନିର୍ବାଚନ‌ରେ ବିଜେପି ଆଶାନୁରୂପ ସଫଳତା ହାସଲ କରିବ ବୋଲି ଆଶା କରାଯାଉଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ପ୍ରାୟ ଏକମାସ ଧରି ଜିଲ୍ଲାର ବିଭିନ୍ନ ଜୋନ୍‌ରେ ପ୍ରଚାର କରିଥିଲେ। ମାତ୍ର, ୧୪ଟି ଜୋନ୍‌ ମଧ୍ୟରୁ ଗୋଟିଏ ବି ବିଜେପି ହାତେଇବାକୁ ସକ୍ଷମ ହୋଇନାହିଁ।

ଅପରପକ୍ଷରେ, ଗତ ନିର୍ବାଚନରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେପି ୬ଟି ଜୋନ୍‌ରୁ ୫ଟି ବିଜୟ ହାସଲ କରିଥିଲା। ଏଥର କିନ୍ତୁ ଏହା ୨କୁ ଖସି ଆସିଛି। ବିଜେପିର ଯୁବନେତା ପୃଥ୍ବୀରାଜ ହରିଚନ୍ଦନ, ବେଗୁନିଆରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦଙ୍କ ପ୍ରଚାର ତଥା ରଣନୀତି କୌଣସି ପ୍ରକାରେ ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ, କଂଗ୍ରେସର ଟାଣୁଆ ନେତା ସୁରେଶ କୁମାର ରାଉତରାୟ ଜଟଣୀ ବିଧାୟକ ଭାବେ ନିର୍ବାଚିତ ହେବାପରେ ଏହି ନିର୍ବାଚନମଣ୍ଡଳୀରେ ଦଳ ବିଜୟ ଆଶା ରଖିଥିଲା। ମାତ୍ର, ବେଗୁନିଆ ବ୍ଲକ୍‌ର ଦୁଇଟି ଜୋନ୍ ଓ ଜଟଣୀର ଦୁଇଟି ଜୋନ୍ ବ୍ୟତୀତ ଅନ୍ୟକୌଣସି ଜୋନରେ କଂଗ୍ରେସ ପ୍ରାର୍ଥୀ ସର୍ବନିମ୍ନ ଭୋଟ ହାସଲ କରିବାରେ ମଧ୍ୟ ସକ୍ଷମ ହୋଇପାରିନାହାନ୍ତି।

ନୟାଗଡ଼ ଜିଲ୍ଲାରେ ବି ବିଜେପିକୁ ନିରାଶ ହେବାକୁ ପଡ଼ିଛି। ଗତ ନିର୍ବାଚନ‌ରେ ରଣପୁରରେ ନିର୍ବାଚନମଣ୍ଡଳୀରେ ବିଜେପି ୪ଟି ଜୋନ୍‌ରେ ବିଜୟ ହାସଲ କରିବା ପରେ ଏହାର ଶ୍ରେୟ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନିକଟକୁ ଯାଇଥିଲା। ମାତ୍ର, ଚଳିତ ନିର୍ବାଚନରେ ବିଜେପି ତଥା ଶ୍ରୀମତୀ ପାଢ଼ୀଙ୍କୁ ନିରାଶ ହେବାକୁ ପଡ଼ିଛି। କେବଳ ଶ୍ରୀମତୀ ପାଢ଼ୀ ନୁହନ୍ତି; ଜିଲ୍ଲା ବିଜେପି ସଭାପତି ଲାଲାମନୋଜ ରାୟ, ତାଙ୍କ ପତ୍ନୀ ଇରାନୀ ରାୟଙ୍କୁ ମଧ୍ୟ ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ଜୋରଦାର ଝଟ୍‌କା ଲାଗିଛି।

ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଗୋଟିଚାଲନା ଯୋଗୁ ଦ୍ବିତୀୟ ପର୍ଯ୍ୟାୟ ଗଣତି ସୁଦ୍ଧା ୪ଟି ଜୋନ୍‌କୁ ବିଜେଡି ଅକ୍ତିଆର କରିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ୬ଟି ଜୋନ୍‌ ମଧ୍ୟରୁ ଖବର ହସ୍ତଗତ ସୁଦ୍ଧା ୩ଟିକୁ ବିଜେଡି ଅକ୍ତିଆର କରିସାରିଛି। ଅନ୍ୟ ଜୋନ୍‌ଗୁଡ଼ିକ ମଧ୍ୟ ବିଜେଡି ହାତକୁ ଯିବା ଏକପ୍ରକାର ସ୍ପଷ୍ଟ ହୋଇଛି। ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥଶେଖର ସିଂହ ଏଠାରେ ବିଜେପିର ମଙ୍ଗ ସମ୍ଭାଳୁଥିଲେ। ସେହିଭଳି, କଂଗ୍ରେସ ପ୍ରାର୍ଥୀ ଜିଲ୍ଲାର ୨୪ଟି ଜୋନ୍‌ରେ କେବଳ ନାମକୁ ମାତ୍ର ପ୍ରତିଦ୍ବନ୍ଦ୍ବିତା କରି ଥିବାରୁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶଙ୍କ ଦକ୍ଷତା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ, ପୁରୀ ଜିଲ୍ଲ‌ାରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କିମ୍ବା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କେହି ନିଜ ଦୁର୍ଗ ରଖିବାରେ ସଫଳ ହୋଇପାରିନାହାନ୍ତି। ବ୍ରହ୍ମଗିରି ବିଧାୟକ ଶ୍ରୀ ମହାପାତ୍ରଙ୍କ ଗଡ଼ରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଗଡ଼ରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି କ୍ଲିନ୍‌ସ୍ବିପ୍‌ ମାରିଛନ୍ତି।
ଦ୍ବିତୀୟ ଦିନ ଗଣତି ସୁଦ୍ଧା ବିଜେଡି ପୁରୀରେ ୨୧ଟି, ନୟାଗଡ଼ରେ ୧୫ଟି ଓ ଖୋର୍ଦ୍ଧାରେ ୧୮ଟି ଆସନ ଜିଣି ଜିଲ୍ଲାପରିଷଦ ଗଠନ କରିବା ନିଶ୍ଚିତ କରିସାରିଛି।