ପୁରୀ: କିଂବଦନ୍ତି କୁହେ, ଆଜିର ସୁଦୃଶ୍ୟ ପବିତ୍ର ବଡ଼ଦାଣ୍ଡରେ ଦିନେ ମାଳିନୀ ନଦୀ ପ୍ରବାହିତ ହେଉଥିଲା। ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ଯାତ୍ରାରେ ଯିବାକୁ ୬ଟି ରଥର ଆବଶ୍ୟକ ପଡ଼ୁଥିଲା। ବଳଗଣ୍ଡି ପର୍ଯ୍ୟନ୍ତ ତିନି ସୁଦୃଶ୍ୟ ରଥ ଆସୁଥିଲା। ଆଉ ତିନିଟି ରଥ ମାଳିନୀ ନଦୀର ଅପର ପାର୍ଶ୍ବରେ ୪ ଚକିଆ ଶଗଡ଼ି ସଦୃଶ ନିର୍ମିତ ହୋଇ ରହୁଥିଲା। ମହାପ୍ରଭୁ ନଦୀ ପାର ହୋଇ ଯିବା ପରେ ଉକ୍ତ ରଥରେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଉଥିଲେ।

Advertisment

୧୮୫୯ ମସିହାରେ ଭିକାରୀ ପଟ୍ଟନାୟକଙ୍କ ରଚିତ ‘ରଥ ଚକଡ଼ା’ ପୋଥି ଅନୁସରଣ ପୂର୍ବକ ଗବେଷକ ସ୍ବର୍ଗତ ସଦାଶିବ ରଥଶର୍ମା କହିଥିଲେ, ତ୍ରେତା ଓ ଦ୍ବାପରରେ ରଥଯାତ୍ରା କିଭଳି ହେଉଥିଲା ତାହା ଜାଣିବା ଦୁରୂହ। କିନ୍ତୁ କଳିଯୁଗରେ ରଥଯାତ୍ରା ବିଷୟ ଯାହା ପୂର୍ବପୁରୁଷ କରଣକୁଳ ସାମନ୍ତମାନେ ଲେଖି ରଖିଛନ୍ତି ତାହା ହିଁ ରଥ ଚକଡ଼ାରେ ଲେଖାଯାଇଛି। ଅଷ୍ଟମ ଓ ନବମ ଶତାବ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ରାଜତ୍ବ ସମୟରେ ଶ୍ରୀମନ୍ଦିରର ଉଚ୍ଚତା ୪୮ ହାତ ଥିଲା। ଶ୍ରୀବିଗ୍ରହମାନେ ୨ ହାତ ୧୦ ଆଙ୍ଗୁଳିର ଥିଲେ। ରଥର ଉଚ୍ଚତା ଥିଲା ୧୮ ହାତ। ତିନି ରଥ ସମ୍ଭବତଃ ସମାନ ଥିଲା। କିନ୍ତୁ ୬ଟି ରଥ ହେଉଥିଲା। ବଳଗଣ୍ଡି ପର୍ଯ୍ୟନ୍ତ ତିନି ରଥ ଯାଉଥିଲା। ମାଳିନୀ ନଦୀର ଅପର ପାର୍ଶ୍ବରେ ଥିବା ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନି ରଥ ନିର୍ମିତ ହେଉଥିଲା। ଉକ୍ତ ରଥ ଚାରିଚକିଆ ଶଗଡ଼ି ସଦୃଶ ହେଉଥିଲା। ଏହି ତିନିଟି ରଥ ମାଳିନୀ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ଦିଗକୁ ଯାଉଥିଲା। ତେବେ ସିଂହଦ୍ବାରରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ୧୬ ଚକିଆ, ୧୪ ଚକିଆ ଓ ୧୨ ଚକିଆ ଥିଲା। ରଥ ଉପରେ ସୁନାର ତିନି ବେଣ୍ଟିଆ ଧ୍ବଜ କଳସ ଲାଗୁଥିଲା। କନକ ମୁଣ୍ଡିରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା।

ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ରଥ ଆଗେଆଗେ ଯାଉଥିଲେ। ଉକ୍ତ ରଥକୁ ଘୋଡ଼ା ଟାଣୁଥିଲେ। ରଥାରୂଢ଼ ମହାପ୍ରଭୁଙ୍କ ରଥକୁ ଭକ୍ତ ଟାଣୁଥିଲେ। ବଳଗଣ୍ଡିରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଆରପଟକୁ ଯାଉଥିଲେ। ‘ରଥ ଚକଡ଼ା’ର ଏକ ପଦ ମୁତାବକ, ‘ପାଟଣା ରଥ ଚାରି ଚକିଆ, କିଆ ପଟୁଳାରେ ହୋଇଛି ଠିଆ’। ତାଙ୍କ ପରେ ପରଶୁ କେଶରୀ ନାମକ ରାଜା ଦୁଇବର୍ଷ ରାଜତ୍ବ କରିଥିଲେ। କିନ୍ତୁ ତାଙ୍କ ସମୟରେ ରଥ ଥରେ ହେଲେ ୧୮ ହାତିଆ ହୋଇପାରିନଥିଲା। ମୂଷଳ ଧାରାରେ ବର୍ଷା ଯୋଗୁଁ ରଥଯାତ୍ରା ନହୋଇ ଛୋଟ ରଥ ସିଂହଦ୍ବାରରେ ରହି ଦକ୍ଷିଣାମୁଖୀ ପୂଜା ହୋଇଥିଲା। କେବଳ ସେବକମାନେ ଯାଇ ଆଡ଼ପ ମଣ୍ଡପରେ ଧ୍ବଜ ପୂଜା, ପିଣ୍ଡି ପୂଜା କରିଥିଲେ। ପରବର୍ତ୍ତୀ ସମୟରେ ଚୋଡ଼ଗଙ୍ଗ ଦେବ ଦେଉଳକୁ ୧୨୫ ହାତ ପର୍ଯ୍ୟନ୍ତ ବଢ଼ାଇଥିଲେ। ରଥ ୩୨ ହାତିଆ କଲେ। ଦିଅଁ ସାତ ପା’ ହେଲେ। ରଥ ଛଅଟି ହାତୀ ଦ୍ବାରା ଟଣା ଯାଉଥିଲା। ଚୋଡ଼ଗଙ୍ଗ ଦେବ ରଥ ଦଉଡ଼ି ଧରି ଟାଣିବା ପରେ ଅନ୍ୟମାନେ ଓ ହାତୀ ମିଶି ରଥ ଟାଣୁଥିଲେ।

ପ୍ରଥମ ଭାନୁଦେବଙ୍କ ସମୟରୁ ୬ରୁ ୩ ରଥ ହୋଇଥିଲା
ଷୋଡ଼ଶ ଶତାବ୍ଦୀରେ ରଚିତ ‘ମାଦଳା ପାଞ୍ଜି’ ମୁତାବକ, ବୀର ନରସିଂହଦେବ ରାଜାଙ୍କ ରାଜତ୍ବ କାଳରେ ବାଙ୍କୀ ମୁହାଣ ପୋତା ହୋଇଥିଲା। ନଦୀ ପୋତାଯିବାରୁ ୬ ରଥ ବଦଳରେ ତିନି ରଥ କରାଗଲା। ଗୁଣ୍ଡିଚା ମନ୍ଦିରର କାଠ ମଣ୍ଡପକୁ ପଥର ମଣ୍ଡପରେ ରୂପାନ୍ତରିତ କରାଯାଇଥିଲା। ଗବେଷକଙ୍କ ସୂଚନା ମୁତାବକ, ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ପ୍ରଥମ ଭାନୁଦେବ (୧୨୬୪-୧୨୭୮)ଙ୍କ ସମୟରେ ୬ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା। କେହି ଗବେଷକ କୁହନ୍ତି, ପ୍ରଥମ ଭାନୁଦେବ କିମ୍ବା ଦ୍ବିତୀୟ ନରସିଂହ ଦେବ ମାଳିନୀ ନଦୀ ପୋତି ଦେବା ଫଳରେ ୬ ବଦଳରେ ତିନି ରଥ ନିର୍ମିତ ହେଲା। ଗବେଷକ ଡ.ନୀଳକଣ୍ଠ ମିଶ୍ରଙ୍କ ଉଲ୍ଲେଖ ପ୍ରକାରେ, ୧୨୭୦ ମସିହାରେ ମାଧବାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆଗମନ କରିଥିଲେ। ଗୋଟିଏ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ସେ ମତ ଦେବାରୁ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନିଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ ଏହି ବ୍ୟବସ୍ଥା କରିଥିଲେ। ମାଳିନୀ ନଦୀ ପୋତା ହେବା ପରେ ଏହା ବଡ଼ଦାଣ୍ଡରେ ପରିଣତ ହୋଇଥିଲା ବୋଲି ଉଲ୍ଲେଖ ରହିଛି।