ପୋଖରୀରେ ବୁଡ଼ି ଯୁବକ ମୃତ

ଚଢ଼େଇଧରା: ଜେନାପୁର ଥାନା ଅଧୀନ ମଧୁପୁରଗଡ଼ ଭାବଦେଇ ପୋଖରୀରେ ଗାଧୋଉଥିବାବେଳେ ବୁଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଗଡ଼ମଧୁପୁର ଗ୍ରାମର ହେମନ୍ତ ଭଞ୍ଜ (୪୨)। ପୂର୍ବରୁ ତାଙ୍କର ବାତରୋଗ ରହିଥିଲା। ବାତ ସମୟରେ ସେ ତଳେ ପଡ଼ି ଚେତା ହରାଇବା ସହ ବହୁ କଷ୍ଟ ପାଇଥାନ୍ତି ଏବଂ ଅନ୍ୟବେଳେ ସଂପୂର୍ଣ୍ଣ ସୁସ୍ଥ ଲୋକ ଭଳି କାମ କରିଥାନ୍ତି। ଆଜି ଭାବଦେଇ ପୋଖରୀରେ ଗାଁର ଅନ୍ୟ ଲୋକମାନଙ୍କ ସହ ସେ ଗାଧୋଉଥିଲେ। ହଠାତ ସେ ଦେଖା ନଯିବାରୁ ଅନ୍ୟମାନେ ତାଙ୍କୁ ପାଣିରେ ଖୋଜିଥିଲେ।

ମାତ୍ର ସେତେବେଳକୁ ସେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଶେଷରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ତେବେ ତା’ ପୂର୍ବରୁ ଗ୍ରାମର ଯୁବକମାନେ ଖୋଜାଖୋଜି କରି ହେମନ୍ତଙ୍କୁ ପାଣିରୁ ବାହାର କରିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଯୋଗ‌େ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ଜେନାପୁର ଥାନାରେ ଏନେଇ ସୂଚନା ଦିଆଯାଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ହେମନ୍ତଙ୍କ ଦୁଇ ନାବାଳିକା ଝିଅ ଅଛନ୍ତି। ତାଙ୍କ ଆକସ୍ମିକ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର