ସୁଖାସୋଡ଼ାରେ ଶୁଖିଲା ମହାନଦୀ, ଜଳକଷ୍ଟ ଅସହ୍ୟ

ସୁଖାସୋଡ଼ାରେ ଶୁଖିଲା ମହାନଦୀ, ଜଳକଷ୍ଟ ଅସହ୍ୟ

ଝାରସୁଗୁଡ଼ା: ଗ୍ରୀଷ୍ମ ଋତୁ ଆସିଗଲେ ନଦୀକୂଳିଆ ଗାଁମାନଙ୍କରେ ପାଣି ପାଣିର ଚିତ୍କାର ଶୁଭୁଛି। ଜଳକଷ୍ଟ ଅସହ୍ୟ ହୋଇପଡ଼ିଥିବାବେଳେ ଆକାଶରୁ  ଅଗ୍ନିବର୍ଷାରେ ଜୀବନ ଦୁର୍ବିସହ ହୋଇପଡିଛି। ଏଣେ ନଦୀଶଯ୍ୟାର ବାଲି ତାତି ଉଠୁଥିବାରୁ ନାହିଁ ନଥିବା ଝାଞ୍ଜି ପିଟୁଛି। କିଛି ମାସ ଆଗରୁ  ବନ୍ୟାପାଣି କୂଳ ଛୁଉଁଥିବା ବେଳେ ଏବେ ନଦୀ ଶଯ୍ୟାରେ ପାଣି ଟୋପେଏ ଖୋଜିଲେ ମିଳୁନାହିଁ। ଏଭଳି ସମସ୍ୟା ଦେଖା ଦେଇଛି ମହାନଦୀର ପ୍ରବେଶପଥ ସୁଖାସୋଡ଼ା ଠାରେ।

ଝାରସୁଗୁଡ଼ା ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗି ରହିଥିବା ଗାଁ  ସୁଖାସୋଡ଼ା ଠାରେ ମହାନଦୀ ଓଡ଼ିଶାକୁ ପ୍ରବେଶ କରିଥାଏ। ତେବେ ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ  ଓଡ଼ିଶା ସୀମାରେ ପ୍ରବେଶ କରିଥିବା ମହାନଦୀର ଧାର ଶୁଖିଯାଇଛି।  ତେବ‌େ ହୀରାକୁଦ ଜଳଭଣ୍ଡାର ପଛୁଆ ପାଣି ସୀମାନ୍ତ ଗ୍ରାମ ସୁଖାସୋଡା ନିକଟ ପର୍ଯ୍ୟନ୍ତ ଥିବା ବେଳେ ବାକି  ଅଂଶ ଶୁଖି ଯାଇଥିବା ଦେଖା ଯାଇଛି। ନଦୀ ପଠା ଶୁଖି ଯିବା ପରେ ଆଖପାଖ ଗ୍ରାମର ଲୋକ‌େ ସେଠାରେ ଚାଷବାସ କରିଥାନ୍ତି। ଗତ ଜାନୁୟାରୀ ମାସରୁ ନଦୀର ଧାର ଛିଡ଼ିବା ଆରମ୍ଭ କରୁଥିବା ବେଳେ ନଦୀଶଯ୍ୟାର ଶୁଖିଲା ସ୍ଥା‌ନଗୁଡ଼ିକରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ।

ଏବେ ନଦୀଶଯ୍ୟାରେ ତରଭୁଜ ଚାଷ ସହିତ ପନିପରିବା ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳୁଛି।  ମହାନଦୀକୁ ନେଇ ୨୦୧୮ ପର୍ଯ୍ୟନ୍ତ ଓଡ଼ିଶାରେ ରାଜନୀତି ତୀବ୍ର ହୋଇଥିଲା। ଛତିଶଗଡ଼ର ତତ୍କାଳୀନ ରମଣ ସିଂ ବିଜେପି ସରକାରଙ୍କୁ ଓଡ଼ିଶାର କଂଗ୍ରେସ, ବିଜେଡି ତଥା ବିଭିନ୍ନ ଲୋକସଂଗଠନ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ତେବେ ୨୦୧୯ ମସିହା ନିର୍ବାଚନ ପରେ ଏହି ପ୍ରସଙ୍ଗକୁ ଆଉ କେହି ଗୁରୁତ୍ବ ଦେଇନଥିଲେ। ସତେ ଯେପରି ନିର୍ବାଚନ ପରେ ପାଣି ଆଉ ଅଟକି ନଥିଲା। ଗ୍ରୀଷ୍ମ ଋତୁ‌ବେ‌ଳେ ପୂର୍ବରୁ  ଯେପରି ଅବସ୍ଥା ଥିଲା ଏବେ ବଧ୍ୟ ସାମାନ ଅବସ୍ଥା ରହିଛି।

