ଖଣି ଲୁଟ୍ ପଛର ବଡ଼ କାରଣ: ଏମସିଏଲରେ ୧୫ ବର୍ଷ ହେଲା ଅଧିକାରୀଙ୍କ ବଦଳି ନାହିଁ

ସୁନ୍ଦରଗଡ଼: ଏମସିଏଲ କୁଲଡ଼ା ଖଣି କ୍ଷେତ୍ର ବହୁ ଦୁର୍ନୀତି ଓ ଅନିୟମିତତାରେ ଛନ୍ଦି ହୋଇଛି। ଚରମ ସୀମା ରେ ରହିଛି କୋଇଲା ଚୋରି, ବେଆଇନ ପରିବହନ, ପ୍ରଦୂଷଣ, ପ୍ରିୟାପ୍ରୀତି। ଏବେ ଆଉ ଏକ ଗୁରୁତର ଅଭିଯୋଗ ସେଥିରେ ଯୋଡ଼ି ହୋଇଛି। ଏମସିଏଲରେ ୧୫ ବର୍ଷ ହେଲା କିଛି ଶୀର୍ଷ ଅଧିକାରୀ ଚୌକି ମାଡ଼ି ବସିଛନ୍ତି। ସେମାନଙ୍କ ବଦଳି ହେଉ ନାଲହିଁ। କେବେ କେମିତି ବଦଳି ଆଦେଶ ଆସିଲେ ତାକୁ କୌଣସି ମତେ ମୋଡ଼ି ଦେଇ ନିର୍ଦ୍ଦିଷ୍ଟ ଆସନକୁ ଛାଡ଼ୁ ନଥିବା ଅଭିଯୋଗ ହୋଇଛି। ନିକଟରେ ଖଣି ପ୍ରକଳ୍ପ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ବଦଳି ସାଇଡିଂକୁ ହୋଇଥିଲା। କିନ୍ତୁ ସେ ବଦଳି ସ୍ଥାନରେ ଯୋଗ ନଦେଇ ପୁରୁଣା କାର୍ଯ୍ୟାଳୟରେ କାମ କରୁଥିବା ଦେଖାଯାଇଛି। ସବୁଠାରୁ ବଡ଼ କଥା ହେଲା, ବଦଳି ଆଦେଶ ସତ୍ତ୍ବେ ସେ ଅଧିକାରୀ ସାଇଡିଂରେ ଯୋଗ ନଦେଇ ପୂର୍ବ ପରି ପ୍ରକଳ୍ପ କାର୍ଯ୍ୟାଳୟରେ କାମ କରୁଥିବା ସମ୍ପର୍କରେ ଜାଣି ମଧ୍ୟ ଏମସିଏଲ ଉଚ୍ଚ କର୍ତ୍ତୃପକ୍ଷ ନିରବ ରହୁଛନ୍ତି। ପ୍ରକାରାନ୍ତରେ କମ୍ପାନିର ଉଚ୍ଚ ଅଧିକାରୀମାନେ ସମ୍ପୃକ୍ତ ଅଧିକାରୀମାନଙ୍କ ଜରିଆରେ ଖଣି ଅଞ୍ଚଳରେ ଦୁର୍ନୀତି, ଅନିୟମିତତାକୁ ପ୍ରୋତ୍ସାହିତ କର ଚାଲିଥିବା ଅଭିଯୋଗ ହୋଇଛି।

ଆଉ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନ ବା ପଦରେ ରହିଥିବା ଅଧିକାରୀମାନେ ବେଧଡ଼କ ବେଆଇନ କାର୍ଯ୍ୟ କରି ଚାଲିଛନ୍ତି। କିଛି ଦିନ ତଳେ ୱେବ୍ରିଜ ଦେଇ ବେଆଇନ କୋଇଲା ପରିବହନ ଅଭିଯୋଗ ଆସିଥିଲା। ଖଣିରୁ ସମସ୍ତଙ୍କ ଆଖି ଆଗରେ କୋଇଲା ଚୋରି ଓ ୱେବ୍ରିଜର ଅସାଧୁ କର୍ମଚାରୀଙ୍କ ବେଆଇନ ଅର୍ଥ ଆଦାୟ କରୁଥିବା ପ୍ରକାଶ ପାଇଥିଲା। ଖଣିରୁ ଧାର୍ଯ୍ୟ ପରିମାଣର କୋଇଲା ଠାରୁ ୩ରୁ ୫ ଟନ୍ ଅଧିକ ବୋଝେଇ କରି ଟ୍ରକଗୁଡ଼ିକ ବାହାରକୁ ଆସୁଥିବା ଓ ୱେବ୍ରିଜ୍ରେ ତାହା ଜଣାପଡ଼ୁଥିଲେ ମଧ୍ୟ ତାକୁ ଜବତ କରିବା ବା ଖାଲି କରାଇବା ପରିବର୍ତ୍ତେ ୱେବ୍ରିଜ୍ କର୍ମଚାରୀ ସେଥିରୁ ହାତ ଚିକ୍କଣ କରି ନେଉଥିବା ଅଭିଯୋଗ ହୋଇଥିଲା। କୁଲଡା ଖଣିରୁ କନିକା, ସରଡେଗା ସାଇଡିଂ ଓ ରୋଡ୍ ସେଲରେ ପ୍ରାୟ ୩୨ ଶହ ଟ୍ରକରେ ଦୈନିକ ୨୫ ଶହରୁ ୩ ହଜାର ଟ୍ରିପ୍ କୋଇଲା ପରିବହନ ହୋଇଥାଏ। ପ୍ରତି ଟ୍ରିପରେ ଧାର୍ଯ୍ୟ ପରିମାଣର କୋଇଲା ଠାରୁ ୩ରୁ ୫ ଟନ୍ ଅଧିକ କୋଇଲା ପରିବହନ ହେଉଥିବା ବେଳେ ତାକୁ ଜବତ ନକରି କର୍ମଚାରୀ ହାତ ଚିକ୍କଣ କରି ଛାଡ଼ି ଦେଉଥିବା ବେଳେ ଏହି ବାଟରେ ଦିନ ଦ୍ବିପ୍ରହରରେ ସରକାରୀ ସମ୍ପତ୍ତିର ଲୁଟ୍ ହେଉଥିବା ଅଭିଯୋଗ ହୋଇଥିଲା।

କୁଲଡା ଖଣି ଅଞ୍ଚଳରେ ସମସ୍ତଙ୍କ ଆଖି ସାମ୍ନାରେ ଏପରି ବହୁ ବେଆଇନ କାର୍ଯ୍ୟ, ଦୁର୍ନୀତି, ଅନିୟମିତତା ଚାଲିଥିବା ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ଯାଏ ଅଭିଯୋଗ କରି ଆସୁଛନ୍ତି। ଏପରିକି ଏମସିଏଲ ଅଧିକାରୀଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି। କିନ୍ତୁ ଅଭିଯୋଗକୁ ନା ଜିଲ୍ଲା ପ୍ରଶାସନ ନା ପୁଲିସ କେହି ଶୁଣୁ ନାହାନ୍ତି। ଓଲଟା ଏମସିଏଲର ସ୍ଥାନୀୟ ଅଧିକାରୀ ଏସବୁ ପ୍ରସଙ୍ଗରୁ ଦୂରେଇ ରହିବାକୁ ଧମକ ଦେଉଛନ୍ତି। ଏସ୍ଥିତିରେ ଖଣି ବିଭାଗ ତୁରନ୍ତ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାତୀୟ ସମ୍ପତ୍ତିର ସୁରକ୍ଷା କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର