ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଦେଇ ଓଡ଼ିଶାକୁ ମହାନଦୀ ପ୍ରବେଶ କରିଛି। ହୀରାକୁଦ ଜଳଭଣ୍ଡାରର ବି ଗୋଟିଏ ପାର୍ଶ୍ବ ଝାରସୁଗୁଡ଼ା ଜିଲ୍ଲାରେ ରହିଛି। ମହାନଦୀକୁ ଛାଡ଼ି ଜିଲ୍ଲାରେ ଇବ୍, ବସୁନ୍ଧରା, କେଲୋ, ଭେଡେନ୍ ନଦୀ ରହିଛି। କିନ୍ତୁ ଏଠାକାର ମତ୍ସ୍ୟଜୀବୀ ଦିନକୁ ଦିନ ନିଜର ରୋଜଗାର ହରାଇ ବସୁଥିବାବେଳେ ଅନେକ ମତ୍ସ୍ୟଜୀବୀ ମାଛଧରା ଛାଡ଼ିଦେଲେଣି। ଛତିଶଗଡ଼ ସରକାର ଅଣମୌସୁମୀ ଋତୁରେ ମହାନଦୀର ଜଳପ୍ରବାହକୁ ରୋକି ଦେଉଥିବାରୁ ଜଳଭଣ୍ଡାର ଜଳସ୍ତର ହ୍ରାସ ପାଉଛି। କେବଳ ସେତିକି ନୁହେଁ, ଜଳପ୍ରବାହ ବନ୍ଦ ରହିବା ଯୋଗୁଁ ନଦୀରେ ଭାସି ଆସୁଥିବା ମାଛ, କଙ୍କଡ଼ା ଭଳି ପ୍ରଜାତିଙ୍କ ସଂଖ୍ୟା ବି କମିବାରେ ଲାଗିଲାଣି। ଅନ୍ୟପଟେ କେଜ୍ ଫିସିଂ ଓ ଘେରିଚାଷକୁ ସରକାରଙ୍କ ପ୍ରୋତ୍ସାହନ ତଥା ଅବୈଧ ଢୁଲୁଙ୍ଗି ଜାଲ ବ୍ୟବହାରରେ କଟକଣା ରହୁନଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀ ଜୀବିକା ହରାଇବାକୁ ବସିଲେଣି। ଏପରିକି ଦିନସାରା ହୀରାକୁଦ ଜଳଭଣ୍ଡାରରେ ମାଛ ମାରିବା ପରେ ଜଣେ ଜଣେ ମତ୍ସ୍ୟଜୀବୀ ୧ କିଲୋଗ୍ରାମ ମାଛ ମଧ୍ୟ ପାଉନାହାନ୍ତି। ଏ ସମ୍ପର୍କରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିବେକ ସୋରେନ୍ଙ୍କ କହିବା କଥା, ପାଣି କମିଲେ ମାଛ ଉତ୍ପାଦନ ହ୍ରାସ ପାଇବା ସ୍ବାଭାବିକ କଥା। କିନ୍ତୁ ସରକାରୀ ଭାବେ ଝାରସୁଗୁଡ଼ାରେ କୌଣସି କେଜ୍ କି ଘେରି ପାଇଁ ଅନୁମତି ଦିଆଯାଇନଥିବା ସେ ସ୍ପଷ୍ଟ କରିଛନ୍ତି।