ମହାନଦୀର ଗୋଟିଏ ପଟେ ବିଶାଳ ଜଳରାଶି ମହାନଦୀରେ ଲହଡ଼ି ମାରୁଥିବା ବେଳେ ଆଉ ଗୋଟିଏ ପଟେ ବିରାଟ କ୍ଷେତ୍ର ମରୁଭୂମି ହେବାକୁ ଯାଉଛି। ଛତିଶଗଡ଼ର କଲ୍‌ମା ବ୍ୟାରେଜ୍‌ ଓଡ଼ିଶା ସୀମାକୁ ପାଣି ପଶିବାକୁ ବାଧକ ସାଜିଛି। ଛତିଶଗଡ଼ର ରାୟଗଡ଼ ଜିଲ୍ଲା କଲ୍‌ମା ଠାରେ ମହାନଦୀ ଉପରେ ନିମାର୍ଣ ହୋଇଥିବା ଏହି ବ୍ୟାରେଜର ୬୬ ଗୋଟି ଗେଟ୍‌ ମହାନଦୀର ଜଳରାଶିକୁ ଅଟକାଇ ରଖି ଥିବାରୁ ଏହାକୁ ‌ବିଭିନ୍ନ ଦଳ ନିର୍ବାଚନ ବେଳେ ମୁଖ୍ୟ ପ୍ରସଙ୍ଗ କରିଥିଲେ। ପ୍ରଚଣ୍ତ ଗ୍ରୀଷ୍ମ ସମୟରେ ଆକାଶରୁ ଅଗ୍ନି ବର୍ଷୁଥିବା ବେଳେ ପାଣି ଟୋପାଏ ପିଇବାକୁ ସେଠାକାର ନଦୀକୂଳର ବାସିନ୍ଦା କିଭଳି ହଇରାଣ ହୁଅନ୍ତି ତାହା ନଦେଖିଲେ ବିଶ୍ବାସ କରି ହେବନାହିଁ।

ମଣିଷଠାରୁ ଗୋରୁ ପର୍ଯ୍ୟନ୍ତ ଗୋଟିଏ ପଟେ ଡ଼ହକ ବିକଳ ହେଉଥିବା ବେଳେ ଛତିଶଗଡ଼ ପଟେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାଯ୍ୟରେ ଦୁଇଟି ଶିଳ୍ପ କାରଖାନାକୁ ଅହରହ ଜଳ ଯୋଗାଣ ହେଉଛି। ମହାନଦୀ ତଳ ମୁଣ୍ତରେ ଥିବା ଗ୍ରାମବାସୀ ଏଥିଯୋଗୁଁ ଗତ ୫/୬ ବର୍ଷ ହେଲା ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଛତିଶଗଡ଼ ସରକାର ଶିଳ୍ପର ସ୍ବାର୍ଥ ପାଇଁ ଜନସାଧାରଣଙ୍କ ସ୍ବାର୍ଥକୁ ସ˚ପୂର୍ଣ୍ଣ ଜଳାଞ୍ଜଳି ଦେଇ ପକାଇଛନ୍ତି। ନଦୀରେ ପାଣି ନଥିବା ଯୋଗୁଁ ଚାଷକାର୍ଯ୍ୟ ସ˚ପୁର୍ଣ୍ଣ ପ୍ରଭାବିତ ହେଉଛି। ଛତିଶଗଡ଼ ରାଜ୍ୟ ପୁଷୋର ବ୍ଲକର ତ୍ରିଭୋନା ଗ୍ରାମରେ ୬ ବର୍ଷ ହେଲା ରବି ଚାଷ ବନ୍ଦ ହୋଇଯାଇଥିବା ଗ୍ରାମବାସୀ କୁହନ୍ତି।

ଏହି ଅଞ୍ଚଳରେ ନଦୀରେ ପାଣି ନଥିବା ଯୋଗୁଁ ଭୂତଳ ଜଳସ୍ତର ମଧୢ କମି ଯାଇଛି। ଏହାର ପରିଣାମ ସ୍ବରୂପ ଏହି ଅଞ୍ଚଳର ଗ୍ରାମଗୁଡ଼ିକରେ ସମସ୍ତ ନଳକୂଅ ଅଚଳ ହୋଇ ପଡ଼ିଛି। କେଲୋ ନଦୀର ଲାଖାଠାରେ ବନ୍ଧ ନିମାର୍ଣ କରାଯାଇ ସେଠାରୁ ରାୟଗଡ଼ରେ ଥିବା ଜିନ୍ଦଲ କାରଖାନାକୁ ପାଣି ଯୋଗାଇ ଦିଆଯାଉଛି। ମାତ୍ର ଗାଁକୁ ପାଣି ଦିଆଯାଉ ନଥବା ଅଭିଯୋଗ ହେଉଛି । ଚାଷ ପାଇଁ କେନାଲ ଯୋଗେ ପାଣି ଯୋଗାଇ ଦିଆଯିବ କହି ମୁଖ୍ୟ କେନାଲ ଓ ଶାଖା କେନାଲ ମାନ ନିମାର୍ଣ ହୋଇଥିଲେ ମଧୢ ସେଥିରେ ପାଣି ଛଡ଼ାଯାଉ ନାହିଁ ।

ଝାରମୁଣ୍ତା, କୁଣ୍ତାତରାଇ, ଓଦାର୍, ଭଟଲି, କୁସମୁଦା, ତଡ଼ଲ, ପୁଷୋର ଠାରେ ଏହି ଅସନ୍ତୋଷ ଦେଖା ଦେଇ ଆସୁଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ପୂର୍ବରୁ  ଏଠାରେ ଏକ ପ୍ରକାର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ମହାନଦୀ ବଚାଉ ଆନ୍ଦୋଳନର ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ ସୁଖାସୋଡ଼ାରୁ ଆରମ୍ଭ ହୋଇଥିଲା। ଏବେ ସେହି ନଦୀ, ସେହି କଲ୍‌ମା ବ୍ୟାରେଜ ଏବଂ ସେହି ପାଣି ସମସ୍ୟା ରହିଛି ମାତ୍ର ଓଡ଼ିଶାରେ ରାଜନୈତିକ ଦୃଷ୍ଟିଭଙ୍ଗି ବଦଳି ଯାଇଥିବା ଲକ୍ଷ୍ୟ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe