ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ସହରର ୨୦୦ ବର୍ଷରୁ ଅଧିକ ପୁରୁଣା ଗୌରୀଆମ୍ମା ଯାତ୍ରା। କଳା ଓ ସଂସ୍କୃତିର ନିଦର୍ଶନ ଭାବେ ପରିଚିତ ଏହି ଐତିହାସିକ ଯାତ୍ରାର ଏକ ସ୍ବତନ୍ତ୍ରତା ହେଉଛି ୪୫ ଫୁଟ ଉଚ୍ଚ ମା’କାଳୀଙ୍କ ମୂର୍ତ୍ତି। ଯାହାକି ଯାତ୍ରାର ଆକର୍ଷଣକୁ ଦ୍ବିଗୁଣିତ କରିଥାଏ ବୋଲି କହିଲେ ଜମାରୁ ଅତ୍ୟୁକ୍ତ ହେବନି। କେବଳ ଏତିକି ନୁହେଁ, ମା’ଙ୍କ ଯାତ୍ରା ଓ ଏହି ବିରାଟକାୟ ମୂର୍ତ୍ତି ପରସ୍ପର ପରିପୂରକ। ଆବହମାନ କାଳରୁ ଜଗନ୍ନାଥ ସାହି (ପୂର୍ବରୁ ବ୍ରାହ୍ମଣସାହି)ରେ ଯାତ୍ରା ବେଳେ ମା’ଙ୍କ ଏହି ପ୍ରତିମୂର୍ତ୍ତିକୁ ଗଢ଼ାଯାଇ ମେଢ଼ରେ ଦଣ୍ଡାୟମାନ କରାଯାଇଥାଏ। ଏହିକ୍ରମରେ ଚଳିତବର୍ଷ ବି ମା’ଗୌରୀଆମ୍ମାଙ୍କ ଯାତ୍ରା ଜାରି ରହିଥିବା ବେଳେ ଗତକାଲି ମଧ୍ୟରାତ୍ରରେ ପୂଜାର୍ଚ୍ଚନା ପରେ ମେଢ଼ରେ ମା’କାଳୀଙ୍କ ମୁଖାକୁ ଖୋଲାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଇତିହାସର ଅବଲୋକନରୁ ଜଣାପଡ଼େ, ୧୭୦ରୁ ୧୮୦ ବର୍ଷ ତଳେ ବ୍ରାହ୍ମଣସାହିରେ ରହୁଥିବା କରଣ ପରିବାରର ଜଣେ ମହିଳା କୋଲକାତାରେ ମା’ ଦକ୍ଷିଣକାଳୀଙ୍କ ଦର୍ଶନ କରିବା ପରେ ଯାତ୍ରାରେ ମା’ଙ୍କ ମୂର୍ତ୍ତିକୁ ସ୍ଥାପନ କରିବା ନେଇ ତାଙ୍କ ମନରେ ଆଶା ବାନ୍ଧିଥିଲା। ଏହାପରେ ମା’ଗୌରୀଆମ୍ମା ଯାତ୍ରାରେ ମା’ କାଳୀଙ୍କ ମୂର୍ତ୍ତି ଛିଡ଼ା କରିବାକୁ ପରିକଳ୍ପନା କରାଯାଇଥିଲା। ପ୍ରଥମେ ୫୫ ଫୁଟ ଉଚ୍ଚ ମୂର୍ତ୍ତି ସ୍ଥାପିତ ହୋଇଥିଲା। ଯାହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ସମୟକ୍ରମେ ମୂର୍ତ୍ତିର ଉଚ୍ଚତାକୁ ୪୫ ଫୁଟକୁ କମାଇ ଦିଆଯାଇଥିଲା।