ମହାନଦୀରେ ମାଛ ସଂଖ୍ୟା ବୃଦ୍ଧି କରିବାକୁ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ରିଜର୍ଭର ଷ୍ଟକିଙ୍ଗ୍ ଯୋଜନା ଅନ୍ତର୍ଗତ ଅନ୍ୟତ୍ର ମାଛ ଯାଆଁଳ ଚାଷ କରାଯାଇ ମହାନଦୀରେ ଛଡ଼ାଯିବା ପରେ ସେଗୁଡ଼ିକୁ ପରେ ମତ୍ସ୍ୟଜୀବୀମାନେ ଧରି ପରିବାର ପ୍ରତିପୋଷଣ କରୁଥିବା କଥା ନିଜେ ମତ୍ସ୍ୟ ବିଭାଗ କହୁଛି। ବିଗତ ୩ ବର୍ଷର ତଥ୍ୟକୁ ଅନୁଶୀଳନ କଲେ ଝାରସୁଗୁଡ଼ା ଜିଲ୍ଲା ମତ୍ସ୍ୟ ସମ୍ପଦ ବିଭାଗ ମହାନଦୀରେ ୨ କୋଟିରୁ ଊର୍ଦ୍ଧ୍ବ ମାଛ ଯାଆଁଳ ଛାଡ଼ିଲାଣି। ୨୦୨୨-୨୩ ମସିହାରେ ୬୧ ଲକ୍ଷ ୧ ହଜାର ୫୦୦, ୨୦୨୩-୨୪ ମସିହାରେ ୫୭ ଲକ୍ଷ ୧୩ ହଜାର ଓ ୨୦୨୪-୨୫ ମସିହାରେ ୮୪ ଲକ୍ଷ ୭୭ ହଜାର ୭୫୦ ମାଛ ଯାଆଁଳ ମହାନଦୀରେ ଛଡ଼ାଯାଇଛି। ତେବେ ୨୦୨୨-୨୩ ମସିହାରେ ମହାନଦୀରୁ ମୋଟ ୫୫୧୧.୪୬ ଟନ୍ ମାଛ ଉତ୍ପାଦନ କରାଯାଇଥିବା ବେଳେ ୨୦୨୩-୨୪ ମସିହାରେ ୫୦୧୫.୬୦ ଟନ୍ ଓ ଚଳିତ ବର୍ଷ ପ୍ରାୟ ୫ ହଜାର ଟନ୍ ମାଛ ଉତ୍ପାଦନ କରାଯାଇଥିବା ଜଣାପଡ଼ିଛି। ଛତିଶଗଡ଼ ସରକାର ଅଣମୌସୁମୀ ଋତୁରେ କଲ୍ମା ବ୍ୟାରେଜ୍ରେ ପାଣି ଅଟକାଇବା ଦ୍ବାରା ମହାନଦୀର ଜଳପ୍ରବାହ ଏକପ୍ରକାର ଅଟକି ଯାଇଛି। ଯାହାର ପ୍ରଭାବ ସିଧାସଳଖ ମତ୍ସ୍ୟଜୀବୀଙ୍କ ଉପରେ ପଡ଼ୁଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ମତ୍ସ୍ୟ ସମ୍ପଦ ବିଭାଗ ଦେଉଥିବା ଏହି ତଥ୍ୟ କେବଳ ପଞ୍ଜୀକୃତ ମତ୍ସ୍ୟଜୀବୀ ସୋସାଇଟିର ହୋଇଥିବା ବେଳେ ପ୍ରକୃତ ଚିତ୍ର ଏହାଠାରୁ ଭିନ୍ନ। ବନ ବିଭାଗ ଓ ମତ୍ସ୍ୟ ବିଭାଗର ଅବହେଳା କାରଣରୁ ଜଳଭଣ୍ଡାରରେ ବାହାର ବ୍ୟବସାୟୀ ଆସି ଢୁଲୁଙ୍ଗି ଜାଲ ବ୍ୟବହାର କରି ଛୋଟ, ବଡ଼ ମାଛ ସବୁ ପୋଛି ନେଉଛନ୍ତି। ଜଳଭଣ୍ଡାରରେ ଯାହା କିଛି ମାଛ ରହୁଛି, ସେଥିରେ କେଜ୍ ଫିସିଂ ଓ ଘେରିଚାଷ କରାଯାଉଛି। ଯାହାଦ୍ବାରା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜାଲରେ କଣ୍ଟିଆ (ଛୋଟ ମାଛ)ଟିଏ ବି ପଡ଼ିବା କଷ୍ଟକର ହୋଇପଡ଼ୁଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରୁଛନ୍ତି।