ଶୁଭଖୁଣ୍ଟି ସ୍ଥାପନ ପରେ ମୂର୍ତ୍ତିକୁ ପ୍ରସ୍ତୁତ କରିବାକୁ ୧୫ରୁ ୨୦ ଦିନ ଲାଗିଥାଏ। ବିରାଟକାୟ ମୂର୍ତ୍ତିକୁ ମେଢ଼ କରି ଛିଡ଼ା କରିବା ଲାଗି ୩ଟି ତାଳଗଣ୍ଡିର ବ୍ୟବହାର କରାଯାଏ। ସେଥିମଧ୍ୟରୁ ଦୁଇଟି ଗଣ୍ଡି ୫୦ ଫୁଟ ଓ ଗୋଟିଏ ୫୫ ଫୁଟ ଉଚ୍ଚ। ସେପଟେ ମା’ଙ୍କ ଅଙ୍ଗକୁ ଯୋଡ଼ାଯିବା କାମ ଆରମ୍ଭ ହୁଏ। ୫ ଫୁଟ ଉଚ୍ଚ ମୁକୁଟ ପିନ୍ଧାଯାଇଥାଏ। ମେଢ଼ରେ ଆସନର ଉଚ୍ଚତା ୫ ଫୁଟ ରହିଥିବା ବେଳେ ମଞ୍ଚର ଓସାର ୨୨ ଫୁଟ ଓ ଲମ୍ବ ୧୦ ଫୁଟ ହୋଇଥାଏ। ୩ଟି ତାଳଗଣ୍ଡିକୁ ପୋତିବାକୁ ଆଗରୁ ୧୦ରୁ ୨୦ ଲୋକଙ୍କ ଦରକାର ପଡ଼ୁଥିଲା। କିନ୍ତୁ ଚଳିତବର୍ଷ କ୍ରେନ୍ ଦ୍ବାରା ଏହାକୁ ଉଠାଯାଇଥିଲା। ସେହିପରି ମଞ୍ଚ ଉପରେ ମା’ଙ୍କ ମୂ୍ର୍ତ୍ତିକୁ ଭାର ଦେବା ଲାଗି ୬ ଗୋଟି ରଥର ଚକ, ଅଖ ଓ ପଟା ମଧ୍ୟ ବ୍ୟବହୃତ ହୁଏ। ସୋଲ, କାଠଗୁଣ୍ଡ, ଆପୁଚା ମଞ୍ଜିର ଅଠା, ଦଉଡ଼ି, ମଇଦା ଅଠା, ବାଉଁଶପାତିଆ ଓ ଲୁହାକଣ୍ଟା ଆଦି ବ୍ୟବହାର କରାଯାଇ ମା’ଙ୍କ ବିଭିନ୍ନ ଅସ୍ତ୍ର ତିଆରି ହୁଏ। ସେହିପରି ୨୫ ଫୁଟ ଲମ୍ବର କେଶ ପାଇଁ ଝୋଟ ବ୍ୟବହାର କରାଯାଇଥାଏ। ମେଢ଼ ଓ ମୂର୍ତ୍ତି ତିଆରି ପାଇଁ ସାହିର ୧୫ରୁ ୨୦ ଜଣ ଉତ୍ସାହୀ ଯୁବକ ଏବଂ ବରିଷ୍ଠ ନାଗରିକମାନେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି। ନିଶଦ୍ଦ ରାତିରେ ନିଷ୍ଠାର ସହ ପୂଜାର୍ଚ୍ଚନା ପରେ ମା’ଙ୍କ ମୁଖା ଖୋଲାଯାଇଥାଏ। ମୁଆଁପଣା ସମେତ ବିଭିନ୍ନ ଭୋଗ ଅର୍ପଣ କରାଯାଏ। କିନ୍ତୁ ପୂଜାର୍ଚ୍ଚନା ବେଳେ କେହିମଧ୍ୟ ମୂର୍ତ୍ତିକୁ ଆଗପଟୁ ଦର୍ଶନ ନକରିବା ପରମ୍ପରା ରହିଛି। ସାହିବାସିନ୍ଦା ଚାନ୍ଦା ଆଦାୟ କରି ଏହି ମୂର୍ତ୍ତିକୁ ଛିଡ଼ା କରିଥାନ୍ତି। ଆଉ ୨୦ ଭୂଜାଧାରୀ ମା’ଙ୍କ ମୂର୍ତ୍ତି ଦେଖିଲେ ଆଖି ଖୋସିଯାଏ। ଯାତ୍ରା ସରିବା ପରେ ମା’ଙ୍କ ଆଭୂଷଣ ସମେତ ସମସ୍ତ ବିଭିନ୍ନ ଅଙ୍ଗକୁ ବାହାର କରି ସୁରକ୍ଷିତ ଭାବେ ରଖିଦିଆଯାଇଥାଏ। ୧୯୯୯ ମସିହା ବାତ୍ୟାରେ ମୂର୍ତ୍ତିଟିର କ୍ଷତି ହୋଇଥିଲା। ଯାତ୍ରା ସରିବା ପରେ ଜଗନ୍ନାଥ ମନ୍ଦିର ସମ୍ମୁଖ ପକ୍କାଘରେ ମା’ଙ୍କ ଅଙ୍ଗର ବିଭିନ୍ନ ଭାଗକୁ ସୁରକ୍ଷିତ ଭାବେ ରଖିଦିଆଯାଇଥାଏ।